ଓଡ଼ିଆ ଚଳଚ୍ଚିତ୍ର ‘ନାମର୍ଦ’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ୨୮ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ସମରେଶ ରାଉତରାୟ । ସେ ଓଡ଼ିଆ ଛବି ‘ମୋ ସୁନା ପୁଅ’ରୁ ନାୟକଭାବେ ଓଲିଉଡରେ କ୍ୟାରିଅର୍ ଆରମ୍ଭ କରି ପରେ ଖଳନାୟକ ଭୂମିକାରେ ବି ଅଭିନୟ କରିଛନ୍ତି। ଫିଲ୍ମ ଜଗତରେ ତାଙ୍କର ଯାତ୍ରା ବିଷୟରେ ଜାଣିବା ପାଇଁ ସମ୍ବାଦ ଡ଼ଟ୍ ଇନ୍ ତରଫରୁ ତାଙ୍କୁ ସାକ୍ଷାତ କରିଥିଲେ ମୋନାଲିସା ପରିଡ଼ା ଏବଂ ସୁମନ ମହାନ୍ତି
ପିଲାଦିନୁ ଆପଣ ଜଣେ ଅଭିନେତା ହେବାକୁ ଇଛା ରଖିଥିଲେ କି?
ମୁଁ କେବେ ଅଭିନେତା ହେବାକୁ ଚାହିଁ ନଥିଲି । ମୋର ସବୁବେଳେ ନିର୍ଦ୍ଦେଶକ ହେବାର ଇଛା ରହିଥିଲା । ଏଥି ପାଇଁ ମୁଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଡ଼ାଇରେକ୍ସନରେ ପୋଷ୍ଟ ଗ୍ରାଡ଼ୁଏସନ୍ ମଧ୍ୟ କରିଥିଲି ।
ଅଭିନୟ ଜଗତରେ କିପରି ପାଦ ରଖିଲେ?
ମୋତେ ନାଚିବାକୁ ବହୁତ ଭଲ ଲାଗେ । ସେତେବେଳେ ଭୁବନେଶ୍ୱରରେ ବ୍ରେକ୍ ଡ଼୍ୟାନ୍ସରଙ୍କର ଚାହିଦା ଅଧିକ ଥିଲା । ମୁଁ ବ୍ରେକ୍ ଡ଼୍ୟାନ୍ସ ଶିଖିବା ପାଇଁ ଉଦୟ ଶଙ୍କର ସ୍ୱାଇଁଙ୍କ ଠାରୁ ନାଚ ଶିଖିବା ଆରମ୍ଭ କଲି । ଏହା ପରେ ମୋର ଅଭିନୟ ପ୍ରତି ଇଚ୍ଛା ଦେଖି ଜଣେ ଭାଇ ମୋତେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବାକୁ କହିଲେ । ସେଠି ଥିଏଟର କରୁଥିବା ସମୟରେ ମୁଁ ଜାଣିବାକୁ ପାଇଲି କି ଭଲ ଅଭିନୟ କରୁଥିବା ଅଭିନେତାମାନେ ଯେମିତିକି ଓଲିଉଡ଼ରେ ବିଜୟ ମହାନ୍ତି, ଅଜିତ୍ ଦାସ ଏବଂ ବଲିଉଡ଼ରେ ନସିରୁଦ୍ଦିନ୍ ଶାହା ସମସ୍ତେ ଏନ୍ଏସ୍ଡ଼ି(ନ୍ୟାସ୍ନାଲ ସ୍କୁଲ ଅଫ୍ ଡ଼୍ରାମା)ରୁ ପାସ୍ ଆଉଟ୍ ହୋଇଛନ୍ତି । ସେଥିପାଇଁ ମୁଁ ସେଠି ଜଏନ୍ କରିଥିଲି । ସେଠୁ ପାସ୍ ଆଉଟ୍ ହେବା ପରେ ମୋର ଅଭିନୟ ଜୀବନ ଆରମ୍ଭ ହୋଇଥିଲା ।
ଏନ୍ଏସ୍ଡ଼ିରୁ ପାଠପଢ଼ା ସାରିବା ପରେ ଆପଣ ଓଡ଼ିଆ ଫିଲ୍ମକୁ ଛାଡ଼ି ହିନ୍ଦୀ ଫିଲ୍ମ କରିବାକୁ କାହିଁକି ଇଛା କଲେ?
ଓଲିଉଡ଼ରେ ଫିଲ୍ମ କରିବା ପାଇଁ ମୁଁ ପ୍ରଥମେ ଭାବିଥିଲି । କିନ୍ତୁ ସେ ମସୟରେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏତେ ସୁଯୋଗ ନଥିଲା । ସେଥିପାଇଁ ମୁଁ ବଲିଉଡ଼କୁ ଯିବାକୁ ଭାବିଲି ।
ବଲିଉଡ଼ରେ ଆପଣଙ୍କୁ ପ୍ରଥମ ଫିଲ୍ମ କିପରି ମିଳିଥିଲା ?
