#ମି ଠୁ : ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କୁ ସହାନୁଭୂତି ଜଣାଇବା ପରେ ସୋନୁ ନିଗମଙ୍କୁ କଡା ସମାଲୋଚନା କଲେ ସୋନା ମହାପାତ୍ର

ମୁମ୍ବାଇ: #ମି ଠୁ ଅଭିଯୁକ୍ତ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କୁ ଏବେ ସହାନୁଭୂତି ଜଣାଇବାକୁ ଯାଇ ହରଡ଼ଘଣାରେ ପଡ଼ି ଯାଇଛନ୍ତି ଗାୟକ ସୋନୁ ନିଗମ୍‌। ଅନୁ ମଲ୍ଲିକ୍‌ଙ୍କ ବିରୋଧରେ #ମି ଠୁ ଅଭିଯୋଗ ଆଣିଥିବା ଗାୟିକା ସୋନା ମହାପାତ୍ର ଏହି ଘଟଣାରେ ସୋନୁ ନିଗମଙ୍କୁ ତୀବ୍ର ସମାଲୋଚନା କରିବାକୁ କୁଣ୍ଠାବୋଧ କରି ନାହାନ୍ତି।

ଗାୟିକା ସୋନା ମହାପାତ୍ର, ସୋନୁ ନିଗମଙ୍କର ସମାଲୋଚନା କରି କହିଛନ୍ତି, ‘ଜଣେ କୋଟିପତି ଏବେ କାମ ପାଉ ନଥିବାରୁ ଏତେ ଦୟା? ତାଙ୍କ ପରିବାର ନିର୍ଯାତିତ ହେଉଛନ୍ତି ବୋଲି ଏତେ ସହାନୁଭୂତି? ଆଉ ଯେତେବେଳେ ତାଙ୍କ ଦ୍ୱାରା ଯେତେବେଳେ ଝିଅ ଓ ମହିଳାମାନେ ନିର୍ଯାତିତ ହେଉଥିଲେ?… ଏତେ ସବୁ ପରେ ବି ଯଥେଷ୍ଟ ହେଲାନି କି ମନ ବୁଝିଲାନି! ଆହୁରି ପ୍ରମାଣ ଦରକାର ତୁମକୁ? ଧନ୍ୟ କହିବ…’ ଏହିପରି କଟୁ ଶବ୍ଦ ପ୍ରୟୋଗ କରି ସୋନୁ ନିଗମଙ୍କୁ ନିଜ ଟୁଇଟର ହ୍ୟାଣ୍ଡଲରେ ଶାଣିତ ସମାଲୋଚନା କରିଛନ୍ତି ଗାୟିକା ସୋନା ମହାପାତ୍ର।

ଉଲ୍ଲେଖଯୋଗ୍ୟ, ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ #ମି ଠୁରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଅନୁ ମଲ୍ଲିକଙ୍କୁ ଜଣେ ‘ଯୌନ ଶିକାରୀ’ ବୋଲି ଅଭିହିତ କରିଥିଲେ ଗାୟିକା ସୋନା ମହାପାତ୍ର। #ମି ଠୁରେ ଅଭିଯୁକ୍ତ ହେବା ପରେ ସଂଗୀତ ଜଗତରେ ଅନୁ ମଲ୍ଲିକ ବାସନ୍ଦ ହୋଇଯିବା ସହ ଏକ ଘରକିଆ ହୋଇ ପଡ଼ିଥିଲେ। ଏପରିସ୍ଥିତିରେ ଅନୁ ମଲ୍ଲିକଙ୍କୁ ସମର୍ଥନ କରିବାକୁ ଯାଇ ଗାୟକ ସୋନୁ ନିଗମ କହିଥିଲେ, ‘ବିନା ପ୍ରମାଣରେ ଅନୁ ମଲ୍ଲିକଙ୍କ ଉପରେ ଏତେ ବଡ଼ ଅଭିଯୋଗ ଲଗା ଯାଇଥିଲେ ସୁଦ୍ଧା ସେ ଅତ୍ୟନ୍ତ ମର୍ଯାଦାଜନକ ଭାବେ ଏଯାବତ୍‌ ନିରବ ରହିଛନ୍ତି। ଏ ଅଭିଯୋଗ ପରେ ତାଙ୍କ ସୁନାମରେ ଆଞ୍ଚ ଲାଗିଥିବା ବେଳେ ତାଙ୍କ ପରିବାର ନିର୍ଯାତିତ ହୋଇଛନ୍ତି।’

ସମ୍ବନ୍ଧିତ ଖବର