ସୋସିଆଲ୍‌ ମିଡିଆରେ ହଇଚଇ ସୃଷ୍ଟି କରିଛି ‘ଖୁସି ତ!’ ମ୍ୟୁଜିକ୍‌ ର‍୍ୟାପ୍‌

ଭୁବନେଶ୍ୱର: ପୂର୍ବରୁ ଆମେ ଅନେକ ହିନ୍ଦି ଗୀତର ର‍୍ୟାପ୍‌ ଦେଖି ସାରିଛନ୍ତି। ଓଡ଼ିଆ ଗୀତକୁ ନେଇ ର‍୍ୟାପ୍‌ ହୋଇଥିବା କଥା ପ୍ରାୟ ବିରଳ। ନିକଟରେ ସୋସିଆଲ୍‌ ମିଡିଆରେ ଛାଇବାରେ ଲାଗିଛନ୍ତି ଓଡ଼ିଆ ପୁଅ ସମୀର ରିଷୁ ମହାନ୍ତି। ସମୀର ପୂର୍ବରୁ ଓଡ଼ିଆ ଗୀତ ‘ବୋଉ’, ‘ମୁଁ ହେଲି ଓଡ଼ିଆ’ ଆଦି ଶୀର୍ଷକରେ ର‍୍ୟାପ୍‌ କରି ସାରିଛନ୍ତି। ସେ ଓଡ଼ିଶାରେ ପ୍ରଥମେ ର‍୍ୟାପ୍‌ ବାହର କରି ଚର୍ଚ୍ଚାରେ ରହି ସାରିଛନ୍ତି। ଏଥର କରିଥିବା ର‍୍ୟାପ୍‌ରେ ସେ ଓଡ଼ିଶା ସଂପର୍କରେ ଏକ ଗୀତ କରି ତାହାକୁ ର‍୍ୟାପ୍‌ କରିଛନ୍ତି। ଗୀତ ଭିତରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ମହାବାତ୍ୟାରୁ ନେଇ ବିକାଶ ଆଦି ସବୁକିଛି ସ୍ଥାନ ପାଇଛି।

ଏହି ଗୀତଟିକୁ ସେ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ କରିବା ସହ ଏହା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉତ୍ସର୍ଗ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଶେଷରେ ସେ ମୁଖ୍ୟମନ୍ତ୍ରୀ ନବୀନଙ୍କର ଏକ ଭିଡିଓ କ୍ଲିପ୍‌କୁ ବି ଯୋଡ଼ିଛନ୍ତି ସେଥିରେ।

ସେ ତିଆରି କରିଥିବା ଏହି ନୂଆ ମ୍ୟୁଜିକ୍‌ ଭିଡିଓର ନାମ ଦେଇଛନ୍ତି ‘ଖୁସି ତ!’। ଓଡ଼ିଶାକୁ ନେଇ ନିଜ ମନରେ ଥିବା ଖୁସି ଓ ଗୌରବକୁ ସେ ଭିଡିଓ ଜରିଆରେ ପ୍ରକାଶ କରିଛନ୍ତି।

ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ଅନେକ ଲୋକ ସେୟାର୍‌ କରି ସାରିଲେଣି। ଭିଡିଓଟିକୁ ବହୁ ଲୋକପ୍ରିୟତା ମିଳିଛି ବୋଲି ଅନୁମାନ କରାଯାଉଛି। ପୋଷ୍ଟ ହେବାର ମାତ୍ର ୧୮ ଘଣ୍ଟା ମଧ୍ୟରେ ୧୨ ହଜାର ବ୍ୟବହାରକାରୀ ଭିଡିଓଟିକୁ ଦେଖି ସାରିଲେଣି। ପୂର୍ବରୁ ସେ କରିଥିବା ର‍୍ୟାପ୍‌ ଗୁଡ଼ିକ ବି ସଫଳ ହୋଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର