ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟକ ସିଦ୍ଧାନ୍ତଙ୍କ ବିପକ୍ଷରେ ଅନେକ ନାୟିକା ଅଭିନୟ କରିବାର ସୁଯୋଗ ପାଇଛନ୍ତି। ଏଥିମଧ୍ୟରୁ ଜଣେ ହେଲେ ପ୍ରିୟଙ୍କା ତ୍ରିବେଦୀ । ସେ ୧୯୭୭ ମସିହା ନଭେମ୍ବର ୯ ତାରିଖରେ କୋଲକାତାଠାରେ ଜନ୍ମ ହୋଇଥିଲେ।୧୯୯୭ରୁ ସିନେ ଜଗତରେ ପଦାର୍ପଣ କରିଥିଲେ ସେ । ତାଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ହଠାତୋ ବ୍ରିଷ୍ଟି (ବଙ୍ଗଳା)। ତେବେ ସୁପରହିଟ୍ ବଙ୍ଗଳା ଛବି‘ସାଥୀ’ ତାଙ୍କୁ ଷ୍ଟାର୍ ବନାଇଥିଲା।
ତେବେ ଆପଣ ଜାଣନ୍ତିକି ଏହି ଲୋକପ୍ରିୟ ନାୟିକାଜଣକ କେତୋଟି ଓଡ଼ିଆ ଛବିରେ ବି କାମ କରିଥିଲେ। ବଙ୍ଗଳା ସିନେମା ‘ସାଥୀ’ ରିଲିଜ୍ ହେବାପରେ ଓଡ଼ିଶାର ଲୋକପ୍ରିୟ ନିର୍ମାତା-ନିର୍ଦ୍ଦେଶକ ଅରୁଣ ମହାନ୍ତି ପ୍ରିୟଙ୍କା ତ୍ରିବେଦୀଙ୍କୁ ତାଙ୍କର ସୁପରହିଟ୍ ଛବି‘କଥା କହିବ ମୋ’ ମଥାସିନ୍ଦୁର’ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ଭୂମିକା ଦେଇ ଓଲିଉଡକୁ ଆଣିଥିଲେ । ସେ କଟକରେ ରହି ଏହି ସିନେମାର ସୁଟିଂ ବି କରିଥିଲେ।‘କଥା କହିବ ମୋ’ ମଥା ସିନ୍ଦୁର’ରେ ସିଦ୍ଧାନ୍ତ ଏବଂ ପ୍ରିୟଙ୍କାଙ୍କ ବ୍ୟତୀତ ମିହିର ଦାସ, ଅପରାଜିତା,ହର ପଟ୍ଟନାୟକ ପ୍ରମଖଙ୍କୁ ଦେଖିବାକୁ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ତାପରେ ସେ ସୁବାସ ରଥଙ୍କ ପ୍ରଯୋଜିତ ତଥା ରଜତ ପାଇକରାୟଙ୍କ ନିର୍ଦ୍ଦେଶିତ ‘କାଳଚକ୍ର’ରେ ବି ପୁଣିଥରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ । ଏହି ସିନେମାରେ ବି ସିଦ୍ଧାନ୍ତଙ୍କ ସହ ପ୍ରିୟଙ୍କାଙ୍କ ଯୋଡି ଜମି ଯାଇଥିଲା। କହିବା ବାହୁଲ୍ୟ ଯେ ଉଭୟ ଓଡ଼ିଆ ସିନେମାରେ ସେ ଲଗାତାର ଅଭିନୟ କରିଥିଲେ । ଓଲିଉଡରେ ପ୍ରିୟଙ୍କା ତ୍ରିବେଦୀଙ୍କୁ ଏହାପରେ ପୁଣି ଅଫର୍ ଦିଆଯାଇଥିଲା ମାତ୍ର ତାକୁ ସ୍ୱୀକାର କରି ନଥିଲେ ପ୍ରିୟଙ୍କା। ସେହି ସମୟରେ ଓଲିଉଡରେ ରଚନା ବାନାର୍ଜୀଙ୍କ ରାଜ୍ ଚାଲିଥିଲା। ପ୍ରଯୋଜକମାନେ ତାଙ୍କୁ ରଚନାଙ୍କ ପ୍ରତିଦ୍ୱନ୍ଦ୍ୱୀଭାବେ ବିବେଚନା କରିବା ଆରମ୍ଭ କରି ଦେଇଥିଲେ।ହେଲେ ସେ ଆଉ ଓଡ଼ିଆ ସିନେମାରେ କାମ କରିବାକୁ ଆଗ୍ରହ ଦେଖାଇ ନଥିଲେ। ଫଳତଃ ତାଙ୍କୁ ଅନ୍ୟ କୌଣସି ଓଡ଼ିଆ ସିନେମାରେ ଦେଖିବାକୁ ମିଳି ନାହିଁ । ଯଦି ପ୍ରିୟଙ୍କା ତ୍ରିବେଦୀ ଆଉ କେତେକ ଓଡ଼ିଆ ଛବିରେ କାମ କରିଥାନ୍ତେ ତେବେ ହୁଏତ ସେ ରଚନାଙ୍କ ଭଳି ଓଲିଉଡରେ ନମ୍ବର ଓ୍ଵାନ୍ ହୋଇଥାନ୍ତେ।
ଏହାପରେ ପ୍ରିୟଙ୍କା ତ୍ରିବେଦୀ ଦକ୍ଷିଣ ଭାରତୀୟ ଭାଷା ଯଥା ତେଲୁଗୁ ,ତାମିଲ୍ କନ୍ନଡ ଭାଷାରେ ନିର୍ମିତ ୫୦ରୁ ଉର୍ଦ୍ଧ୍ୱ ସିନେମାରେ ଅଭିନୟ କରି ସେଠାକାର ନାମୀଦାମୀ ନାୟିକା ବନିଛନ୍ତି । ସେ ସୌତେଲା ଏବଂ ଗୁରୁ ମହାଗୁରୁ ଭଳି କେତୋଟି ହିନ୍ଦୀ ସିନେମାରେ ବି କାମ କରିଛନ୍ତି । ଖାଲି ସେତିକି ନୁହେଁ ପ୍ରିୟଙ୍କା ତ୍ରିବେଦୀ ପ୍ରଖ୍ୟାତ କନ୍ନଡ୍ ତାରକା ଉପେନ୍ଦ୍ରଙ୍କୁ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି ।