‘ଦ ସ୍କାଏ ଇଜ୍‌ ପିଙ୍କ୍‌’ର ଟ୍ରେଲର ଦେଖି ପ୍ରିୟଙ୍କା-ଫର୍‌ହାନଙ୍କୁ ଚେତାବନୀ ଦେଲା ମହାରାଷ୍ଟ୍ର ପୁଲିସ

ମୁମ୍ବାଇ : ସୋନାଲୀ ବୋଷଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ର ଟ୍ରେଲର ଗତକାଲି ରିଲିଜ୍‌ ହୋଇ ସାରିଛି । ଟ୍ରେଲର ରିଲିଜ୍‌ ପରେ ଏହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଥିବା ଦେଖାଯାଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଜାଇରା ଓ୍ଵସିମ୍‌ ଓ ଅଭିନେତା ଫର୍‌ହାନ୍‌ ଅଖ୍‌ତର । ଫିଲ୍ମରେ ଜାଇରାଙ୍କୁ ଏକ ଗମ୍ଭୀର ରୋଗ ହୋଇଥିବା ବେଳେ ସେ ନିଜ ବାପା-ମା’ ଜୀବନର ସବୁଠାରୁ ବଡ଼ ଖଳନାୟିକା ବୋଲି ଫିଲ୍ମର କହୁଥିବା ଦେଖାଯାଇଛି ।

ତେବେ ଟ୍ରେଲରରେ ଥିବା ଏକ ସଂଳାପକୁ ନେଇ ଏବେ ମହାରାଷ୍ଟ୍ର ପୁଲିସ ଉଭୟ ପ୍ରିୟଙ୍କା ଚୋପ୍ରା ଓ ଫରହାନ୍‌ ଅଖ୍‌ତରଙ୍କୁ ଚେତାବନୀ ଦେଇଛନ୍ତି । ଟୁଇଟ୍‌ରେ ଟ୍ରେଲରର ଏକ ଭିଡିଓ ରହିଛି, ଯେଉଁଥିରେ ପ୍ରିୟଙ୍କା ଫର୍‌ହାନଙ୍କୁ, “ଥରେ ଆୟଶା ଠିକ୍‌ ହୋଇଯାଉ, ତା’ ପରେ ମିଶି କରି ବ୍ୟାଙ୍କ ଲୁଟିବା” ବୋଲି କହୁଥିବା ଦେଖାଯାଉଛି । ଭିଡିଓ ଉପରେ ମହାରାଷ୍ଟ୍ର ପୁଲିସ କ୍ୟାପ୍‌ସନ ଦେଇ ଲେଖିଛନ୍ତି, “ଆଇପିସି ଧାରା ୩୯୩ଅନୁଯାୟୀ ୭ବର୍ଷ ଜେଲ ଦଣ୍ଡ ଭୋଗିବେ” । ତେବେ ମହାରାଷ୍ଟ୍ର ପୁଲିସର ଏଭଳି ଟୁଇଟ୍‌ ପରେ ରି-ଟୁଇଟ୍‌ କରି ପ୍ରିୟଙ୍କା ଲେଖିଛନ୍ତି, “ଧରା ପଡ଼ିଗଲୁ, ଏବେ ଯୋଜନା-ବି କାର୍ଯ୍ୟକ୍ଷମ କରିବାର ସମୟ” ।

ସମ୍ବନ୍ଧିତ ଖବର