କ୍ୟାଟ୍‌ଙ୍କ ନାୟକ ଅଲ୍ଲୀଙ୍କ ବିରୋଧରେ ଅନେକ ମହିଳା ଆଣିଲେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ପାକିସ୍ତାନୀ ଅଭିନେତା, ମଡେଲ୍‌, ଗୀତିକାର ତଥା କଣ୍ଠଶିଳ୍ପୀ ଅଲ୍ଲୀ ଜାଫରଙ୍କ ବିରୋଧରେ ଜଣେ ପାକିସ୍ତାନି ମଡେଲ୍‌ ତଥା ନାୟିକା ଯୌନ ନିର୍ଯାତନା ମାମଲା ଆଣିବା ପରେ ଏବେ ତାଙ୍କ ବିରୋଧରେ ଆହୁରି ଅନେକ ଅଭିଯୋଗ ଆସିଛି। ଏବେ ଅନେକ ଜଣ ମହିଳା ଅଲ୍ଲୀଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି କି ସେ ମହିଳାମାନଙ୍କୁ ବଳପୂର୍ବକ ମାଡ଼ି ବସିବା ସହ ଚୁମ୍ବନ ଦେଇଥାନ୍ତି।

ଅଲ୍ଲୀଙ୍କ ବିରୋଧରେ ପ୍ରଥମେ ଅଭିଯୋଗ ଆଣିଥିବା ଅଭିଯୋଗକାରୀ ସାହସିକତା ହେତୁ ଜଣେ ମେକ୍‌ଅପ୍‌ ଆର୍ଟିଷ୍ଟ ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ମେକ୍‌ଅପ୍‌ ଆର୍ଟିଷ୍ଟ ଜଣକ କହିଛନ୍ତି କି ‘ସେହି ପ୍ରଥମ ଅଭିଯୋଗକାରୀ ମହିଳାଙ୍କ ସାହସ ପାଇଁ ହିଁ ଅନେକ ଝିଅ ମୁହଁ ଖୋଲି ପାରିଛନ୍ତି। ଏବେ ସେ ଏକା ନୁହଁନ୍ତି। ଅନେକ ବର୍ଷ ହେବ ମୁଁ ଅଲିଙ୍କୁ ଜାଣେ। ଯୁବତୀ ବନ୍ଧୁମାନଙ୍କ ଆଦୌ ସୀମାରେ ରହି କଥା ହୁଅନ୍ତି ନାହିଁ। ମହିଳାଙ୍କ ପ୍ରତି ତାଙ୍କ ମନରେ ଯେ ସମ୍ମାନ ନାହିଁ ତାହା ସ୍ପଷ୍ଟ ବାରି ହୋଇପଡ଼େ। ମଜା ଆଉ ଅଶ୍ଳୀଳତା ମଧ୍ୟରେ ଭିନ୍ନତା ରହିଛି। ଅଲ୍ଳୀ ବୋଧେ ତାହା ଜାଣନ୍ତି ନାହିଁ।’

ଏ ସଂପର୍କରେ ଜଣେ ସାମ୍ବାଦିକ କହିଛନ୍ତି କି ‘ବହୁତ ବର୍ଷ ପୂର୍ବେ ଅଲ୍ଳୀଙ୍କ ବିରୋଧରେ ଏପରି ଏକ ଅଭିଯୋଗ ଆସିଥିଲା। ସେ ତାଙ୍କର ଜଣେ ସଂପର୍କୀୟା ଭୁଉଣୀଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରିବା ସହ ଏକ ଘର ଭିତରେ ନିଜ ସହ ତାଙ୍କୁ ବନ୍ଦ କରି ପକାଇଥିଲେ।’

ସେହି ପରି ଜଣେ ବ୍ଲଗର ବି ଅଭିଯୋଗ ଆଣିଛନ୍ତି କି ଅଲ୍ଳୀ ତାଙ୍କୁ ଏକ ସର୍ବସାଧାରଣ ଉତ୍ସବରେ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ।

ସେହିପରି ମଙ୍ଗଳବାର ଜଣେ ଅଭନେତ୍ରୀ ତଥା ମଡେଲ୍‌ ଟୁଇଟ୍‌ କରିଛନ୍ତି କି ପୂର୍ବରୁ ଅଲ୍ଳୀ ଏକାଧିକ ବାର ତାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଛନ୍ତି।

ଅନ୍ୟପକ୍ଷରେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଲ୍ଲୀ। ସେ କହିଛନ୍ତି ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବା ପାଇଁ ସେ କୋର୍ଟ ଏବଂ ଆଇନ୍‌ର ସହାୟତା ନେବେ। ସେ ଟୁଇଟ୍‌ କରିଛନ୍ତି ଯେ ମୁଁ ଗଭୀର ଭାବେ ବିଶ୍ୱାସ କରେ ଯେ ସତ୍ୟ ସବୁବେଳେ ଜୟ ଲାଭ କରେ।

ସମ୍ବନ୍ଧିତ ଖବର