‘ସୁନ୍ଦରଗଡର ସଲମାନ ଖାନ୍‌’ ରେ ମିହିରଙ୍କ ଭୂମିକା କ‘ଣ ଜାଣନ୍ତି !

ଭୁବନେଶ୍ୱର: ଓଲିଉଡର ଜଣେ ଲୋକପ୍ରିୟ ଚରିତ୍ର ଅଭିନେତା ହେଲେ ମିହିର ଦାସ । ସେ ଇତିମଧ୍ୟରେ ଓଡ଼ିଆ ସିନେ ଜଗତରେ ପ୍ରାୟ ୩୮ ବର୍ଷ ବିତାଇ ସାରିଲେଣି । ମିହିର ନାୟକ, ସହ ନାୟକ, ଖଳନାୟକ ଓ ଚରିତ୍ର ଅଭିନେତା ଭୂମିକାରେ ବିଭିନ୍ନ ସିନେମାରେ ନଜର ଆସିଛନ୍ତି ।

ଏବେ ମିହିର ଦାସ ପୁଣି ଏକ ସିନେମାରେ ଅଭିନୟ କରୁଛନ୍ତି । ଏଠାରେ ଯେଉଁ ଓଡ଼ିଆ ଛବିର କଥା କୁହାଯାଉଛି , ତାହାର ଟାଇଟଲ୍‌ ହେଲା ‘ସୁନ୍ଦରଗଡର ସଲମାନ ଖାନ୍‌’ । ତରଙ୍ଗ ସିନେ ପ୍ରଡକ୍ସନର ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି । ଏଥିରେ ମିହିର ଦାସଙ୍କୁ ଦର୍ଶକ ପୁଣି ଥରେ ଦେଖିବାକୁ ପାଇବେ ଜଣେ ପିତା ଭୂମିକାରେ । ଏଥର ସେ ନାୟିକାର ବାପା ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ନାୟିକା ଭୂମିକାରେ ଅଛନ୍ତି ନବାଗତା ଦିବ୍ୟା ।

ଫିଲ୍ମର କାହାଣୀ ଅନୁଯାୟୀ ଦିବ୍ୟା ନାୟକ ( ବାବୁସାନ୍‌ )ଙ୍କ ପ୍ରେମରେ ପଡ଼ିଛନ୍ତି । ଆଉ ତାଙ୍କୁ ବାହା ହେବା ପାଇଁ ଚାହାଁନ୍ତି । କିନ୍ତୁ ଦିବ୍ୟାଙ୍କ ପିତା ( ମିହିର) ଝିଅର ବାହାଘର ପାଇଁ ଭଲ ଭଲ ପ୍ରସ୍ତାବ ଦେଖୁଛନ୍ତି । ଏଭଳି ପରିସ୍ଥିତିରେ କାହାଣୀ କି ଭଳି ଆଗକୁ ଯାଉଛି, ତାହା ଜାଣିବାକୁ ହେଲେ ଫିଲ୍ମର ରିଲିଜ୍‌ ଯାଏଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ ।


‘ସୁନ୍ଦରଗଡର ସଲମାନ୍‌ ଖାନ୍‌’ ସିନେମାରେ ବାବୁସାନ୍‌, ଦିବ୍ୟା ଓ ମିହିର ଦାସଙ୍କ ବ୍ୟତୀତ ସୌମ୍ୟରଂଜନ, ପୁଷ୍ପା ପଣ୍ଡା, ପପୁ ପମ୍‌ପମ୍‌ , ଜୀବନ ପଣ୍ଡା ଓ ଡ଼ ଅନନ୍ତ ଆଚାର୍ଯ୍ୟ ପ୍ରମୁଖ ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ୍‌ ମଜୁମଦାର ଓ ସଂଳାପ ଲେଖକ ହେଲେ ରଣଜିତ୍‌ ପଟ୍ଟନାୟକ । ଫିଲ୍ମଟି ରଜ ଅବସରରେ ରିଲିଜ୍‌ ହେବ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର