ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି

ବିଶେଷ: ଶିବଶଙ୍କର ଓଝା

ଭୁବନେଶ୍ବର: ଚଳିତ ବର୍ଷ ଓଡ଼ିଆ ସିନେ ଜଗତର ଲୋକପ୍ରିୟ ନାୟିକାମାନଙ୍କର ବେଶ୍ କେତୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ତେବେ ଆସନ୍ତୁ ଜାଣିବା, ଏମାନଙ୍କ ଭିତରୁ କାହାର କେଉଁ ସବୁ ସିନେମା ମୁକ୍ତିଲାଭ କରିବାର ସମ୍ଭାବନା ରହିଛି। ଏ ବର୍ଷ କାହାର ସବୁଠାରୁ ଅଧିକ ସିନେମା ରିଲିଜ୍ ହେବ, ତା’କୁ ନେଇ ବି ଆକଳନ କରିବା।
ଶିବାନୀ :- ୨୦୨୦ରେ ଶିବାନୀଙ୍କର ଦୁଇରୁ ଅଧିକ ଓଡ଼ିଆ ସିନେମା ମୁକ୍ତିଲାଭ କରିବ। ଗତ ବର୍ଷ ତାଙ୍କୁ ବଡ଼ ପରଦାରେ ନାୟିକା ଭାବେ ଦେଖିବାକୁ ମିଳି ନ ଥିଲା। ହେଲେ ତାଙ୍କ ଅଭିନୀତ ଗୋଟିଏ ସିନେମା ‘ବାବୁ ଭାଇଜାନ୍’ ଆଜି ମୁକ୍ତିଲାଭ କରିଛି। ଅନ୍ୟପକ୍ଷରେ ଶିବାନୀଙ୍କର ଅନ୍ୟ ଏକ ସିନେମା ’ଦିଲ୍ ମୋର ମାନେନା’ ବି ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହାଛଡ଼ା ସେ ଅନ୍ୟ ଏକ ଓଡ଼ିଆ ସିନେମାରେ କାମ କରିବେ ବୋଲି ସୂଚନା ମିଳିଛି। ଯାହା ଜଣାପଡ଼ୁଛି ଏ ବର୍ଷ ଶିବାନୀ ଚର୍ଚ୍ଚାରେ ରହିବେ।
ଅନୁଭା :-୨୦୨୦ରେ ଅନୁଭାଙ୍କ ଅଭିନୀତ ଦୁଇଟି ଓଡ଼ିଆ ସିନେମା ମୁକ୍ତିଲାଭ କରୁଥିବାର ସୂଚନା ରହିଛି। ଏହାଛଡ଼ା ସେ ଅନ୍ୟ ସିନେମାରେ ବି ଅଭିନୟ କରିପାରନ୍ତି , ଯାହା ଏ ବର୍ଷ ପରଦାକୁ ଆସିବ। ଅନୁଭାଙ୍କ ଅଭିନୀତ ‘ମୁଁ ପରଦେଶୀ ଚଢ଼େଇ’ ମୁକ୍ତିଲାଭ କରିଛି। ତା’ପଛକୁ ରହିଛି ଚିତ୍ତରଂଜନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ର, ଯେଉଁଥିରେ ଅମ୍ଳାନଙ୍କ ସହ ନଜର ଆସିବେ ଅନୁଭା।
ବର୍ଷା ପ୍ରିୟଦର୍ଶିନୀ : – ଓଲିଉଡର ଆଗଧାଡ଼ିର ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ‘କୁଇନ୍’ ମୁକ୍ତିଲାଭ ଅପେକ୍ଷାରେ ରହିଛି। ଏହାଛଡ଼ା ଏ ବର୍ଷ ସେ ଅନ୍ୟ ସିନେମାରେ କାମ କରିପାରନ୍ତି।
ରୀୟା ଦେ :- ଓଲିଉଡ଼ର ଚୁଲୁବୁଲି ନାୟିକା ରୀୟା ଦେଙ୍କର ଏ ବର୍ଷ ‘ଯୋଉଠି ଥିଲେ ବି ତୁ ମୋର’ ଏବଂ ‘ତୋ ଫ୍ୟାମିଲି, ମୋ ଫ୍ୟାମିଲି’ରିଲିଜ୍ ହୋଇପାରେ।


ମହିମା:- ‘ଚାଲ୍ ଟିକେ ଦୁଷ୍ଟ ହେବା’ ଜରିଆରେ ଓଲିଉଡରେ ପାଦ ଥାପିଥିବା ମହିମାଙ୍କର ତିନିଟି ଓଡ଼ିଆ ସିନେମା ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏଗୁଡ଼ିକ ହେଲା ‘ଲଭ୍ ୟୁ ପ୍ରିୟା’, ‘କିଏ ହେବ ମୋ’ ହିରୋଇନ୍’ ଏବଂ ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’।

ଝିଲିକ୍ : – ୨୦୨୦ରେ ଝିଲିକଙ୍କର ବି ଦୁଇଟି ଓଡ଼ିଆ ସିନେମା ମୁକ୍ତିଲାଭ କରିବାର ସୂଚନା ରହିଛି। ଏଥିମଧ୍ୟରୁ ପ୍ରଥମଟି ହେଲା ‘ବାଜିବ ଲୋ ସାହାନାଇ’ ଓ ଦ୍ବିତୀୟଟି ହେଲା ‘ମିଷ୍ଟର କହ୍ନେୟା’। ଏହାଛଡ଼ା ତାଙ୍କ ଅଭିନୀତ ‘ଆଇ ଲଭ ୟୁ-୨’ ବି ଅଟକି ରହିଛି।

ତମନ୍ନା :- ଓଲିଉଡର ଜଣାଶୁଣା ନାୟିକା ତମନ୍ନାଙ୍କୁ ବି ଏ ବର୍ଷ ଦୁଇରୁ ଅଧିକ ଓଡ଼ିଆ ସିନେମାରେ ଦେଖିବାକୁ ମିଳିପାରେ। ଏଥିମଧ୍ୟରୁ ଦୁଇଟି ସିନେମା ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହା ହେଲା ଅମ୍ଳାନଙ୍କ ସହ ‘ରୋମିଓ ରାଜା’ ଓ ଜ୍ୟୋତିଙ୍କ ବିପକ୍ଷରେ ‘ସୁପର ବୟ’। ଏହାଛଡ଼ା ତାଙ୍କ ଅଭିନୀତ ‘ଲୁଚେଇ ଦେ ମୋତେ ଛାତି ଭିତରେ’ ବି ରିଲିଜ୍ ହୋଇପାରେ।

ନମ୍ରତା :- ଅଳ୍ପ ପରିଚିତା ନାୟିକା ନମ୍ରତା ସିଂହଦେଓଙ୍କର ଦୁଇଟି ଓଡ଼ିଆ ସିନେମା ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହା ହେଲା ଏନ୍ ପାଢ଼ୀଙ୍କ ନିର୍ଦ୍ଦେଶିତ ‘ମନେ ମନେ ମନ ଖୋଜୁଥିଲା’ ଓ ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ତୋ’ ପାଇଁ ଫେରିବି ବସୁଧା ଚିରି’।
ଦେବଯାନୀ :- ଏ ବର୍ଷ ଦେବଯାନୀଙ୍କର ଦୁଇରୁ ଅଧିକ ଓଡ଼ିଆ ସିନେମା ମୁକ୍ତିଲାଭ କରିପାରେ। ଏଥିମଧ୍ୟରୁ ଦୁଇଟି ଓଡ଼ିଆ ଛବି ‘ଇନ୍ଦ୍ରଜାଲ’ ଓ ‘ଜଙ୍ଗଲ୍ ରାଜ୍’ ଫ୍ଲୋରରେ ରହିଛି।


ଏତଦ୍ ବ୍ୟତୀତ ୨୦୨୦ରେ ସୂରମୟୀଙ୍କ ଅଭିନୀତ ‘କ୍ରେଜି ଫୋର୍’ ଜୟାଙ୍କ ଅଭିନୀତ ‘ଆଶିକ୍ ସରେଣ୍ଡର୍ ହେଲା’ , ଲିପ୍ସାଙ୍କ ‘ତୁ ଭାରି ବିଉଟି ଫୁଲ୍’, ଶ୍ରଦ୍ଧାଙ୍କ ଅଭିନୀତ ‘ରାଜା ସାହିବା’, ଜୀନାଙ୍କ ‘ରଘୁ ସର୍ଦ୍ଦାର’ ସୁଶ୍ରୀଙ୍କ ‘ଚାହିଁଥିବି ତତେ ହଜାରେ ବରଷ’ ଆଦି ସିନେମା ମୁକ୍ତିଲାଭ କରିପାରେ। ଅର୍ଚ୍ଚିତା , ଶୀତଲ, ଭୂମିକା ଓ ସନମୀରାଙ୍କ ଭଳି ନାମୀ ନାୟିକାମାନଙ୍କର ସିନେମା ବି ପରଦାକୁ ଆସିପାରେ ଏ ବର୍ଷ।
ତେବେ ୨୦୨୦ ବର୍ଷ ଶେଷରେ ଜଣାପଡ଼ିବ, ପ୍ରକୃତରେ କେଉଁ ନାୟିକାଙ୍କୁ ସର୍ବାଧିକ ସିନେମାରେ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର