ଫୁର୍‌ସତ୍‌ ନାହିଁ ଏହି ଓଲିଉଡ୍‌ ନାୟିକାଙ୍କୁ

ଏବେ କେଉଁ ଓଲିଉଡ଼୍‍ ନାୟିକାଙ୍କ ହାତରେ ସବୁଠାରୁ ବେଶି ଓଡ଼ିଆ ସିନେମା ରହିଛି ବୋଲି ଯଦି ପ୍ରଶ୍ନ କରାଯାଏ, ତେବେ ଉତ୍ତର ହେବ ଏଲିନା ସାମନ୍ତ ରାୟ। ହଁ, ଏଲିନାଙ୍କର ଗୋଟିଏ ଫିଲ୍ମ ରିଲିଜ୍‌ ନ ହେଉଣୁ ତାଙ୍କୁ ମିଳିଯାଉଛି, ଅନ୍ୟ ଏକ ସିନେମା। ଏମିତି ପ୍ରାୟ ଏଲିନାଙ୍କ କ୍ଷେତ୍ରରେ ଘଟୁଛି। ତାଙ୍କୁ ଫୁର୍‌ସତ୍‌ ମିଳୁନାହିଁ ବୋଲି କୁହାଯାଇପାରେ। ଚଳିତବର୍ଷ ଜାନୁଆରିରେ ଏଲିନାଙ୍କ ଅଭିନୀତ ଫିଲ୍ମ ‘ହାପି ଲକି’ରିଲିଜ୍‌ ହୋଇଛି। ତେବେ ତାଙ୍କର ଅନ୍ୟ ଏକ ସିନେମା ‘ଟୋକାଟା ଫସିଗଲା’ର ପୋଷ୍ଟ୍‍ ପ୍ରଡକସନ୍‌ କାମ ଶେଷ ପର୍ଯ୍ୟାୟରେ ରହିଛି। ଏହି ଫିଲ୍ମ ଜରିଆରେ ଏଲିନା ସାର୍ଥକ ମ୍ୟୁଜିକ୍‌ ବ୍ୟାନର୍‌ରେ ଏଣ୍ଟ୍ରି କରିଛନ୍ତି। ଏହାର ନିର୍ଦେଶନା ଦେଇଛନ୍ତି ରମେଶ ରାଉତ। ସୀତାରାମ ଅଗ୍ରଓ୍ଵାଲ୍‌ଙ୍କ ପ୍ରଯୋଜିତ ‘ଟୋକାଟା ଫସିଗଲା’ରେ ପ୍ରଥମ ଥର ପାଇଁ ସବ୍ୟସାଚୀଙ୍କ ସହ ନଜର ଆସିବେ ଏଲିନା।

ଇତିମଧ୍ୟରେ ଏଲିନାଙ୍କୁ ମିଳିଯାଇଛି ପୁଣି ଦୁଇଟି ନୂଆ ଓଡ଼ିଆ ସିନେମା। ଏଥି ମଧ୍ୟରୁ ଗୋଟିଏ ହେଲା ‘ହର ହର ମହାଦେବ’। ଏହାର ନିର୍ଦ୍ଦେଶନା ଦେୁଛନ୍ତି ଦିଲୀପ ପଣ୍ଡା। ଏହି ସିନେମାରେ ଏଲିନା ଦ୍ୱିତୀୟ ଥର ଲାଗି ନାୟକ ଜ୍ୟୋତିଙ୍କ ବିପକ୍ଷରେ ନାୟିକା ବନିଛନ୍ତି। ଏହା ପୂର୍ବରୁ ଜ୍ୟୋତି-ଏଲିନାଙ୍କ ଯୋଡ଼ିକୁ ଦର୍ଶକ ଚଳିତ ବର୍ଷ ରିଲିଜ୍‌ ହୋଇଥିବା ‘ହାପି -ଲକି’ରେ ଦେଖିବାକୁ ପାଇଛନ୍ତି ଦର୍ଶକ।

ଏବେ ଏଲିନାଙ୍କୁ ଆଉ ଯେଉଁ ସିନେମା ମିଳିଛି, ତାହାର ନାମକରଣ ହୋଇନାହିଁ। ଏହି ଫିଲ୍ମରେ ସେ ପୁଣି ସବ୍ୟସାଚୀଙ୍କ ସାଥ୍‌ ପାଇବେ ବୋଲି ଜଣାଯାଇଛି। ଏହି ସିନେମାର ପ୍ରଯୋଜନା କରଛନ୍ତି ବସନ୍ତ ସାହୁ। ଏହି ଫିଲ୍ମଟି ଖୁବ୍‌ ଶୀଘ୍ର ଫ୍ଲୋର୍‌କୁ ଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର