ଲୁଚି ଲୁଚି ଅଙ୍ଗଦ ବେଦୀଙ୍କୁ ବିବାହ କଲେ ନେହା ଧୂପିଆ, ଖୁଲାସା କଲେ କରଣ ଜୋହର

ମୁମ୍ବାଇ : ଲାଗୁଛି ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ବଲିଉଡ଼ରେ ବିବାହ ଋତୁ ଆରମ୍ଭ ହୋଇ ଗଲାଣି । ସୋନମ୍‌ କପୁରଙ୍କ ବିବାହ ନ ସରୁଣୁ ଏବେ ଆଉ ଜଣେ ବଲିଉଡ଼ ଅଭିନେତ୍ରୀଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ହେଉଛନ୍ତି ନେହା ଧୂପିଆ । ସବୁ କଳାକାରଙ୍କର ବିବାହ ଦେଶର ନିଉଜ୍‌ ଚ୍ୟାନେଲରେ ହେଡ଼୍‍ଲାଇନ ବନୁଥିବା ବେଳେ ଏବେ ନେହାଙ୍କ ଲୁଚି ଲୁଚି ବିବାହ କରିବାଟା ଚର୍ଚ୍ଚାର ବିଷୟ ପାଲଟିଛି । ନେହାଙ୍କ ବିବାହ ପ୍ରସ୍ତୁତିର କୌଣସି ଖବର ଆସି ନ ଥିବା ବେଳେ ହଠାତ୍‌ ତାଙ୍କ ବିବାହ କରିବା ଖବର ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।

ନେହା ତାଙ୍କର ଜଣେ ଭଲ ବନ୍ଧୁ ଅଭିନେତା ଅଙ୍ଗଦ ବେଦୀଙ୍କୁ ବିବାହ କରିଥିବା ଜଣାପଡ଼ିଛି । ଏହି ଖବରକୁ ନେହା ଗୁପ୍ତ ରଖିବା ପାଇଁ ଚେଷ୍ଟା କରିଥିବା ବେଳେ ନିର୍ଦ୍ଦେଶକ କରଣ ଜୋହର ଏହାର ଖୁଲାସା କରିଛନ୍ତି ।

ନେହା ଏବଂ ଅଙ୍ଗଦଙ୍କ ବିବାହ ସମୟର କିଛି ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରି ନେହାଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ଲେଖିଥିବା ଦେଖିବାକୁ ମିଳିଛି । ମୋର ସବୁଠାରୁ ଭଲ ସାଙ୍ଗ ଯାହାଙ୍କୁ ମୁଁ ବହୁତ ଭଲ ପାଏ ସେ ବଲିଉଡ଼ର ଜଣେ ଜେଣ୍ଟଲମ୍ୟାନ୍‌ଙ୍କୁ ବିବାହ କରିଛନ୍ତି । ସେ ସବୁଦିନ ଖୁସିର ରୁହନ୍ତୁ ତାହା ମୁଁ ଚାହୁଁଛି ବୋଲି ଲେଖି ସେ ଟ୍ଵିଟରରେ ଫଟୋ ପୋଷ୍ଟ କରିଥିଲେ ।

ଏହି ପୋଷ୍ଟ ଆସିବା ପରେ ନେହା ମଧ୍ୟ ଏକ ଟ୍ଵିଟ୍‌ କରି ଏହା ହେଉଛି ମୋ ଜୀବନର ସବୁଠାରୁ ଭଲ ନିଷ୍ପତ୍ତିି । ଆଜି ମୁଁ ମୋର ସୁବୁଠାରୁ ଭଲ ସାଙ୍ଗକୁ ବିବାହ କରିଛି ବୋଲି ଲେଖିଥିବା ଦେଖିବାକୁ ମିଳିଥିଲା । ବଲିଉଡ଼ରେ କଳାକାରମାନଙ୍କର ପ୍ରେମ ସଂପର୍କକୁ ନେଇ ସବୁବେଳେ ଅନେକ ଚର୍ଚ୍ଚା ହେଉଥିବା ବେଳେ ଅଙ୍ଗଦ ଏବଂ ନେହା ନିଜ ସଂପର୍କକୁ ଆଜି ପର୍ଯ୍ୟନ୍ତ ଲୁଚାଇବାରେ ସଫଳ ହୋଇଥିଲେ । ବିବାହ ପରେ ହିଁ ଦୁହିଁଙ୍କ ମଧ୍ୟରେ କିଛି ଥିଲା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର