ଭୁବନେଶ୍ୱର: ‘ଆଇ ଲଭ ୟୁ’ ସିନେମାରେ ଅନୁଭବଙ୍କ ବିପକ୍ଷରେ ନାୟିକା ବନି ଓଲିଉଡରେ ପ୍ରବେଶ କରି ନମ୍ରତା ଥାପ୍ପା ବେଶ ଚର୍ଚ୍ଚାରେ ଥିଲେ । ତା’ପରେ ନମ୍ରତା ଥପ୍ପାଙ୍କୁ ପ୍ରିୟା ମୋ ପ୍ରିୟା,ମିତରେ ମିତ,ମୁଁ ତତେ ଲଭ କରୁଛି,ପ୍ରେମ ଋତୁ ଆସିଲାରେ,ଆଇ ଲଭ୍ ମାଇଁ ଇଣ୍ଡିଆ,ରସିକ ନାଗର ଆଦି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୭ରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ ଆଉ ଜଣେ ନାୟିକା ଯାହାଙ୍କ ନାଆଁ ବି ହେଲା ନମ୍ରତା। ହେଲେ ଇଏ ହେଲେ ନମ୍ରତା ସିଂହଦେଓ। ସେ ‘ଆଖି ଖୋଲିଲେ ତୁ ହି ତୁ’ ସିନେମା ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ। ଏହି ସିନେମାରେ ଆଉ ଜଣେ ନାୟିକା ଅବଶ୍ୟ ଥିଲେ। ସେ ହେଲେ ସୁରମୟୀ। ମାତ୍ର ନମ୍ରତାଙ୍କୁ ବି ଦର୍ଶକ ପସନ୍ଦ କରିଥିଲେ ଏହି ଫିଲ୍ମରେ।ଏଥିରେ ଉଭୟଙ୍କର ନାୟକ ରୂପେ ନଜର ଆସିଥିଲେ ଦୀପକ।
‘ଆଖି ଖୋଲିଲେ ତୁ ହି ତୁ’ପରେ ପ୍ରାୟ ଦୁଇ ବର୍ଷ ହେବ ନମ୍ରତା ସିଂହଦେଓଙ୍କୁ କୌଣସି ଓଡ଼ିଆ ସିନେମାରେ ଲିଡ୍ ରୋଲରେ ଦେଖିବାକୁ ମିଳି ନଥିଲା। ହେଲେ ଏବେ ସେ ଆଉ ଏକ ଓଡ଼ିଆ ସିନେମାରେ ଫେରୁଛନ୍ତି। ଏଠାରେ ଯେଉଁ ନୂଆ ସିନେମାର କଥା କୁହାଯାଉଛି,ତା’ର ଟାଇଟଲ୍ ହେଲା‘ତୋ’ ପାଇଁ ଫେରିବି ବସୁଧା ଚିରି’।
ଏହି ଫିଲ୍ମରେ ନମ୍ରତାଙ୍କ ନାୟକ ଭୂମିକା ନିଭାଉଛନ୍ତି ଚନ୍ଦନ। ପ୍ରଥମ ଥର ଲାଗି ପରଦାରେ ଚନ୍ଦନ-ନମ୍ରତାଙ୍କ ଯୋଡ଼ିକୁ ଦେଖିବେ ଦର୍ଶକ। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରେମାଂଜନ ପରିଡ଼ା,ବିଜୁ ବଡଜେନା,ଶ୍ରୀତମ୍ ଦାସ ଏବଂ ଦୁଷ୍ମନ୍ତ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏହାର ପ୍ରଯୋଜନା କରିଛନ୍ତି ଶରତପ୍ରିୟ ପାଟଯୋଶୀ ଓ ଶ୍ୟାମ ସୁନ୍ଦର ଅଗ୍ରଓ୍ଵାଲା। ସଂଜୟ ନାୟକ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ମଳୟ ମିଶ୍ର ଏହାର ସଙ୍ଗୀତ ନିର୍ଦ୍ଦେଶକ। ନମ୍ରତାଙ୍କ ଲେଉଟାଣିକୁ ଦର୍ଶକ କିପରି ଗ୍ରହଣ କରୁଛନ୍ତି,ତାହା ଦେଖିବାର କଥା।