ଭୁବନେଶ୍ୱର:ଓଲିଉଡକୁ ଅନେକ ସମୟରେ ବଙ୍ଗୀୟ ନାୟିକାମାନଙ୍କର ଆଗମନ ହେଉଛି। ଏମାନଙ୍କ ଭିତର ଅଧିକାଂଶ ଗୋଟିଏ ବା ଦୁଇଟି ଓଡ଼ିଆ ଛବିରେ କାମ କରି ଫେରି ଯାଆନ୍ତି ନିଜ ରାଜ୍ୟକୁ। ଆଉ କେତେକ ଏଠାରେ ତିନି ଚାରି ବର୍ଷ ଭାଗ୍ୟ ପରୀକ୍ଷା ମଧ୍ୟ କରିଥାନ୍ତି । ଏମାନଙ୍କ ଭିତରୁ ଜଣେ ହେଲେ ଅର୍ପିତା।
ଆପଣମାନେ ମନେ ରଖିଥାଇପାରନ୍ତି ଶୁଭେନ୍ଦୁ ସ୍ୱାଇଁଙ୍କ ନିର୍ଦେଶିତ ଶେଷ ଓଡ଼ିଆ ଛବି ‘ବନ୍ଦେ ଉତ୍କଳ ଜନନୀ ’ରେ ଜଣେ ନବାଗତା ବଙ୍ଗୀୟ ନାୟିକାଙ୍କୁ ସବ୍ୟସାଚୀଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏହି ସିନେମାରେ ଜବରଦସ୍ତ ଅଙ୍ଗପ୍ରଦର୍ଶନ କରି ଚର୍ଚାକୁ ଆସିଥିବା ନାୟିକା ଜଣକ ହିଁ ହେଲେ ଅର୍ପିତା ମୁଖାର୍ଜୀ। ଏହାପରେ ସେ ଅନୁଭବଙ୍କ ବିପକ୍ଷରେ ‘ମୁଁ କଣ ଏତେ ଖରାପ ’ରେ ସେ ନାୟିକା ବନିଥିଲେ।
ତାପରେ ସେ ବୁଦ୍ଧାଦିତ୍ୟଙ୍କ ସହ ‘ପ୍ରେମରୋଗୀ ’, ସବ୍ୟସାଚୀଙ୍କ ସହ ‘ ତୋର ମୋର ଯୋଡ଼ି ସୁନ୍ଦର ’ ଏବଂ ଆକାଶଙ୍କ ବିପକ୍ଷରେ ‘ ରାଜୁ ଆଓ୍ଵାରା ’ ଆଦି ଓଡ଼ିଆ ସିନେମାରେ ଅଭିନୟ କରି ଓଲିଉଡରେ ବେଶ୍ ଲୋପ୍ରିୟ ହୋଇଥିଲେ। ଏହି ନାୟିକା କେବଳ ସବ୍ୟସାଚୀଙ୍କ ସହ ଦୁଇଟି ସିନେମାରେ କାମ କରିଛନ୍ତି। କିନ୍ତୁ ତାଙ୍କୁ ପ୍ରାୟ ୪ ବର୍ଷ ହେଲା କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳି ନାହିଁ।ଅର୍ପିତା ଯେ କେବଳ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି ତା’ ନୁହେଁ ,ବରଂ ‘ ଜୋର ଯାର୍ ମୁଲକ୍ ତାର୍ ’, ‘ ପାର୍ଟନର୍ ’ ଏବଂ ‘ ମାମା ଭାଗନେ ’ ଆଦି ବଙ୍ଗଳା ଫିଲ୍ମରେ ବି କାମ କରିଛନ୍ତି। ତେବେ ଆଜିକାଲି କାହିଁକି ଓଲିଉଡରେ କାମ କରୁ ନାହାନ୍ତି ଅର୍ପିତା ବୋଲି ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ।
ଜଣାପଡ଼ିଛି ଯେ ଅର୍ପିତା ସଂପ୍ରତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ବ୍ୟସ୍ତ ଅଛନ୍ତି। ସେ ଇତି ମଧ୍ୟରେ ଏକ ତାମିଲ୍ ଫିଲ୍ମ ‘ ଚିନ୍ନାମା ଲଭ୍ ’ ରେ ନାୟିକା ଭାବେ ଅଭିନୟ କରି ସାରିଲେଣି। ଏହାଛଡ଼ା ତାଙ୍କ ହାତରେ ରହିଛି ଆଉ ଦୁଇଟି ସାଉଥ୍ ସିନେମା। ଦକ୍ଷିଣ ଭାରତରେ ସେ କ୍ୟାରିଅର୍ ଗଢ଼ିବାକୁ ଅଧିକ ଆଗ୍ରହୀ ହୋଇଥିବା ହେତୁ ଆଉ ଓଲିଉଡରେ ନଜର ଆସୁ ନାହାନ୍ତି ବେଙ୍ଗଲୀ ବିଉଟି ଅର୍ପିତା।