କାହିଁକି ‘ଯୋଗୀ’ ରାଜନୀତିରେ ପ୍ରବେଶ କରନ୍ତି? ଜାଣନ୍ତୁ ଏହି ଓଡ଼ିଆ ସିନେମାର କାହାଣୀରୁ

ଭୁବନେଶ୍ୱର : ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ  ସିନେମା ‘ଯୋଗୀ’ ଏ ବର୍ଷର ଏକ ବହୁ ପ୍ରତୀକ୍ଷିତ ସିନେମା। ଆସନ୍ତୁ ତାର କାହାଣୀର ଅଂଶ ବିଶେଷ ଜାଣିବା ।

ବାପା ଜଗବନ୍ଧୁ ମିଶ୍ର ଜଣେ ସ୍ୱାଧୀନତା ସଂଗ୍ରାମୀ । ସେ ଦେଶରେ ରାମରାଜ୍ୟର ସ୍ୱପ୍ନ ଦେଖନ୍ତି । କିନ୍ତୁ ଯେଉଁ ରାଜ୍ୟର ସେ ଅଧିବାସୀ ସେଭଳି କିଛି ଘଟେ ନାହିଁ ।ଜଗବନ୍ଧୁଙ୍କର ଦୁଇ ପୁଅ । ବଡପୁଅ ସଂଗ୍ରାମ ଓ ସାନ ପୁଅ ବିପ୍ଳବ । ଏମାନଙ୍କ ମଧ୍ୟରୁ ସଂଗ୍ରାମ ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ହେବାର ଅଳ୍ପଦିନ ଭିତରେ ସେ ଦୁର୍ନୀତିରେ ଲିପ୍ତ ହୁଅନ୍ତି । ଏହାର ପରିଣାମ ବି ତାଙ୍କୁ ଭୋଗିବାକୁ ପଡ଼େ । ନିର୍ବାଚନରେ ସଂଗ୍ରାମ ପରାଜିତ ହୋଇ ଗାଦିଚ୍ୟୁତ ହୁଅନ୍ତି ଓ ତାଙ୍କ ସ୍ଥାନରେ ଜଣେ ସମାଜସେବୀ ହୁଅନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । କିନ୍ତୁ ସେ ବି ସଂଗ୍ରାମଙ୍କଠାରୁ କୌଣସି ଗୁଣରେ କମ୍‌ ହୁଅନ୍ତି ନାହିଁ । ଅର୍ଥାତ୍‌ ମହିଳା ମୁଖ୍ୟମନ୍ତ୍ରୀ ବି ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣିତ ଅୁଅନ୍ତି । ଏହାପରେ ପୁଣି ନିର୍ବାଚନ ଅନୁଷ୍ଠିତ ହୁଏ ।
ସେହି ସମୟରେ ଲୋକେ ଚାହାଁନ୍ତି ଏମିତି ଜଣେ ବ୍ୟକ୍ତିଙ୍କୁ ଶାସନ ଦାୟିତ୍ୱ ଦେବେ, ଯିଏ କି ଭ୍ରଷ୍ଟାଚାର ମୁକ୍ତ ଶାସନ ଦେବ ଓ ନିଜେ ସ୍ୱଚ୍ଛ ଓ ନିର୍ମଳ ଓ ନିର୍ଲୋଭ ହୋଇଥିବେ । ଏଭଳି ପରିସ୍ଥିତିରେ ସମସ୍ତଙ୍କର ଦୃଷ୍ଟିରେ ଆସନ୍ତି ସ୍ୱାଧୀନତା ସଂଗ୍ରାମୀ ଜଗବନ୍ଧୁ ମିଶ୍ରଙ୍କ ସାନ ପୁଅ ବିପ୍ଲବ । ସେ କିନ୍ତୁ ଘରେ ରହନ୍ତି ନାହିଁ, କାରଣ ସନ୍ନ୍ୟାସ ବ୍ରତ ଅବଲମ୍ବନ କରିଛନ୍ତି । ତାଙ୍କୁ ସମସ୍ତେ ‘ ଯୋଗୀ’ ଭାବେ ଜାଣନ୍ତି ।


ଦିନେ ଯୋଗୀ ଓରଫ ବିପ୍ଲବ ଅନୁଭବ କରନ୍ତି ଯେ ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ପାଇଁ ତାଙ୍କର ରାଜନୀତିରେ ପ୍ରବେଶର ଆବଶ୍ୟକତା ରହିିଛି । ତା’ଛଡା ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ତାଙ୍କୁ ଏହା କରିବାକୁ ପଡ଼ିବ । ତେବେ ଯୋଗୀ କ’ଣ ନିଜର ଅଭିଳାଷ ପୂରଣ ଦିଗରେ ସଫଳ ହୁଅନ୍ତି? ତା’ର ଉତ୍ତର ମିଳିବ ‘ଯୋଗୀ’ ରେ । ଏହି ଓଡ଼ିଆ ଛବିରେ ବିପ୍ଲବ ଓରଫ ଯୋଗୀ ଭୂମିକାରେ ନଜର ଆସିବେ ଜଣାଶୁଣା ଅଭିନେତା ହର ରଥ । ଅପର ପକ୍ଷରେ ସ୍ୱାଧୀନତା ସଂଗ୍ରାମୀ ଜଗବନ୍ଧୁ ଭୂମିକାରେ ଅଛନ୍ତି ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଏବଂ ସଂଗ୍ରାମ ଚରିତ୍ର ନିଭାଇଛନ୍ତି ମନୋଜ ମିଶ୍ର ।

ସମ୍ବନ୍ଧିତ ଖବର