ସରକାରୀ ବସ୍‌ରେ ଚାଲିଲା ‘ଅୟାରି’ ଚଳଚ୍ଚିତ୍ରର ଲିକ୍‌ଡ ଭର୍ସନ, ଗର୍ଜିଲେ ପ୍ରଯୋଜକ

ମୁମ୍ବାଇ:  ଗୋଟାଏ ସମସ୍ୟାରୁ ମୁକୁଳି ପାରିନଥିବା ଚଳଚ୍ଚିତ୍ର ‘ଅୟାରି’ ସାମ୍ନା କରିଛି ଏବେ ଅନ୍ୟ ଏକ ନୂଆ ସମସ୍ୟା। ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟକୁ ଆସିବାର ମାତ୍ର ଦିନ କେଇଟାରେ ସର୍ବସାଧାରଣରେ ଲିକ୍‌ଡ ହୋଇଛି। ସୋମବାର ସକାଳୁ ଚଳଚ୍ଚିତ୍ରଟିର ଏହି ଲିକ୍‌ଡ ଭର୍ସନର ଦୃଶ୍ୟ ମହାରାଷ୍ଟ୍ରରେ ଚାଲୁଥିବା ‘ଅଶ୍ୱମେଦ୍ଧ’ ନାମକ ଏକ ବସ୍‌ରେ ଦେଖିବାକୁ ମିଳିଥିଲା।

ସୂଚନା ମୁତାବକ, ମୁମ୍ବାଇ ରୁ ପୁଣେ ଯାଉଥିବା ମହାରାଷ୍ଟ୍ର ଷ୍ଟେଟ୍‌ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ ସିଭନେରି ବସ୍‌ରେ ଏପରି ଘଟିଛି। ସକାଳ ପ୍ରାୟ ୭.୩୦ରେ ଚଳଚ୍ଚିତ୍ରଟିକୁ ବସ୍‌ରେ ପ୍ରଦର୍ଶିତ କରାଯାଇଥିଲା। ବସ୍‌ରେ ଥିବା କେତେକ ଯାତ୍ରୀ ଏହାକୁ ବିରୋଧ ମଧ୍ୟ କରିଥିଲେ। ନିର୍ମାତାଙ୍କ ଅନୁମତି ବିନା ଚଳଚ୍ଚିତ୍ରଟିକୁ ଏପରି ସର୍ବସାଧାରଣରେ କିମ୍ବା ସୋସିଆଲ୍‌ ମିଡିଆରେ ପ୍ରଘଟ କରନ୍ତୁ ନାହିଁ ବୋଲି କେତେକ ବିବେକ୍‌ବାନ ବ୍ୟକ୍ତି ମତ ରଖିଥିଲେ।

ଏ ସଂପର୍କରେ ପ୍ରଯୋଜକ ଜୟନ୍ତିଲାଲ ଗଡ଼ା କହନ୍ତି, ‘ଏହା ଏକ ନିମୟ ବହିର୍ଭୂତ କାର୍ଯ୍ୟ। ଏହି କାର୍ଯ୍ୟ ବିରୋଧରେ ଆମ ଟିମ୍‌ ବିହୀତ ପଦକ୍ଷେପ ଗ୍ରହଣ କରିବ। ଏକ ସରକାରୀ ବସ୍‌ରେ ଏପରି ଏକ ତ୍ରୁଟି କିପରି ହୋଇପାରେ? ସରକାର ଯଦି ତ୍ରୁଟିକୁ ପ୍ରୋତ୍ସାହନା ଦିଅନ୍ତି ତେବେ ରୋକିବ କିଏ?’

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରଟିରେ ଭାରତୀୟ ଯବାନଙ୍କ ବୀରତ୍ୱ ପ୍ରଦର୍ଶିତ ହୋଇଥିବାରୁ ପାକିସ୍ତାନରେ ଏହାର ରିଲିଜ୍‌ ଉପରେ ନିଷେଦ୍ଧାଦେଶ ଜାରି ହୋଇଛି।

ସମ୍ବନ୍ଧିତ ଖବର