ଏ ବର୍ଷ ଏହି ଓଲିଉଡ ନାୟିକାମାନଙ୍କର ଏକାଧିକ ସିନେମା ରିଲିଜ୍‌ ହୋଇଛି

୨୦୧୭ ଶେଷ ହେବାକୁ ଯାଉଛି । ଏବର୍ଷ ଓଲିଉଡର ଅଧିକାଂଶ ନାୟକ, ନାୟିକାଙ୍କୁ ପରଦାରେ ଦେଖିବାକୁ ପାଇଛନ୍ତି ଦର୍ଶକ । ତେବେ ଆସନ୍ତୁ ଜାଣିବା କେଉଁ ନାୟିକାମାନଙ୍କର ଏକାଧିକ ସିନେମା ରିଲିଜ୍‌ ହୋଇଛି ଏ ବର୍ଷ…

ଅର୍ଚ୍ଚିତା: ଓଲିଉଡର ଟପ୍‌ ହିରୋଇନ୍‌ ଅର୍ଚ୍ଚିତାଙ୍କୁ ଦର୍ଶକ ୨୦୧୭ରେ ଦୁଇଟି ଓଡ଼ିଆ ସିନେମାରେ ଦେଖିବାକୁ ପାଇଛନ୍ତି । ଏହି ଦୁଇ ସିନେମା ହେଲା ‘ ଜଷ୍ଟ ମୋହବତ୍‌’, ଓ ‘ ଶିବା ନଟ୍‌ ଆଉଟ୍‌ ’ । ଏସ୍‌.କେ, ମୁରଲୀଧରନ୍‌ଙ୍କ ନିର୍ଦ୍ଦେଶିତ ‘ ଜଷ୍ଟ ମୋହବତ୍‌’ ରେ ଅର୍ଚ୍ଚିତାଙ୍କୁ ଆକାଶଙ୍କ ବିପକ୍ଷରେ ଦେଖିବାକୁ ମିଳିଥିବା ବେଳେ, ‘ ଶିବା ନଟ୍‌ ଆଉଟ୍‌’ ରେ ତାଙ୍କର ନାୟକ ଥିଲେ ଅରିନ୍ଦମ୍‌ ।


ଏଲିନା: ଚୁଲୁବୁଲି ନାୟିକା ଏଲିନା ସାମନ୍ତରାୟଙ୍କର ଗତ ଦୁଇ ବର୍ଷ ଭଳି ଏବର୍ଷ ବି ଏକାଧିକ ସିନେମା ରିଲିଜ୍‌ ହୋଇଛି । ତାଙ୍କୁ ୨୦୧୭ରେ ଅବତାର ସିଂହଙ୍କ ନିର୍ଦ୍ଦେଶିତ ‘ ମୁଁ ଖାଣ୍ଟି ଓଡ଼ିଆ ଝିଅ’, କେ. ମୁରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ‘ ଅଭୟ’ ଏବଂ ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ କାବୁଲା ବାରବୁଲା-ସର୍ଚ୍ଚିଂ ଲୈଲା’ ରେ ଲିଡ ରୋଲରେ ଦେଖିବାକୁ ପାଇଛନ୍ତି ଦର୍ଶକ । ୨୦୧୭ରେ ତାଙ୍କର ସିନେମା ସଂଖ୍ୟା ୩। ଏଥିମଧ୍ୟରୁ ପ୍ରଥମରେ ନବାଗତ ରଣବୀରଙ୍କ ନାୟିକା ବନିଥିବା ବେଳେ ଅନ୍ୟ ଦୁଇଟିରେ ସେ ବନିଛନ୍ତି ଅନୁଭବଙ୍କ ନାୟିକା ।

ଝିଲିକ୍‌: ବେଙ୍ଗଲି ବିଉଟି ଝିଲିକଙ୍କର ୨୦୧୭ରେ ଦୁଇଟି ଓଡ଼ିଆ ଛବି ପରଦାକୁ ଆସିଛି । ଏହି ଦୁଇଟି ହେଲା ଚନ୍ଦନ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ତୁମକୁ ଦେଖିଲା ପରେ ’ ଓ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ତୁ ମା’ ହିରୋ’ । ଏଥିମଧ୍ୟରୁ ପ୍ରଥମଟିରେ ସମ୍ବିତ୍‌ ଓ ଦ୍ୱିତୀୟଟିରେ ଜ୍ୟୋତିଙ୍କ ବିପକ୍ଷରେ ନଜର ଆସିଥିଲେ ଝିଲିକ୍‌ ।
ଶୀତଲ: ଗତ ବର୍ଷ ଭଳି ଏ ବର୍ଷ ବି ଶୀତଲଙ୍କୁ ଦୁଇଟି ସିନେମାରେ ଦେଖିବାକୁ ପାଇଛନ୍ତି ଦର୍ଶକ । ଆଉ ଉଭୟରେ ତାଙ୍କର ନାୟକ ହେଲେ ବାବୁସାନ୍‌ । ଏ ଦୁଇ ଫିଲ୍ମ ହେଲା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ ଦିଲ ଦିଓ୍ଵାନା ହେଇଗଲା’ ଏବଂ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ ସୁନା ପିଲା ଟିକେ ସ୍କୃ ଢିଲା’ ।


ଭୂମିକା: ଏ ବର୍ଷ ନବାଗତା ନାୟିକା ଭୂମିକା ଦାଶଙ୍କର ଦୁଇଟି ସିନେମା ରିଲିଜ୍‌ ହୋଇଥିଲା । ଉଭୟର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ । ଏଥିମଧ୍ୟରୁ ପ୍ରଥମ ସିନେମା ‘ ତୁ ମୋ’ ଲଭ ଷ୍ଟୋରି ’ ରେ ସ୍ୱରାଜ ତାଙ୍କର ନାୟକ ଥିବା ବେଳେ ‘ ହିରୋ ନଂ ୧’ ରେ ବାବୁସାନଙ୍କ ବିପକ୍ଷରେ ନଜର ଆସିଛନ୍ତି ଭୂମିକା ।

ନୈନା ଦାଶ: କିଛି ବର୍ଷପରେ ବଡ଼ ପରଦାକୁ ଫେରିଥିବା ନୈନା ଦାଶଙ୍କୁ ବି ଦୁଇଟି ସିନେମାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ସାଜି ୨୦୧୭ରେ ନୈନା ଦାଶ ‘ ତୁମକୁ ଦେଖିଲା ପରେ ’ ଓ ‘ ବଜରଙ୍ଗୀ’ ରେ ନିଜର ଆସିଛନ୍ତି ।

ସମ୍ବନ୍ଧିତ ଖବର