ଏହି ଟାଇଟଲରେ ଦ୍ୱିତୀୟ ଥର ତିଆରି ହେଉଥିବା ସିନେମାରେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ପ୍ରଥମ ଥର ପାଇଁ ଏକ ତାମିଲ ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ମହାନ୍‌: ଦ ଗ୍ରେଟ୍‌ ମ୍ୟାନ୍‌’। ଆଗରୁ ବିଗ୍‌ ବି ଅମିତାଭ ବଚ୍ଚନ ମହାନ୍‌ ଟାଇଟଲରେ ଏକ ସିନେମାରେ ଅଭିନୟ କରିଥିଲେ। ଏହି ସିନେମାରେ ତାଙ୍କର ଟ୍ରିପଲ୍‌ ରୋଲ୍‌ ଥିଲା। ପ୍ରଥମେ ଚର୍ଚ୍ଚା ହେଉଥିଲା ଯେ ଅମିତାଭଙ୍କ ଅଭିନୀତ ଏହି ତାମିଲ ସିନେମାର ନାଆଁ ରହିବ ‘ଉୟାରନଧା ମନିଧନ୍‌’।

ପର୍ପଲ ବୁଲ୍‌ ଏଣ୍ଟରଟେନମେଣ୍ଟର ପ୍ରଡକ୍ସନ୍‌ ଟିମ୍‌ ଏହି ଫିଲ୍ମର ସୁଟିଂ ପାଇଁ ଲୋକେସନ୍‌ ଖୋଜିଥିଲେ। ଅବଶେଷରେ ସେମାନେ ଉତ୍ତରାଖଣ୍ଡର ଡେରାଡୁନ୍‌ରେ ଏହାର ସୁଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି। ନିର୍ମାତା ପ୍ରକାଶ ଭଟ୍ଟ କହିଛନ୍ତି ଯେ ତାଙ୍କ ପ୍ରଯୋଜନା ସଂସ୍ଥାର ଟିମ୍‌ ଉତ୍ତରାଖଣ୍ଡର ବିଭିନ୍ନ ଆକର୍ଷଣୀୟ ସ୍ଥାନ ପରିଦର୍ଶନ କରିବାପରେ ସେହି ରାଜ୍ୟରେ ହିଁ ୩୮ ଦିନ ଧରି ସୁଟିଂ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ସିନେମାରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିବେ।

ଏଇ ନିକଟରେ ପ୍ରକାଶ ଭଟ୍ଟ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌ଙ୍କୁ ସାକ୍ଷାତ କରିଥିଲେ। ନିର୍ମାତାଙ୍କୁ ସମସ୍ତ ସହଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ‘ମହାନ୍‌:ଦ ଗ୍ରେଟ୍‌ ମ୍ୟାନ୍‌’କୁ ନେଇ ବିଗ୍‌ ବି ଅମିତାଭ ବଚ୍ଚନ ଖୁବ୍‌ ଉତ୍ସାହିତ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର