ଓଡ଼ିଆ ମେଗା ଧାରାବାହିକ ‘ରାନୀ’ର ରାଜାଙ୍କୁ ଜାଣନ୍ତୁ

ଭୁବନେଶ୍ୱର: ଆଜିକାଲି ଅଧିକାଂଶ ଟେଲି ଧାରାବାହିକରେ ନୂଆ ନାୟକ-ନାୟିକାଙ୍କୁ ନିଆଯାଉଛି। ଏହି କ୍ରମରେ ସଂପ୍ରତି ତରଙ୍ଗ ଚାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ ରାନୀ’ରେ ନାୟକ ରାଜା ଭୂମିକାରେ ଦେଖିବାକୁ ମିଳୁଛି ଜଣେ ନୂଆ କଳାକାରଙ୍କୁ। ତାଙ୍କର ପ୍ରକୃତ ନାମ ହେଉଛି ମହାପ୍ରସାଦ କର । ତାଙ୍କର ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ ବ୍ଲକର ଦେଶପୁର ଗ୍ରାମରେ, କିନ୍ତୁ ଏବେ ସେ ରହୁଛନ୍ତି ଭୁବନେଶ୍ୱରରେ । ୧୯୯୬ ମସିହା ଅପ୍ରେଲ ୨୯ ତାରିଖରେ ତାଙ୍କର ଜନ୍ମ। ଏହି ଉଦୀୟମାନ ନାୟକ ମହାପ୍ରସାଦଙ୍କର ଏକ କଳାକାର ପରିବାରରେ ଜନ୍ମ ।
ତାଙ୍କ ବାପାଙ୍କ ନାମ ସାରଦା ପ୍ରସନ୍ନ କର ଓ ମାଆ ହେଲେ ମଞ୍ଚଶ୍ରୀ ଭାରତୀଲକ୍ଷ୍ମୀ କର । ତାଙ୍କ ବାପାଙ୍କ ଜେଜେ ହେଉଛନ୍ତି ପ୍ରଖ୍ୟାତ ପାଲା ଗାୟକ ( ଗାୟକ ଶିରୋମଣି) ନିରଞ୍ଜନ କର । ସେ ପ୍ରାଣୀ ବିଜ୍ଞାନ ଅନର୍ସରେ ବି.ଏସ୍‌.ସି ପାସ୍‌ କରିଛନ୍ତିି ।
ତାଙ୍କୁ କିପରି‘ ରାନୀ’ରେ ନାୟକ ଭୂମିକା କିପରି ମିଳିଥିଲା ବୋଲି ପ୍ରଶ୍ନ କଲେ ମହାପ୍ରସାଦ କହନ୍ତି ,‘ ମୁଁ ଭୁବନେଶ୍ୱରରେ ଥାଏ । ହଠାତ୍‌ ଜାଣିବାକୁ ପାଇଲି ଯେ ତରଙ୍ଗ ଚାନେଲ ପକ୍ଷରୁ ଏକ ଅଡିସନ୍‌ ହେଉଛି । କଳାକାର ମନୋନୟନ ଚାଲିଛି । ଏଣୁ ମୁଁ ସେଠାକୁ ଯାଇଥିଲି ଓ ଅଡିସନ୍‌ ରେ ଅଂଶ ଗ୍ରହଣ କରିଥିଲି । ସେତେବେଳେ ଯାଏଁ ମତେ ଜଣାନଥିଲା ଯେ ମେଗା ସିରିଅଲ୍‌ ‘ ରାନୀ’ ପାଇଁ ଅଡିସନ୍‌ ହେଉଛି । ସେ ଯାହା ହେଉନା କାହିଁକି ମୁଁ ସେଥିରେ କୃତକାର୍ଯ୍ୟ ହେଲି ଏବଂ ମୋତେ ‘ ରାନୀ’ ସିରିଏଲ୍‌ ରେ ରାଜା ଭୂମିକା ମିଳିଲା ।


ମୁଁ ଆଜିଯାଏଁ ଏହି ଧାରାବାହିକରେ ଯାହା ବି ଅଭିନୟ କରିଛି , ସେତିକି ପ୍ରଶଂସା ପାଇଛି ।ତା’ହା କେବଳ ସମ୍ଭବ ହୋଇଛନ୍ତି ନିର୍ଦ୍ଦେଶକ ବିଶ୍ୱରଞ୍ଜନ ମହାନ୍ତିଙ୍କ ପାଇଁ ମୁଁ ତାଙ୍କୁ ‘ ବାପା’ ବୋଲି ସମ୍ବୋଧନ କରେ । ଆଉ ସେ ବି ମୋତେ ନିଜ ପୁଅ ଭଳି ସ୍ନେହ କରନ୍ତି ।’
ନିଜର ଡ୍ରିମ୍‌ ରୋଲ୍‌ ସଂପର୍କରେ ସେ କହନ୍ତି ଗୋଟିଏ ପୁଲିସ ଅଫିସରର ଚରିତ୍ର ନିଭାଇବାକୁ ଚାହୁଁଛି, ଯାହାର ଆରମ୍ଭ ନେଗେଟିଭ୍‌ ଓ ପରେ ପଜିଟିଭି ରୋଲରେ ପରିଣତ ହେଉଥିବ । ।
ତାଙ୍କ ପାଖକୁ କେତୋଟି ଓଡ଼ିଆ ସିନେମାରେ ହିରୋ ରୋଲ୍‌ର ଅଫର୍‌ ଆସିଥିଲା, ହେଲେ ସେ ମନା କରିଛନ୍ତି। କାରଣ ଯେଉଁ ସିରିଏଲ୍‌ ପାଇଁ ଆଜି ଲୋକପ୍ରିୟତା ପାଇଛନ୍ତି ତାକୁ ଏତେ ଶୀଘ୍ର ଛାଡିବାକୁ ଇଚ୍ଛା ହେଲାନି ମହାପ୍ରସାଦଙ୍କର ।
ତେବେ ଜୀବନର ଶେଷ ମୁହୂର୍ତ୍ତ ଯାଏଁ ସବୁବେଳେ ଦର୍ଶକଙ୍କ ହୃଦୟରେ ଜଣେ ‘ନିଆରା ନାୟକ’ ହୋଇ ରହିବା ତାଙ୍କର ଅଭିଳାଷ ବୋଲି କହିଛନ୍ତି ମହାପ୍ରସାଦ କର। ଓଲିଉଡରେ ଅନୁଭବ ମହାନ୍ତି ଓ ବଲିଉଡରେ ସଲମାନ୍‌ ଖାନ୍‌ଙ୍କୁ ସେ ସବୁଠୁଁ ବେଶୀ ପସନ୍ଦ କରନ୍ତି ।
ଓଲିଉଡରେ ବର୍ଷା ପ୍ରିୟଦର୍ଶିନୀ ଓ ବଲିଉଡରେ ତାଙ୍କର ଫେବରିଟ୍‌ ହେଲେ ଶ୍ରଦ୍ଧା କପୁର ।

ସମ୍ବନ୍ଧିତ ଖବର