ଓଲିଉଡ ସହ ବଲିଉଡରେ ବି ଏଇ ଓଡ଼ିଆ ନାୟିକା

ଭୁବନେଶ୍ୱର: କେତେକ ଓଡ଼ିଆ ଯୁବତୀ ଏବେ ବି ମାୟାନଗରୀ ମୁମ୍ବାଇରେ ସିନେମାରେ ଅଭିନୟ କରିବା ଲାଗି ସଂଘର୍ଷରତ ଅଛନ୍ତି। କାହାକୁ ସେଠି ସଫଳତା ମିଳୁଛି ତ ପୁଣି କାହାକୁ ବିଫଳତା।ଏମିତି ଜଣେ ମୁମ୍ବାଇରେ ରହୁଥିବା ଓଡ଼ିଆ ନାୟିକା ହେଲେ କାବ୍ୟା କିରଣ । ତାଙ୍କୁ ଓଡ଼ିଆ ସିନେ ଦର୍ଶକ ୨୦୧୩ରେ ମୁକ୍ତିଲାଭ କରିଥିବା ଥ୍ରିଡି ସିନେମା ‘କାଉଁରୀ କନ୍ୟା’ ରେ ଦେଖିବାକୁ ପାଇଥିଲେ। ଏବେ ସେ ପୁଣି ଏକ ଓଡ଼ିଆ ଛବି ‘ପ୍ରେମ ହୁଏ ଚୋରି ଚୋରି’ ରେ ଦେଖା ଦେବେ ବୋଲି ଜଣାଯାଇଛି।

ସୌମ୍ୟରଞ୍ଜନ ସାହୁ ନିର୍ଦେଶିତ ଏହି ଫିଲ୍ମରେ କାବ୍ୟାଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ରୀୟା। ଏଥିରେ ତାଙ୍କ ଭୂମିକାଟି ଜଣେ ଅଲଟ୍ରାମଡର୍ଣ ଗାର୍ଲ ର ଯିଏ କି ଏକଦମ୍‌ ବିନ୍ଦାସ୍‌। ରୀୟା ମୋଟରବାଇକ୍‌ ଚଳାଏ, ଧୂମପାନ କରେ ଏବଂ ମଦ ପିଏ। ସବୁଠୁ ବଡ଼ କଥା ହେଲା ଯେ ତାର ଆଦୌ ପ୍ରେମରେ ବିଶ୍ୱାସ ନ ଥାଏ। କିନ୍ତୁ ଦିନେ ସେ ଅନୁଭବ କରେ ସେ ଜଣଙ୍କ ପ୍ରେମରେ ପଡ଼ିଯାଇଛି। ତାପରେ କଣ ହୁଏ ତାହା ଜାଣିବା ଲାଗି ଆପଣଙ୍କୁ ‘ପ୍ରେମ ହୁଏ ଚୋରି ଚୋରି’ ର ରିଲିଜ୍‌ ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ଏହି ସିନେମାରେ ନିଜେ ସୌମ୍ୟରଞ୍ଜନ ସାହୁ ଅନ୍ୟତମ ନାୟକ ଭୂମିକାରେ ଥିବା ବେଳେ ଆଉ ଜଣେ ନାୟକ ଅଛନ୍ତି ହରିହର ଦାଶ।

କାବ୍ୟା କିରଣ କେବଳ ଯେ ଓଲିଉଡରେ କାମ କରୁଛନ୍ତି, ତାହା ନୁହେଁ ବରଂ ସେ ବଲିଉଡରେ ବି ସକ୍ରିୟ। ଏଇ ନିକଟରେ ସେ ଅଭିଷେକ ଚଢ଼ା ନିର୍ଦେଶିତ ହିନ୍ଦୀ ସିନେମା‘ୟେ ମିଶନ୍‌ ୨୦୧୭’ ରେ ବି ଅଭିନୟ କରିଛନ୍ତି। ଏହି ହିନ୍ଦୀ ଫିଲ୍ମରେ ସେ ଷ୍ଟିଙ୍ଗ୍‌ ଅପସେନ୍‌ କରୁଥିବା ଜଣେ ସାମ୍ବାଦିକା ଭୂମିକାରେ ଅଭିନୟ କରିଛନ୍ତି। ଅବଶ୍ୟ କାବ୍ୟାଙ୍କ ମୁମ୍ବାଇରେ ବିଶେଷ ସଂଘର୍ଷ କରିବାକୁ ପଡ଼ୁନାହିଁ।

ସମ୍ବନ୍ଧିତ ଖବର