ସେ ସମୟରେ କାଷ୍ଟିଙ୍ଗ ଏଜେନ୍ସି ନଥିଲା । ଯାହା ଫଳରେ କି ମୋତେ ମୋର ଫଟୋ ସବୁ ପ୍ରଡ଼କ୍ସନ ହାଉସ୍ରେ ଦେବାକୁ ପଡ଼ୁଥିଲା । ଏଥିପାଇଁ ପ୍ରାୟ ମୁଁ ୨୫ହଜାର ଫଟୋ ସବୁ ପ୍ରଡ଼କ୍ସନ ହାଉସ୍ରେ ଦେଇଥିଲି । ଦିନେ ମୋତେ ଫିଲ୍ମ ‘ସହିଦ’ ପାଇଁ ଅଡ଼ିସନ୍ ଦେବା ପାଇଁ ଫୋନ୍ ଆସିଲା ଏବଂ ଅଡ଼ିସନ୍ ଦେବା ପରେ ମୋତେ ସେହି ଫିଲ୍ମଟି ମିଳିଥିଲା ।
ବଲିଉଡ଼ରେ କେବଳ ଗୋଟେ ଫିଲ୍ମ କଣ ପାଇଁ କଲେ?
ମୋତେ ଅଧିକ ସୁଯୋଗ ମିଳି ନଥିଲା । ଫିଲ୍ମ କରୁ ନଥିଲେ ମଧ୍ୟ ମୁଁ ବିଭିନ୍ନ ପ୍ରଡ଼କ୍ସନ ହାଉସ୍ରେ ଅସିଷ୍ଟାଣ୍ଟ ଡ଼ାଇରେକ୍ଟର, କାଷ୍ଟିଂ ଡ଼ାଇରେକ୍ଟର ଭାବେ କାମ କରୁଥିଲି ।
ଆପଣ ନିର୍ଦ୍ଦେଶକ ହେବାକୁ ଚାହୁଁଥିଲେ, କିନ୍ତୁ ନିର୍ଦ୍ଦେଶନାକୁ ଛାଡ଼ି କ’ଣ ପାଇଁ ପୁଣି ଥରେ ଅଭିନେତା ହେବାକୁ ଇଛା କଲେ?
ଜଣେ ସାଧାରଣ ଲୋକର ସବୁବେଳେ ପରଦା ଉପରକୁ ଆସିବାର ଇଚ୍ଛା ଥାଏ । ଜଣେ ଅଭିନେତା ହିସାବରେ ମୋର ବି ଇଚ୍ଛା ଥିଲା ଠିକ୍ ସେଇଆ । ମୁମ୍ବାଇରେ କାମ କରୁଥିବା ସମୟରେ ମୋତେ ମୋର ପ୍ରଥମ ଓଡ଼ିଆ ଫିଲ୍ମ ‘ମୋ ସୁନା ପୁଅ’ରେ ନାୟକ ଚରିତ୍ର ପାଇଁ ଫୋନ କଲ୍ ମିଳିଥିଲା। ଏହାର କାହାଣୀ ଭଲ ଥିବାରୁ ମୁଁ ଏହି ଫିଲ୍ମ କରିବାକୁ ରାଜି ହୋଇଥିଲି ।
ଆପଣ ହିରୋ ହେବାକୁ ପସନ୍ଦ କରନ୍ତି ନା ଭିଲେନ୍ ?
ସେମିତି କିଛି ମୁଁ ଭାବେନା । ଫିଲ୍ମରେ ମୋ ଚରିତ୍ରର ଗଭୀରତା କେତେ ତାହା ଦେଖି ମୁଁ ଫିଲ୍ମ କରେ । ହିରୋ ହେଉ ବା ଭିଲେନ୍ ଫିଲ୍ମରେ ମୋ ଚରିତ୍ରର ଗଭୀରତା କେତେ ତାହା ମୁଁ ଦେଖେ ।
‘ନାମର୍ଦ’ରେ ଆପଣଙ୍କ ଚରିତ୍ର କ’ଣ ରହିଛି?
ସେହି ଫିଲ୍ମରେ ମୁଁ ଗୋଟେ ରେପିଷ୍ଟ ଚରିତ୍ରରେ ଆସୁଛି । ଏଥିରେ ମୋ ବିପକ୍ଷରେ ଅଛନ୍ତି ବିଦିତା ବାଗ୍ । ଏହାର କାହାଣୀ ଜଣେ ଦୁଷ୍କର୍ମ ପୀଡ଼ିତା କିପରି ସମାଜରେ ଲୋକଙ୍କ ମନୋଭାବ ପରିବର୍ତ୍ତନ କରିବାରେ ସକ୍ଷମ ହେଉଛନ୍ତି ତାହା ଉପରେ ଆଧାରିତ।
ଓଲିଉଡ଼ ଆଗକୁ ଯାଇ ପାରୁ ନାହିଁ କାହିଁକି ବୋଲି ଆପଣ ଭାବୁଛନ୍ତି?
