ଏ ବର୍ଷ ନାହାନ୍ତି ଏହି ଓଲିଉଡ ଯୋଡି

୨୦୧୭ରେ ଦର୍ଶକ ସେମାନଙ୍କର ଅଧିକାଂଶ ମନପସନ୍ଦ ନାୟକ, ନାୟିକାଙ୍କୁ ପରଦାରେ ଦେଖିବାକୁ ପାଇଛନ୍ତି । ହେଲେ ଏବର୍ଷ ଯେଉଁ ପପୁଲାର ଯୋଡିଙ୍କର ଗୋଟିଏ ବି ସିନେମା ରିଲିଜ୍‌ ହୋଇନାହିଁ ବା ସେଭଳି ସମ୍ଭାବନା ନାହିଁ, ଆସନ୍ତୁ ସେମାନଙ୍କ ଉପରେ ନଜର ପକାଇବା….

ଅନୁଭବ-ବର୍ଷା: ଓଲିଉଡର ରିଲ ଓ ରିୟଲ କପୁଲ୍‌ ଅନୁଭବ-ବର୍ଷା ପ୍ରିୟଦର୍ଶିନୀଙ୍କ ଯୋଡ଼ିକୁ ୨୦୧୭ରେ ଦର୍ଶକ ପରଦାରେ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ଏହି ଯୋଡ଼ିକୁ ଗତ ବର୍ଷ ‘ଗୋଟେ ଶୁଆ ଗୋଟେ ଶାରୀ’ ରେ ଦେଖିବାକୁ ପାଇଥିଲେ , ହେଲେ ଏକାଠି ପରଦାକୁ ଆସିନାହାନ୍ତି ଏ ଦୁହେଁ । ୨୦୧୭ରେ ଅନୁଭବଙ୍କୁ ଯେଉଁ ଦୁଇଟି ସିନେମା ‘ଅଭୟ’ ଓ ‘କାବୁଲା ବାରବୁଲା-ସର୍ଚ୍ଚିଂ ଲୈଲା’ ରେ ଦେଖିବାକୁ ପାଇଛନ୍ତି ଦର୍ଶକ, ଉଭୟରେ ନାୟିକା ଥିଲେ ଏଲିନା ସାମନ୍ତରାୟ । ଅପରପକ୍ଷରେ ବର୍ଷା ପ୍ରିୟଦର୍ଶିନୀଙ୍କର ଏବର୍ଷ କେବଳ ଗୋଟିଏ ଓଡ଼ିଆ ଛବି ମୁକ୍ତିଲାଭ କରିଛି, ତାହା ହେଲା ‘ରୋମିଓ -ଜୁଲିଏଟ୍‌’ । ଏଥିରେ ଅରିନ୍ଦମ୍‌ଙ୍କ ବିପକ୍ଷରେ ନଜର ଆସିଥିଲେ ବର୍ଷା ।

ବାବୁସାନ୍‌- ଏଲିନା- ୨୦୧୬ରେ ‘ ଲଭଷ୍ଟେସନ୍‌’ ଭଳି ବ୍ଲକବଷ୍ଟର ମୁଭି ଦେଖିଥିବା ଯୋଡ଼ି ବାବୁସାନ୍‌-ଏଲିନାଙ୍କୁ କୌଣସି ବି ସିନେମାରେ ଦେଖିବାକୁ ନ ପାଇ ଦର୍ଶକ ନିରାଶ ହୋଇଛନ୍ତି । ଏବର୍ଷ ବାବୁସାନ୍‌ଙ୍କୁ ଚାରିଟି ସିନେମାରେ ଦେଖିବାକୁ ମିଳିଛି । ଅପରପକ୍ଷରେ ଏଲିନାଙ୍କର ସିନେମା ସଂଖ୍ୟା ହେଉଛି ୩ । କିନ୍ତୁ କୌଣସି ଗୋଟିକରେ ବାବୁସାନଙ୍କ ଅପୋଜିଟରେ ନ ଥିଲେ ଏଲିନା ।

