ଏବର୍ଷ ଏହି ନବାଗତ/ନବାଗତାଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିପାରେ

ବିଶେଷ: ଶିବଶଙ୍କର ଓଝା

୨୦୨୦ରେ ବଡ଼ ପରଦାରେ କେତେକ ନବାଗତ/ନବାଗତାଙ୍କୁ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଆସନ୍ତୁ ସେମାନଙ୍କ ଉପରେ ନଜର ପକାଇବା।
୨୦୨୦ରେ ଦର୍ଶକଙ୍କ ସାମ୍ନାକୁ ଆସିବେ ଜଣେ ନବାଗତ ନାୟକ, ଯାହାଙ୍କ ନାଆଁ ହେଲା ଓମକାର। ସେ ପ୍ରଥମ ସିନେମାରେ ପାଇଛନ୍ତି ଡବଲ୍ ରୋଲ୍। ଏଠାରେ ଯେଉଁ ନୂଆ ସିନେମାର କଥା କୁହାଯାଉଛି, ତା’ର ଟାଇଟଲ୍ ହେଲା ‘ମନେ ମନେ ମନ ଖୋଜୁଥିଲା’। ଏଥିରେ ନବାଗତ ଓମକାରଙ୍କ ବିପକ୍ଷରେ ନାୟିକାଭାବେ ନଜର ଆସିବେ ନମ୍ରତା। ଏଥିରେ ଜଣେ ନୂଆ ନାୟିକାଙ୍କୁ ଦେଖିବାକୁ ପାଇବେ ଦର୍ଶକ, ଯାହାଙ୍କ ନାଆଁ ହେଲା ପ୍ରିୟଙ୍କା। ଏହି ଓଡ଼ିଆ ଛବିର ନିର୍ଦେଶକ ହେଲେ ଏନ୍.ପାଢ଼ୀ।
‘ଦେବୀ’, ‘ଚାନ୍ଦ ନା ତମେ ତାରା’, ‘ମାନିନୀ’ ଆଦି ଓଡ଼ିଆ ଟେଲି ଧାରାବାହିକର ନାୟିକା ଉପାସନା ମହାନ୍ତି ଏବର୍ଷ ପ୍ରଥମ ଥର ଲାଗି ବଡ଼ ପରଦାରେ ଆସୁଛନ୍ତି। ହଁ, ସେ ନୂଆ ରୂପରେ ନଜର ଆସିବେ ଏକ ଓଡ଼ିଆ ସିନେମାରେ, ଯାହାର ଟାଇଟଲ୍ ହେଲା ‘ଚୁମକି ସେ ତ ପାଣିରେ ବୁଡ଼ିବ ନାହିଁ କି’। ଶ୍ରେୟାନ୍ ଏଥିରେ ନାୟକ ଭୂମିକାରେ ନଜର ଆସିବେ। ଏହାର ନିର୍ଦେଶନା ଦାୟିତ୍ବରେ ଅଛନ୍ତି ନୃତ୍ୟ ନିର୍ଦେଶକ ଗିରିଶ ମହାନ୍ତି।
ଓଲିଉଡରେ ଜଣେ ନବାଗତାଙ୍କର ଏଣ୍ଟ୍ରି ହୋଇଛି। ନାଆଁ ତାଙ୍କର ସ୍ବାତୀ। ନିର୍ମାଣାଧୀନ ଓଡ଼ିଆ ସିନେମା ‘ଅଟୋଗ୍ରାଫ-ଏ ସାଇନ ଅଫ ଲଭ୍’ର ନାୟିକା ଭୂମିକାରେ ଅଭିନୟ କରୁଛନ୍ତି ସେ। ଏଥିରେ ସ୍ବାତୀଙ୍କ ନାୟକ ହେଲେ ଓଲିଉଡର ଜଣାଶୁଣା ନାୟକ ଦୀପକ। ରମେଶ ରାଉତ ଏହାର ନିର୍ଦେଶକ।
ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟ୍ (ଇଏମ୍ଇ) ଫିଲ୍ମସ ବ୍ୟାନରରେ ପ୍ରସ୍ତୁତି ଚାଲିଥିବା ‘ତୁ ଭାରି ବିଉଟିଫୁଲ୍’ରେ ପ୍ରଥମ ଥରପାଇଁ ନାୟକ ଜ୍ୟୋତିଙ୍କ ସହ ନାୟିକା ବନିଛନ୍ତି ଟେଲିଜଗତର ଜଣାଶୁଣା ନାୟିକା ଅର୍ଚ୍ଚିତା ମହାନ୍ତି। ନାୟିକାଭାବେ ସେ ଏବର୍ଷ ଓଲିଉଡରେ ଡେବ୍ୟୁ କରୁଛନ୍ତି। ସଞ୍ଜୟ ନାୟକ ଏହାର ନିର୍ଦେଶକ।
ଓଡ଼ିଆ ଛବି ‘ପାଗଳ ମୁଁ ତୋ’ ପାଇଁ’ ଏ ବର୍ଷ ରିଲିଜ୍ ହୋଇପାରେ। ଏଥିରେ ଦର୍ଶକ ଜଣେ ନବାଗତା ନାୟିକା ଲଭଲି ଲିଲିଙ୍କୁ ଦେଖିବାର ସମ୍ଭାବନା ରହିଛି। ଏହି ସିନେମାରେ ନାୟକ ଭୂମିକାରେ ଅଛନ୍ତି ଟେଲି ଜଗତର ଜଣାଶୁଣା ନାୟକ ଅଙ୍କିତ। ଅଙ୍କିତ ବି ଏବର୍ଷ ଓଲିଉଡରେ ଡେବ୍ୟୁ କରୁଛନ୍ତି। ଏହି ଓଡ଼ିଆ ଛବିର ନିର୍ଦେଶକ ହେଲେ ଏନ୍.ପାଢ଼ୀ।
ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟ୍ ଫିଲ୍ମସର ତୃତୀୟ ଚଳଚ୍ଚିତ୍ର ‘ତୋ ଫ୍ୟାମିଲି, ମୋ ଫ୍ୟାମିଲି’ରେ ନବାଗତ ଅଭିଜିତ ଦାସଙ୍କୁ ନାୟକ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ରୀୟା ଦେ ଏହି ସିନେମାର ନାୟିକା। ରଣଜିତ ମହାନ୍ତି ଏହି ଚଳଚ୍ଚିତ୍ରର ନିର୍ଦେଶନା ଦାୟିତ୍ବରେ ଅଛନ୍ତି।
ନିର୍ଦେଶକ ନିରଞ୍ଜନ ବେହେରାଙ୍କ ‘ହୀରୋ ନଂ ଜିରୋ’ରେ ନବାଗତା ଖୁସି ଅଛନ୍ତି ନାୟିକା ଭୂମିକାରେ। ଏଥିରେ ଜ୍ୟୋତିଙ୍କ ବିପକ୍ଷରେ ତାଙ୍କୁ ଦେଖିବାକୁ ମିଳିବ।
ଲୋକପ୍ରିୟ ନାୟକ ସ୍ବରାଜଙ୍କୁ ଏ ବର୍ଷ ଜଣେ ନୂଆ ମୁମ୍ବାଇର ମଡେଲଙ୍କ ବିପକ୍ଷରେ ଦେଖିବାକୁ ପାଇପାରନ୍ତି ଦର୍ଶକ।