ଓଡ଼ିଆ ଫିଲ୍ମରେ ମୌଳିକ କାହାଣୀର ଅଭାବ ରହିଛି । ଓଡ଼ିଶାରେ କାହାଣୀର ଗନ୍ତାଘର ଥିଲେ ମଧ୍ୟ ଲେଖକମାନେ ସେହି ବିଷୟରେ ଲେଖିବାକୁ ଚାହୁଁ ନାହାନ୍ତି । ଗୋଟେ ଇଣ୍ଡଷ୍ଟ୍ରିର ବିକାଶ ପ୍ରଯୋଜକଙ୍କ ଉପରେ ମୁଖ୍ୟତଃ ନିର୍ଭର କରେ । କିନ୍ତୁ ଓଡ଼ିଶାରେ ଆଜିକାଲି ଯେଉଁ ପ୍ରଯୋଜକମାନେ ଫିଲ୍ମରେ ଟଙ୍କା ଲଗାଉଛନ୍ତି ସେମାନେ ହିଁ ମୌଳିକ କାହାଣୀ ଏବଂ ନୂଆ ଅଭିନେତା ଅଭିନେତ୍ରୀମାନଙ୍କୁ ନେଇ ଫିଲ୍ମ କରିବାକୁ ଚାହୁଁ ନାହାନ୍ତି । ଯାହା ଫଳରେ କି ଓଡ଼ିଆ ଇଣ୍ଡଷ୍ଟ୍ରି ଆଗକୁ ବଢ଼ି ପାରୁ ନାହିଁ ।
ଜଣେ ପ୍ରଯୋଜକ ହିସାବରେ ଆପଣ ନବାଗତମାନଙ୍କୁ ସୁଯୋଗ ଦେଇଛନ୍ତି କି?
ନିହାତି ଭାବରେ ମୁଁ କରୁଛି । ମୋର ଗୋଟେ ଓଡ଼ିଆ ଓ୍ଵାନ୍ ୟୁଟ୍ୟୁବ୍ ଚ୍ୟାନେଲ ରହିଛି ଯାହା ମାଧ୍ୟମରେ ମୁଁ ନୂଆ ସଂଗୀତ ନିର୍ଦ୍ଦେଶକ ସହ ନୂଆ କଳାକାରମାନଙ୍କୁ ମଧ୍ୟ ସୁଯୋଗ ଦେଉଛି ଏବଂ ନିର୍ମାଣ କରାଯାଉଥିବା ଗୀତଗୁଡ଼ିକ କପି ନ କରାଯାଇ ନୁଆ ଢ଼ଙ୍ଗରେ ତିଆରି କରାଯାଉଛି ।
ଗୋଟେ ଫିଲ୍ମରେ ଆଇଟମ୍ ଗୀତ ରହିବା ନିହାତି ଦରକାର କି?
ନିହାତି ଭାବେ ନୁହେଁ । ମୁଁ ତାକୁ ବିରୋଧ କରେ । କିନ୍ତୁ ଲୋକ ଫିଲ୍ମରେ ଥିବା ଅନ୍ୟ ଗୀତ ଅପେକ୍ଷା ଆଇଟମ୍ ଗୀତ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଲୋକମାନଙ୍କ ପସନ୍ଦକୁ ଦେଖିକି ହିଁ ଫିଲ୍ମ ନିର୍ମାତା ମାନେ ଆଇଟମ୍ ଗୀତ ରଖୁଛନ୍ତି ।
ଏମିତି କିିଛି କାହାଣୀ ରହିଛି କି ଯାହାକୁ ଆପଣ ଫିଲ୍ମ ମାଧ୍ୟମରେ ଲୋକଙ୍କୁ ଦେଖାଇବାକୁ ଚାହୁଁଛନ୍ତି ?
ମୁଁ ପରିବେଶରେ ବିଭିନ୍ନ କାରଣରୁ ଉପୁଜୁଥିବା ବିଭିନ୍ନ ଅସୁବିଧା ଉପରେ ଫିଲ୍ମ କରିବାକୁ ଚାହୁଁଛି । ଯଦି ମୋତେ ସେହି ଭଳି କିଛି କାହାଣୀ ମିଳୁଛି ,ନିହାତି ଭାବରେ କରିବାକୁ ପସନ୍ଦ କରିବି ।