ସବ୍ୟସାଚୀ-ଅର୍ଚ୍ଚିତା: ଗତବର୍ଷ ତିନିତିନିଟା ଓଡ଼ିଆ ସିନେମାରେ ଏକାଠି ଅଭିନୟ କରିଥିବା ଓଲିଉଡର ଅନ୍ୟ ଏକ ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତାଙ୍କୁ ୨୦୧୭ରେ ମିସ୍‌ କରିଛନ୍ତି ସିନେ ପ୍ରେମୀ । ସବ୍ୟସାଚୀ ‘ସୀତାରାମଙ୍କ ବାହାଘର କଳିଯୁଗରେ’ ଏ ବର୍ଷ ଆସିଛନ୍ତି ଓ ଅର୍ଚ୍ଚିତା ‘ ଜଷ୍ଟ ମୋହବତ୍‌ ’ ଏବଂ ‘ ଶିବା ନଟ୍‌ ଆଉଟ୍‌’ ରେ ନଜର ଆସିଛନ୍ତି ।

 

ବାବୁଶାନ୍‌- ଝିଲିକ୍‌: ‘ଆଖିରେ ଆଖିେରେ’, ‘ ଲେଖୁ ଲେଖୁ ଲେଖି ଦେଲି’ ଓ ‘ ସୁପର ମିଛୁଆ’ ଭଳି ସୁପରହିଟ୍‌ ଫିଲ୍ମର ପପୁଲାର୍‌ ଯୋଡ଼ି ବାବୁସାନ୍‌ -ଝିଲିକଙ୍କୁ ଏବର୍ଷ ଗୋଟିଏ ବି ସିନେମାରେ ଦେଖିବାକୁ ମିଳି ନାହିଁ । ଗତବର୍ଷ ଏହି ଯୋଡିର ସିନେମା ‘ ଜବରଦସ୍ତ ପ୍ରେମିକ’ ରିଲିଜ୍‌ ହୋଇଥିଲା । କିନ୍ତୁ ଏବର୍ଷ ଉଭୟଙ୍କୁ ଏକାଠି ଦେଖିବାକୁ ପାଇନାହାନ୍ତି ଦର୍ଶକ ।

 

ସୁନୀଲ କୁମାର- ଅନୁ ଚୌଧୁରୀ- ‘ ହରିଭାଇ ହାରେନା’, ତୁମକୁ ପାରୁନି ତ ଭୁଲି’ ଭଳି ହିଟ୍‌ ଫିଲ୍ମର ଲୋକପ୍ରିୟ ଯୋଡ଼ି ସୁନୀଲ କୁମାର -ଅନୁ ଚୌଧୁରୀଙ୍କୁ ଏବର୍ଷ କୌଣସି ଗୋଟିଏ ସିନେମାରେ ଦେଖିବାକୁ ପାଇ ନାହାନ୍ତି ଦର୍ଶକ । ଶେଷ ଥର ପାଇଁ ସୁନୀଲ ଓ ଅନୁଙ୍କୁ ‘ ମାୟା ’ ସିନେମାରେ ଏକାଠି ଦେଖିବାକୁ ପାଇଥିଲେ।

ଅରିନ୍ଦମ୍‌- ରୀୟା- ‘କ୍ରିମିନାଲ’ ଓ ‘କଳକୀ’ ଭଳି ସିନେମାରେ ଦର୍ଶକ ପସନ୍ଦ କରିଥିଲେ ଅରିନ୍ଦମ୍‌-ରୀୟାଙ୍କ ଯୋଡ଼ିକୁ । କିନ୍ତୁ ଏବର୍ଷ ଏହି ଯୋଡିଙ୍କର ଗୋଟିଏ ବି ସିନେମା ପରଦାକୁ ଆସି ନାହିଁ ।

ସମ୍ବନ୍ଧିତ ଖବର