ଏକ ରାଜନୈତିକ କାହାଣୀକୁ ନେଇ ତିଆରି ହୋଇଥିବା ଓଡ଼ିଆ ଫିଲ୍ମ ‘ଯୋଗୀ’ ଚଳିତ ମାସର ଶେଷ ଆଡ଼କୁ ରିଲିଜ୍ ହୋଇପାରେ ବୋଲି ଶୁଣା ଯାଉଛି, ଯଦିଓ ଏ ପ୍ରସଙ୍ଗରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ବିଧିବଦ୍ଧ ଭାବେ ଏଯାଏ କୌଣସି ଘୋଷଣା କରା ଯାଇନାହିଁ। ଆପଣ ଜାଣନ୍ତି, ରେଞ୍ଜ୍ ରୟାଲ୍ ସିନେ ଲ୍ୟାବ୍ ବ୍ୟାନର୍ରେ ତିଆରି ‘ଯୋଗୀ’ର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା। ନିର୍ଦ୍ଦେଶକ ହେଉଛନ୍ତି ନିରଞ୍ଜନ ବେହେରା। ଏଥିରେ ଅଭିନୟ କରିଛନ୍ତି ବିଜୟ ମହାନ୍ତି, ମନୋଜ ମିଶ୍ର, ହର ରଥ, ଆର୍ୟାନ୍, ନିକିତା, ସ୍ମିତା ମହାନ୍ତି, ଜୟୀରାମ ସାମଲ, ଦେବୁ ବ୍ରହ୍ମା, ବ୍ରଜ ସିଂହ, ତୁଷାର, ଜଗା, ସରୋଜ ଦାସ, ପ୍ରେମାଞ୍ଜନ, ପ୍ରଜ୍ଞା, ହାଡୁ, ପପି ସାନ୍ତୁକା, ସୁମନ, ଚୌଧୁରୀ ବିକାଶ ଦାସ ଓ ବିଜୁ ବଡ଼ଜେନା ପ୍ରମୁଖ। ନାୟିକା ଭୂମିକାରେ ଅଛନ୍ତି ନିକିତା। ଦ୍ୱିତୀୟ ନାୟିକା ଭୂମିକାରେ ଅଛନ୍ତି ମୁମ୍ବାଇରୁ ଆସିଥିବା ହଟ୍ ଅଭିନେତ୍ର ରୁମ୍ପା ସରକାର। ‘ଯୋଗୀ’ରେ ଆମେରିକାର କଲମ୍ବିଆରୁ ଆସିଥିବା ବିଦେଶିନୀ ଆଇଟମ୍ ଗାର୍ଲ ମାରିୟା ଏକ ଗୀତରେ ନୃତ୍ୟ କରିଥିବା କଥା ତ ଆମେ ଆଗରୁ ଜଣାଇ ସାରିଛୁ।
ରାମରାଜ୍ୟ ପ୍ରତିଷ୍ଠା ପାଇଁ ଜଣେ ସ୍ୱାଧୀନତା ସଂଗ୍ରାମୀର ସ୍ୱପ୍ନ ଓ ସଂଘର୍ଷର ଚିତ୍ର ଅଛି ଏ ଫିଲ୍ମରେ। ବାରମ୍ବାର ବିଫଳ ହୋଇ ମଧ୍ୟ ସେ ଚେଷ୍ଟା ଚଳାଇ ରଖିଛି ଓ ଶେଷରେ ସଫଳ ମଧ୍ୟ ହୋଇଛି। ସେ ସଫଳ ହେବାପରେ ପରିସ୍ଥିତି କିଭଳି ବଦଳି ଯାଇଛି, ‘ଯୋଗୀ’ରେ ତା’ର କାହାଣୀ ଅଛି। ଏ ଫିଲ୍ମ ଭିତରେ ଦର୍ଶକମାନେ ଦେଶର ଚଳନ୍ତି ରାଜନୈତିକ ସ୍ଥିତିର ଚିତ୍ର ଦେଖିବାକୁ ପାଇବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଦାବି କରା ଯାଉଛି।