ପ୍ରଥମ ରଙ୍ଗିନ ଓଡ଼ିଆ ଛବିର ନିର୍ଦ୍ଦେଶକ ନଗେନ୍‌ ରାୟ ଆଉ ନାହାନ୍ତି

ଭୁବନେଶ୍ୱର: ପ୍ରଥମ ରଙ୍ଗିନ  ଓଡ଼ିଆ ଛବି ‘ଗପ ହେଲେ ବି ସତ’ର ନିର୍ଦ୍ଦେଶକ ନଗେନ୍‌ ରାୟ ଆଉ ନାହାନ୍ତି । ତାଙ୍କର କଟକସ୍ଥିତ ଶାସ୍ତ୍ରୀ ନଗର ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ କେବଳ ଦୁଇଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଛବି ହେଲା ୧୯୭୬ରେ ମୁକ୍ତିଲାଭ କରିଥିବା ପ୍ରଥମ ରଙ୍ଗିନ ଓଡ଼ିଆ ଛବି ‘ଗପ ହେଲେ ବି ସତ’। ଇଂ ସୁବିମଳ ମଲ୍ଲିକ ଥିଲେ ଏହାର ପ୍ରଯୋଜକ। ଏଥିରେ ହରିଶ ମହାପାତ୍ର,ବନଜା ମହାନ୍ତି, ସୌଦାମିନୀ ,ନିହାରିକା ଏବଂ ନେତ୍ରାନନ୍ଦ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଭୁବନ-ହରି ଥିଲେ ଏହାର ସଙ୍ଗୀତ ନିର୍ଦ୍ଦେଶକ। ଏହି ଚଳଚ୍ଚିତ୍ରରେ ପ୍ରଥମେ ସିନେମାଟୋଗ୍ରାଫରଭାବେ କାମ କରିଥିଲେ ଜୟଦେବ ପୁରସ୍କାରପ୍ରାପ୍ତ ସୁରେନ୍ଦ୍ର ସାହୁ।

ଏହାର ସଫଳତା ପରେ ନିର୍ଦ୍ଦେଶକ ନଗେନ୍‌ ରାୟଙ୍କୁ କେତୋଟି ନୂଆ ସିନେମାର ନିର୍ଦ୍ଦେଶନା ଦେବା ଲାଗି ପ୍ରସ୍ତାବ ଆସିଥିଲା । ମାତ୍ର ସେ ସେଥିମଧ୍ୟରୁ ଗୋଟିଏ ଚଳଚ୍ଚିତ୍ରକୁ ବାଛିଥିଲେ , ଯାହା ଥିଲା ତାଙ୍କର ନିର୍ଦ୍ଦେଶିତ ଶେଷ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ନାଆଁ ଥିଲା ‘ତପସ୍ୟା’ ।
୧୯୮୦ ମସିହାରେ ମୁକ୍ତିଲାଭ କରିଥିବା କଳାଧଳା ଚଳଚ୍ଚିତ୍ର ‘ତପସ୍ୟା’ ର ପ୍ରଯୋଜକ ଥିଲେ କଟକର ବିଶ୍ୱନାଥ ମିଶ୍ର । ଏହି ଚଳଚ୍ଚିତ୍ରରେ ଶରତ ପୂଜାରୀ, ଅନିତା ଦାସ, ଉତ୍ତମ ମହାନ୍ତି, ଦୀପା ସାହୁ, ଦୁଃଖିରାମ ସ୍ୱାଇଁ ଓ ଦେବୁବୋଷ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
‘ ତପସ୍ୟା’ ର କାହାଣୀ ଅତି ଚମତ୍କାର ଥିଲା । ଏହାର ସଂକ୍ଷପ୍ତି କଥାବସ୍ତୁ ଏପରି- ସହରରୁ ଗାଆଁ କୁ ଯାଇଥିବା ଜଣେ ଡାକ୍ତର ଜଣେ ଯୁବତୀୁ ( ଅନିତା ଦାସ)କୁ ଭଲପାଇ ବସନ୍ତି । ଘଟଣାକ୍ରମେ ସେ ଦୁହିଁଙ୍କ ମଧ୍ୟରେ ଦୈହିକ ସଂପର୍କ ହୋଇଯାଏ । ଡାକ୍ତର ଜଣକ ଯୁବତୀ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ସହରକୁ କୌଣସି କାମରେ ଆସନ୍ତି । ଅନ୍ତଃସତ୍ତ୍ୱା ଯୁବତୀଟିକୁ ଡାକ୍ତରଙ୍କୁ ଅପେକ୍ଷା କରେ । ତେଣେ ଗାଆଁ ଛାଡିବାକୁ ପଡ଼େ । ସେ ସହରରେ ନିଜ ସ୍ୱାମୀ ଙ୍କୁ ଖୋଜିବାକୁ ଆସେ । କିନ୍ତୁ ଏଠି ଜଣେ ଡ୍ରାଇଭର ତାକୁ ବଳାତ୍କାର ଚେଷ୍ଟା କରେ ।
ଏହାପରେ ଯୁବତୀଟି ଏକ ଝିଅକୁ ଜନ୍ମ ଦେଇଛି । ସେହି ଝିଅ ବଡ ହୋଇ କଲେଜ୍‌ରେ ପାଠ ପଢେ । ଏହି ଝିଅ ( ଦୀପା ସାହୁ) ତାରି କଲେଜ୍‌ରେ ପଢୁଥିବା ଜଣେ ଯୁବକ ( ଉତ୍ତମ ମହାନ୍ତି) କୁ ଭଲପାଏ । ସେହି ମେଡିକାଲ କଲେଜ୍‌ ର ଅଧ୍ୟକ୍ଷ ଥାଆନ୍ତି ଉକ୍ତ ଡାକ୍ତର । ଏକ ଗୀତ ପିତା-କନ୍ୟା ଓ ମାତାଙ୍କର ପୁନମିଳନ କରାଇବାରେ ସହାୟକ ହୁଏ ।

 

‘ତପସ୍ୟା’ ଚଳଚ୍ଚିତ୍ର ର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ପ୍ରଫୁଲ୍ଲ କର । ଏଥିରେ ମୋଟ୍‌ ଛଅଟି ଗୀତ ଥିଲା । ଏହି ଗୀତ ଗୁଡିକୁ ଲେଖିଥିଲେ ନିଜେ ପ୍ରଫୁଲ୍ଲ କର ଓ ହରିହର ମିଶ୍ର । ହରିହର ମିଶ୍ର ଙ୍କ ରଚିତ ଢାଳି ଦିଅ ସାରା ଧରଣୀରେ ଆଜି ତୁମରି ଆଶିଷ ଧାରା—–ଗୀତକୁ ଦୁଇ ଦୁଇ ଥର ପରଦା ଉପରେ ଦେଖିବାକୁ ମିଳିଥିଲା । ଏଥିମଧ୍ୟରୁ ପ୍ରଥମେ ଶରତ ପୂଜାରୀ ଙ୍କ ଉପରେ ପିକ୍ଚରାଇଜ୍‌ ହୋଇଥିଲା, ଯାହାକୁ ଗାଇଥିଲେ ଚିତ୍ତ ଜେନା । ଦ୍ୱିତୀୟ ଥର ଦୀପା ସାହୁ ଙ୍କ ଉପରେ ପିକ୍ଚରାଇଜ୍‌ ହୋଇଥିଲା । ସେହି ଗୀତଟି ଯେଉଥିରେ କଣ୍ଠଦାନ କରିଥିଲେ ବାଣୀଜୟରାମ ।

ଏଥିରେ ଥିବା ବଜାରେ ବାଜା ବାଲା….ଗୀତରେ କଣ୍ଠଦାନ କରିଥିଲେ ଏସ୍‌.ଜାନକୀ, ଧୀରେ ଧୀରେ ଚାଲେ ଟିକି ନାଆ ଆମ…..ରେ କଣ୍ଠଦାନ କରିଥିଲେ ଚିତ୍ତ ଜେନା ଓ ବାଣୀ ଜୟରାମ, ସୁନ୍ଦରୀରେ ତୁ ମୋ ସରଗର ……ଗୀତ ଗାଇଥିଲେ ପ୍ରଫୁଲ୍ଲ କର ଓ ଏସ୍‌ .ଜାନକୀ ।
‘ ତପସ୍ୟା’ ର କାହାଣୀ , ସଙ୍ଗୀତ ଓ ଅଭିନୟ ପ୍ରତ୍ୟେକ ଜୀବନ୍ତ ଓ ମନଛୁଆଁ ହୋଇଥିଲା । ଏହି ଚଳଚ୍ଚିତ୍ର ପାଇଁ ଶରତ ପୂଜାରୀଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ‘ ତପସ୍ୟା’ ରେ ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆହୁରି କେତୋଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ସଂସ୍ଥା ପକ୍ଷରୁ ଆହୁରି କେତୋଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହୋଇଥିଲେ ହେଁ ଏଥିରେ ନଗେନ୍‌ ରାୟ ନିର୍ଦ୍ଦେଶନା ଦେଇ ନ ଥିଲେ ।

ସମ୍ବନ୍ଧିତ ଖବର