ଓଲିଉଡର ଅଳ୍ପ ପରିଚିତା ନାୟିକାଙ୍କ ସହ ଜଣେ ନାମୀ ନାୟକଙ୍କ ଯୋଡି

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ନାୟକ ସମ୍ବିତଙ୍କୁ ଦର୍ଶକ ଚଳିତ ବର୍ଷ ଏଯାବତ୍‌ କେବଳ ଗୋଟିଏ ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି। ତାହା ହେଲା ‘ତୁମକୁ ଦେଖିଲାପରେ’ । ଏହା ପୂର୍ବରୁ ସେ ପ୍ରେମ ଓ୍ଵଡସ ପ୍ରିୟା, ବାଳୁଙ୍ଗା ଟୋକା, ଓମ୍‌ , ଗଞ୍ଜା ଲଢ଼େଇ, ଚଉକା ଛକା, ବନ୍ଧନ, କଟକ-ଦ ସିଲଭର ସିଟି, ଆଶିକ୍‌ , ‘ଲେଖିଛି ନାଆଁ ତୋର’ଏବଂ ଛାତି ତଳେ ଡିଂ ଡଙ୍ଗ୍‌ ଇତ୍ୟାଦି ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି ।
ସମ୍ବିତ୍‌ ଇତିମଧ୍ୟରେ କେତେ ଜଣ ନାୟିକାଙ୍କ ବିପକ୍ଷରେ କାମ କରିସାରିଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ନବାଗତା ବି ଅନ୍ତର୍ଭୁକ୍ତ । ସେ ଝିଲିକ୍‌ ,ପିଙ୍କି ପ୍ରିୟଦର୍ଶିନୀଙ୍କ ପରି ଜଣାଶୁଣା ନାୟିକାଙ୍କ ବିପକ୍ଷରେ ନାୟକ ବନିଛନ୍ତି।


ଏବେ ସମ୍ବିତ୍‌ ଓଲିଉଡର ଅଳ୍ପ ପରିଚିତା ଜଣେ ନାୟିକା ସହ ପ୍ରଥମ ଥର ଲାଗି ସ୍କ୍ରିନ୍‌ ସେଆର୍‌ କରିଛନ୍ତି । ସେ ହେଲେ ଅଙ୍କିତା । ଅଙ୍କିତା ପୂର୍ବରୁ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମିଠାମିଠା’ରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଦର୍ଶକ ସମ୍ବିତଙ୍କ ସହିତ ଅଙ୍କିତାଙ୍କୁ ପ୍ରଥମ ଥର ପାଇଁ ଯେଉଁ ସିନେମାରେ ଦେଖିବାକୁ ପାଇବେ, ତାହା ହେଲା ‘ ମନ ଖାଲି ତତେ ଚାହେଁ ’ । ଏହାର ନିର୍ଦ୍ଦେଶକ ହେଲେ ନିମାଇଁ ଓଝା । ଏହି ସିନେମାରେ ସମ୍ବିତ- ଅଙ୍କିତାଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ । ଏହା ଏକ ଲଭ୍‌ଷ୍ଟୋରି । କୁହାଯାଉଛି ଯେ ଫିଲ୍ମରେ ସମ୍ବିତଙ୍କ ଭୂମିକାଟି ଯେମିତି ଦମଦାର୍‌, ଅଙ୍କିତାଙ୍କ ଅଭିନୀତ ଚରିତ୍ରଟି ବି ସେମିତି ବଳିଷ୍ଠ । ଏହି ସିନେମାରେ ଅନୀତା ଦାସଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ସିନେମାର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦେଖାଯାଉ ନୂଆ ଯୋଡିଦାରଙ୍କ ସହ କେତେ ଚମକୁଛନ୍ତି ସମ୍ବିତ୍‌। ତେଣେ ଅଙ୍କିତାଙ୍କର ଅନ୍ୟ ଏକ ସିନେମା ‘ଇଶ୍କଓ୍ଵାଲା ଲଭ୍‌’ ବି ଫ୍ଲୋରରେ ରହିଛି।

 

ସମ୍ବନ୍ଧିତ ଖବର