ଏହି ସଙ୍ଗୀତ ନିର୍ଦ୍ଦେଶକଙ୍କ କୌଣସି ବି ସିନେମାରେ କଣ୍ଠଦାନ କରି ନାହାନ୍ତି ଲତା ମଙ୍ଗେସକର୍‌ !

ମୁମ୍ବାଇ: ଓ.ପି ନୈୟର୍‌ ଏଭଳି ଜଣେ ସଙ୍ଗୀତ ନିର୍ଦ୍ଦେଶକ,ଯିଏକି ନିଜ ଶୈଳୀରେ ଜୀବନ ଅତିବାହିତ କରିବାକୁ ଭଲ ପାଉଥିଲେ। ୧୯୫୦ ଓ ୧୯୬୦ ଦଶକରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଓ.ପି.ନୈୟର୍‌ ନିଜର ଏକ ଭିନ୍ନ ଇମେଜ୍‌ ତିଆରି କରିଥିଲେ।

ଓ.ପି ନୈୟର ବିଧିବଦ୍ଧ ଭାବେ ସଙ୍ଗୀତର କୌଣସି ଶିକ୍ଷା ଗ୍ରହଣ କରି ନ ଥିଲେ ହେଁ ,ତାଙ୍କର ଅନେକ ଗୀତ ଆଜି ବି ବେଶ୍‌ ଲୋକପ୍ରିୟ। ସେ ଫିଲ୍ମ ସଙ୍ଗୀତକୁ ଆଧୁନିକତାର ରୂପ ମଧ୍ୟ ଦେଇଥିଲେ। ତେବେ ଏକ ବିସ୍ମୟକର ପ୍ରସଙ୍ଗ ହେଲା ଯେ ଓପି.ନୈୟର ସୁପ୍ରିସଦ୍ଧ କଣ୍ଠଶିଲ୍ପୀ ଲତା ମଙ୍ଗେସକର୍‌ଙ୍କୁ କେବେ ବି କୌଣସି ଗୀତରେ ଗାଇବାର ସୁଯୋଗ ଦେଇ ନଥିଲେ । ତାଙ୍କ ସିନେମାରେ ଗୀତା ଦତ୍ତ,ଆଶା ଭୋଁସଲେ,ସମସାଦ୍‌ ବେଗମ୍‌ ଙ୍କ ଭଳି ନାମୀ ଗାୟିକାମାନେ କଣ୍ଠଦାନ କରିଥିଲେ। ତାଙ୍କ ସ୍ୱର ସଂଯୋଜନାରେ ପଞ୍ଜାବୀ ଲୋକ ଶୈଳୀ ଓ ଘୋଡ଼ା ଟାପୁ ଥିବା ଧୂନ୍‌ର ବିଶେଷ ପ୍ରୟୋଗ ରହୁଥିଲା

ଗୁରୁ ଦତ୍ତଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଆର୍‌-ପାର୍‌’ ତାଙ୍କ କ୍ୟାରିଅର୍‌ର ପ୍ରାଥମିକ ପର୍ଯ୍ୟାୟର ସଫଳ ସିନେମା ଥିଲା। ଏହି ସିନେମାର ସଙ୍ଗୀତ ଓ.ପି ନୈୟରଙ୍କୁ ଆଗଧାଡ଼ିର ସଙ୍ଗୀତକାରର ମାନ୍ୟତା ଦେଇଥିଲା।ଏହି ଫିଲ୍ମର ଗୀତ ବାବୁଜୀ ଧୀରେ ଚାଲ୍‌ନା……ସୁନ୍‌ସୁନ୍‌ ଜାଲିମା ……,କଭି ଆର୍‌ କଭି ପାର୍‌….ଇତ୍ୟାଦି ଖୁବ୍‌ ଲୋକପ୍ରିୟ ହୋଇଥିଲା। ଗୁରୁଦତ୍ତଙ୍କ ବହୁଚର୍ଚ୍ଚିତ ସିନେମା ଦ ମିଷ୍ଟର ଆଣ୍ଡ ମିସେସ୍‌ ୫୫,ସିଆଇଡ଼ି ଭଳି ଫିଲ୍ମରେ ବି ସଙ୍ଗୀତ ଦେଇଥିଲେ। ୧୯୫୭ରେ ମୁକ୍ତିଲାଭ କରିଥିବା ଶମ୍ମୀ କପୁର ଅଭିନୀତ ସିନେମା ‘ତୁମ୍‌ସା ନେହିଁ ଦେଖା’ରେ ଓ.ପି ନୈୟର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ.ପି ନୈୟର। ଏହାର ଗୀତ ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇଥିଲା।

photo-hindustantimes.com

ଏହାପରେ ସେ କାଶ୍ମୀର କି କଲି,ମେରେ ସନମ୍‌, ଫିର୍‌ ବହି ଦିଲ୍‌ ଲାୟା ହୁଁ ଭଳି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ବି.ଆର୍‌ ଚୋପ୍ରାଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ନୟା ଦୌର୍‌’ ମଧ୍ୟ ଓ.ପି ନୈୟରଙ୍କ ସଙ୍ଗୀତ ନିର୍ଦ୍ଦେଶିତ ଅନ୍ୟତମ ଉଲ୍ଲେଖନୀୟ ସିନେମା।ଏହି ଫିଲ୍ମରେ ଥିବା ଗୀତ ଉଡ଼େ ଉଡ଼େ ଜବ୍‌ଜବ୍‌ ଜୁଲଫେଁ ତେରି ,ଏଦେଶ ହେ ବୀର ଜବାନୋଁ କା….,ଇତ୍ୟାଦି ମଧ୍ୟ ଲୋକପ୍ରିୟତାର ଚରମ ସୀମାରେ ପହଞ୍ଚଥିଲା।

ହିନ୍ଦୀ ସିନେମା ଜଗତର ଏହି ପ୍ରଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଓ.ପି.ନୈୟର ୨୦୦୭ ମସିହା ଜାନୁଆରି ୨୮ ତାରିଖରେ ଇହଧାମ ତ୍ୟାଗ କରିଥିଲେ।

 

ସମ୍ବନ୍ଧିତ ଖବର