ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପରାମର୍ଶରେ ମନୋଜ କୁମାର ନିର୍ମାଣ କରିଥିଲେ ‘ଉପକାର୍‌’

ମୁମ୍ବାଇ: ବଲିଉଡରେ ମିଷ୍ଟର ଭାରତ ନାଆଁରେ ସୁପରିଚିତ ପ୍ରଖ୍ୟାତ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ମନୋଜ କୁମାର। ସେ ରୋଟି କପଡା ଔର ମକାନ୍‌, ଉପକାର୍‌, ପୂରବ ଔର ପଶ୍ଚିମ, କ୍ରାନ୍ତି ଓ କଲଯୁଗ୍‌ ଔର୍‌ ସୀତା ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇ ଲୋକପ୍ରିୟତା ହାସଲ କରିଛନ୍ତି। ଠିକ୍‌ ସେହିପରି ଅନେକ ଚଳଚ୍ଚିତ୍ରରେ ନାୟକ ଭୂମିକାରେ ବି ନଜର ଆସିଛନ୍ତି। ତେବେ ମନୋଜ କୁମାର ବିଶେଷ ଭାବେ ଦେଶପ୍ରେମଭିତ୍ତିକ ସିନେମା ନିର୍ମାଣ କରୁଥିବା କାରଣରୁ ସ୍ୱତନ୍ତ୍ର ପରିଚୟର ଅଧିକାରୀ ହୋଇଛନ୍ତି।

୧୯୬୫ ମସିହାରେ ମନୋଜ କୁମାରଙ୍କ ଅଭିନୀତ ଫିଲ୍ମ ‘ଶହିଦ୍‌’ ରିଲିଜ୍‌ ହୋଇଥିଲା। ଏହାର କଥାବସ୍ତୁ ଶହିଦ୍‌ ଭଗତ ସିଂହଙ୍କ ଜୀବନ ଉପରେ ଆଧାରିତ ଥିଲା। ଏହି ସିନେମା ଦେଖିବା ପରେ ତତ୍‌କାଳୀନ ପ୍ରଧାନନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ମନୋଜ କୁମାରଙ୍କୁ ଏକ ସ୍ୱତନ୍ତ୍ର ସିନେମା ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ‘ଜୟ ଜବାନ୍‌ ଜୟ କିଷାନ୍‌’ ସ୍ଲୋଗାନ୍‌ ଉପରେ ଏହାର କାହାଣୀ ପ୍ରସ୍ତୁତ କରିବାକୁ କହିଥିଲେ ମନୋଜ କୁମାରଙ୍କୁ। ସାଧାରଣତନ୍ତ୍ର ଦିବସ ଅବସରରେ ହିଁ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସହିତ ମନୋଜ କୁମାରଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ୧୯୬୫ରେ ପାକିସ୍ତାନ ସହିତ ଯୁଦ୍ଧ ପରେ ଦେଶର ମନୋବଳ ବୃଦ୍ଧି କରିବା ପାଇଁ ଫିଲ୍ମ ତିଆରି କରିବାକୁ ପରାମର୍ଶ ଦେଇଥିଲେ ଶାସ୍ତ୍ରୀଜୀ। ଶାସ୍ତ୍ରୀଜୀଙ୍କ ପରାମର୍ଶରେ ମନୋଜ କୁମାର ‘ଉପକାର’ ଚଳଚ୍ଚିତ୍ରର ନିର୍ମାଣ କଲେ। ସେ ଏହାର ନିର୍ଦ୍ଦେଶନା ବି ଦେଇଥିଲେ। ଏହା ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା।

‘ଉପକାର’ରେ ମନୋଜ କୁମାର, ଆଶା ପାରେଖ୍‌, ପ୍ରାନ୍‌, ପ୍ରେମ ଚୋପ୍ରା ଓ ମଦନ ପୁରୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ‘ଉପକାର’ ପାଇଁ ମନୋଜ କୁମାର ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଫିଲ୍ମଫେଆର୍‌ ଆଓ୍ଵାର୍ଡ ପାଇଥିଲେ।

ସମ୍ବନ୍ଧିତ ଖବର