ଅଭିଷେକ ବେଉରା

ବର୍ଷ ଓଡ଼ିଆ ସିନେମା ‘ପଗଲୁ’ରେ ବି ଦର୍ଶକ ଜଣେ ନବାଗତ ନାୟକ ଅଭିଷେକ ବେଉରାଙ୍କୁ ଭେଟିବେ। ଏଥିରେ ପ୍ରକୃତି ମିଶ୍ରଙ୍କ ବିପକ୍ଷରେ ନଜର ଆସିବେ ଅଭିଷେକ। ଜଗନ୍ନାଥ ପାଟଯୋଶୀ ମହାପାତ୍ର ଏହାର ପ୍ରଯୋଜକ । ରାମ ପ୍ରସାଦ ସାମଲ ଏହାର ନିର୍ଦ୍ଦେଶକ।ନୂଆ ଓଡ଼ିଆ ସିନେମା ‘କିଏ ହେବ ମୋ’ ହରୋଇନ୍’ରେ ଜଣେ ନବାଗତ କଳାକାର ସୋନମଙ୍କୁ ଦର୍ଶକ ଏବର୍ଷ ଦେଖିବାକୁ ପାଇବେ। ଏଥିରେ ଅସିତ୍ ନାୟକ ଭୂମିକାରେ ଅଛନ୍ତି। ନବାଗତ ପ୍ରଶାନ୍ତ ଲେଙ୍କା ଏହାର ନିର୍ଦେଶକ। ନାରାୟଣ ଘଡ଼େଇଙ୍କ ନିର୍ଦେଶିତ ‘ଅଫିସର୍’ରେ ନବାଗତ ନବୀନ ଏବଂ ନବାଗତା ନାଗଜାଙ୍କୁ ବଡ଼ ପରଦାରେ ଦେଖି ପାରନ୍ତି ଦର୍ଶକ ।

 

‘ରାମ ନାମ ସତ୍ୟ ହେ’ରେ ସାଜନ୍ ଏବଂ ନମିତା

ଜିତୁ ରାଉତଙ୍କ ନିର୍ଦେଶିତ ‘ରାମ ନାମ ସତ୍ୟ ହେ’ରେ ନବାଗତ ସାଜନ୍ ଏବଂ ନବାଗତା ନମିତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିପାରେ।

‘ତୁ ମୋ’ ଡ୍ରିମ୍ ଗାର୍ଲ’ଟାଇଟଲରେ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ଏ ବର୍ଷ ମୁକ୍ତିଲାଭ କରିପାରେ। ଜି ଡିଏସ୍ ଫାଉଣ୍ଡେସନ୍ ଟ୍ରଷ୍ଟ୍ ବ୍ୟାନରରେ ନିର୍ମିତ ଏହି ସିନେମାର ଚିତ୍ରନାଟ୍ୟ ଓ ନିର୍ଦେଶନା ଦାୟିତ୍ୱ ବହନ କରିଛନ୍ତି ପି.ପ୍ରଭାକର। ଏହି ରୋମାଣ୍ଟିକ୍ ସିନେମାରେ ନବାଗତ ଶୁଭମ୍ ଅଛନ୍ତି ନାୟକ ଭୂମିକାରେ। ତାଙ୍କ ବିପକ୍ଷରେ ଏହି ଓଡ଼ିଆ ଛବିରେ ନାୟିକାଭାବେ ନଜର ଆସିବେ ନବାଗତା କଳ୍ପନା ।

ଅନିକେତ

‘ଲଭ୍ ଇନ୍ କ୍ୟାପିଟାଲ୍’ ସିନେମାରେ ନବାଗତ ନାୟକ ଅନିକେତଙ୍କୁ ବି ଏ ବର୍ଷ ଦେଖିପାରନ୍ତି ଦର୍ଶକ।
ଏତଦବ୍ୟତୀତ ଆଉ କେତେକ ନବାଗତ କଳାକାରଙ୍କୁ ବି ୨୦୨୦ର ଓଡ଼ିଆ ସିନେମାରେ ଦେଖିବାକୁ ମିଳିପାରେ।

ସମ୍ବନ୍ଧିତ ଖବର