ଜାଣନ୍ତୁ ଓଡ଼ିଆ ଝିଅ ସ୍ୱପ୍ନାଙ୍କ ସ୍ୱପ୍ନ କ’ଣ

ଢେଙ୍କାନାଳର ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ମିଆଁମାର୍‌ର ୟାନ୍‌ଗୋନ୍‌ରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତା- ମିସ୍‌ ଟୁରିଜମ୍‌ ଆଣ୍ଡ୍‌ କଲ୍‌ଚର୍‌ ୟୁନିଭର୍ସରେ ସେ ଭାରତର ପ୍ରତିନିଧିତ୍ୱ କରି ତୃତୀୟ ରନର୍‌ଅପ୍‌ ହୋଇଛନ୍ତି। କେବଳ ସେତିକି ନୁହେଁ, ମୂଳରୁ ସେଠାକାର ଦର୍ଶକଙ୍କର ମନ ଜିଣିଥିବା ସ୍ୱପ୍ନା ମିସ୍‌ ଫଟୋଜେନିକ୍‌ ମୁକୁଟ ମଧ୍ୟ ଜିଣିଛନ୍ତି।
ସ୍ୱପ୍ନାଙ୍କ ପୈତୃକ ଘର ଢେଙ୍କାନାଳର କୁଞ୍ଜକାନ୍ତରେ। କିନ୍ତୁ ପିଲାଦିନ ବିତିଛି ଛତିଶଗଡ଼ର ବିଳାଶପୁରରେ, ଯେଉଁଠି ତାଙ୍କ ବାପା ବ୍ୟାଙ୍କ୍‌ରେ ଚାକିରି କରନ୍ତି। ସେଠାକାର କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ୱପ୍ନା ଏବେ ଯୁକ୍ତଦୁଇ ବାଣିଜ୍ୟ ପଢୁଛନ୍ତି। ପିଲାଟିବେଳୁ ସ୍ୱପ୍ନା ଫ୍ୟାସନ୍‌ ଓ ମଡେଲିଂ ପ୍ରତି ଆକୃଷ୍ଟ। ଅତୀତରେ ସେ ମିସ୍‌ ଛତିଶଗଡ଼, ମିସ୍‌ ଟିନ୍‌ ଇଣ୍ଡିଆ ଏବଂ କିଟ୍‌ ନହ୍ନିପରୀ ଆଦି ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ମଧ୍ୟ ହୋଇଛନ୍ତି।

ସ୍ୱପ୍ନା ନୃତ୍ୟରେ ମଧ୍ୟ ପ୍ରବୀଣା। ଭବିଷ୍ୟତରେ ସେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାଲାଗି ଲକ୍ଷ୍ୟ ରଖିଛନ୍ତି। ତା’ ସହିତ ଅଭିନୟକୁ ପେସା କରିବାର ଯୋଜନା ମଧ୍ୟ ରହିଛି। ସେ କହନ୍ତି, ଭଲ କାହାଣୀ ଏବଂ ଭଲ ଭୂମିକା ମିଳିଲେ ସେ ଓଡ଼ିଆ ଫିଲ୍ମରେ ଅଭିନୟ କରିବା କଥା ନିଶ୍ଚୟ ଚିନ୍ତା କରିବେ। କେବଳ ଓଡ଼ିଆ ବା ବଲିଉଡ୍‌ ଫିଲ୍ମରେ ନୁହେଁ, ତାଙ୍କର ସ୍ୱପ୍ନ ଆହୁରି ଉଚ୍ଚ; ସେ ହଲିଉଡ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିବାଲାଗି ସ୍ୱପ୍ନ ଦେଖନ୍ତି। ଉଲ୍ଲେଖଯୋଗ୍ୟ ଯେ ସୌନ୍ଦର୍ଯ୍ୟ, ଆତ୍ମବିଶ୍ୱାସ ସହିତ ପ୍ରଥମ ସାକ୍ଷାତରେ ସ୍ୱପ୍ନାଙ୍କ ଆଉ ଗୋଟିଏ କଥା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ, ତା’ ହେଉଛି ତାଙ୍କର ଉଚ୍ଚତା। ୧୮ ବର୍ଷରେ ଏଇମାତ୍ର ପାଦ ଦେଇଥିବା ସ୍ୱପ୍ନାଙ୍କର ଉଚ୍ଚତା ୫ ଫୁଟ୍‌ ୮ ଇଞ୍ଚ୍‌ରୁ ଅଧିକ। ସ୍ୱପ୍ନା ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ଙ୍କର ଜଣେ ବଡ଼ ପ୍ରଶଂସିକା। ଅଭିନେତାଙ୍କ ଭିତରେ ରଣବୀର କପୁର୍‌ ତାଙ୍କର ପସନ୍ଦ। ଖୁବ୍‌ ଅଳ୍ପ ଓଡ଼ିଆ ଫିଲ୍ମ ଦେଖିଥିବା ସ୍ୱପ୍ନା ଓଡ଼ିଆ ତାରକାମାନଙ୍କ ଭିତରୁ ଅର୍ଚ୍ଚିତା, ମିହିର ଦାସ ଓ ଅପରାଜିତାଙ୍କୁ ଭଲ ପାଆନ୍ତି।
ସ୍ୱପ୍ନାଙ୍କ ସ୍ୱପ୍ନ ସାକାର ହେଉ, ଆମେ କାମନା କରୁଛୁ।

ସମ୍ବନ୍ଧିତ ଖବର