ପ୍ରତିଟି ସିନେମାରେ ତମନ୍ନାଙ୍କୁ ମିଳିଛି ନୂଆ ନାୟକଙ୍କ ସାଥ୍‌

ଆଜି ହେଉଛି ଓଲିଉଡ଼୍‍ର ଲୋକପ୍ରିୟ ନାୟିକା ତମନ୍ନାଙ୍କର ବାର୍ଥ ଡେ। ବିଗତ କିଛି ବର୍ଷ ହେବ ଓଲିଉଡ଼୍‍ରେ ନାୟିକା ଚୟନର ପ୍ରକ୍ରିୟା ଟିକେ ବଦଳିଯାଇଛି। କେତେଜଣ ନାୟିକା ରିଆଲିଟି ସୋ’ ଜରିଆରେ ସିନେମା ପାଇଛନ୍ତି। ଏମାନଙ୍କ ଭିତର ଜଣେ ହେଲେ ତମନ୍ନା ବ୍ୟାସ। ସେ ଜଣେ ମାରଓ୍ଵାଡି ପରିବାରର ଝିଅ। ସେ ଜଣେ ଶାକାହାରୀ। ସଂପ୍ରତି ସେ ଭୁବନେଶ୍ୱରର ବିଜେବି କଲେଜରେ ମାସ୍‌ କମ୍ୟୁନିକେସନରେ ମାଷ୍ଟର ଡିଗ୍ରି କରୁଥିବା ଜଣାଯାଇଛି। ତାଙ୍କ ନିଜ ଘର ଦକ୍ଷିଣ ଓଡ଼ିଶାରେ ହୋଇଥିବା ବେଳେ ତମନ୍ନା କ୍ୟାରିଅରକୁ ଆଗେଇ ନେବା ଲାଗି ଭୁବନେଶ୍ୱରରେ ରହୁଛନ୍ତି।ରିଆଲିଟି ସୋ’ରେ ତମନ୍ନାଙ୍କୁ ଦେଖିବାପରେ ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ନାୟକ ତାଙ୍କ ନିର୍ଦ୍ଦେଶିତ ସିନେମା ‘ଜୋକର୍‌’ରେ ଫିମେଲ ଲିଡରେ ନେବା ଲାଗି ସ୍ଥିର କରିଥିଲେ। ଏଥିଲାଗି ନିର୍ଦ୍ଦେଶକ ସଞ୍ଜୟ ନାୟକ ବି ତାଙ୍କୁ ବିଧିବଦ୍ଧ ଅଫର୍‌ ଦେଲେ ଏବଂ ତାକୁ ସ୍ୱୀକାର କରିଥିଲେ ତମନ୍ନା। ତେବେ ଏଯାବତ୍‌ ତମନ୍ନାଙ୍କର ଏହି ପ୍ରଥମ ସିନେମା ‘ଜୋକର୍‌’ ରିଲିଜ୍‌ ହୋଇ ନାହିଁ। ଏହି ସିନେମାରେ ମେଲ ଲିଡରେ ଥିଲେ ପପୁ ପମପମ୍‌। ଆଉ ଦୁଷ୍ମନ୍ତ ଏବଂ ଲିପସା ବି ଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

ଓଲିଉଡ଼୍‍ର ଲୋକପ୍ରିୟ ନାୟିକା ତମନ୍ନାଙ୍କର ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରିସାରିଛି । ତାଙ୍କର ଯେଉଁ ଦୁଇଟି ସିନେମା ରିଲିଜ୍‌ ହୋଇସାରିଛି , ତାହା ହେଲା ‘ଭାଇନା କ’ଣ କଲା ସେ’ ଏବଂ ନିଝୁମ୍‌ ରାତିର ସାଥୀ’। ଏଥିମଧ୍ୟରୁ ପ୍ରଥମେ ପରଦାକୁ ଆସିଥିଲା‘ଭାଇନା କ’ଣ କଲା ସେ’ । ଏବେ ଯେଉଁ ଦୁଇଟି ମୁକ୍ତି ପ୍ରତୀକ୍ଷାରେ ରହିଛି ତାହା ହେଲା ‘ଲୁଚେଇ ଦେ ମୋତେ ଛାତି ଭିତରେ’ ଏବଂ ‘ଜୋକର୍‌’।‘ଲୁଚେଇ ଦେ ମୋତେ ଛାତି ଭିତରେ’ରେ ତାଙ୍କ ସହ ଅଭିନେତା ଚନ୍ଦନ ଏବଂ ସମ୍ଭବ ଅଛନ୍ତି ମୁଖ୍ୟ ଚରିତ୍ରରେ।

 

ତେବେ ଏହା ଭିତରେ ଅନ୍ୟ ଏକ ଓଡ଼ିଆ ଛବି ‘ବ୍ଲାକମେଲ୍‌’ରେ ବି କାମ କରୁଛନ୍ତି।‘ବ୍ଲାକମେଲ’ରେ ବି ତାଙ୍କୁ ଏକ ପାଓ୍ଵାର୍‌ଫୁଲ୍‌ କ୍ୟାରେକ୍ଟର୍‌ ମିଳିଛି। ଏହାର କାହାଣୀରେ ଦୁଇଜଣ ନାୟିକା ଅଛନ୍ତି। ଏଥିମଧ୍ୟରୁ ଜଣେ ହେଲେ ତମନ୍ନା ଏବଂ ଆର ଜଣକ ଆହନା। ଏଥିରେ ତାଙ୍କର ନାୟକ ହେଲେ ଅର୍ଦ୍ଧେନ୍ଦୁ । ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅମିତ ନାୟକ। ତମନ୍ନା ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ନେଇସାରିଲେଣି। ହଁ ଏକ ତେଲୁଗୁ ସିନେମା ‘ଶତ୍ରୁ’ରେ ନାୟିକା ଭାବେ ଚୁକ୍ତିବଦ୍ଧ ହୋଇଛନ୍ତି ସେ। ଇତିମଧ୍ୟରେ ମହୁରତ୍‌ ବି ହାଇଦ୍ରାବାଦ୍‌ରେ ସରିଛି। ଖୁବ୍‌ଶୀଘ୍ର ସୁଟିଂ ଆରମ୍ଭ ହେବ। ଭଲ ଓଡ଼ିଆ ସିନେମାରେ କାମ କରିବାକୁ ଚାହୁଁଥିବା ନାୟିକା ତମନ୍ନା କହନ୍ତି ‘
ମୁଁ ଧିରେ ଧିରେ କ୍ୟାରିଅରରେ ଆଗକୁ ଯିବାକୁ ଚାହେଁ।ତା’ଛଡ଼ା ଏବେ ମୋ’ ଅଭିନୀତ ନୂଆ ସିନେମା ‘ଲୁଚେଇ ଦେ ମୋତେ ଛାତି ଭିତରେ’ତ ରିଲିଜ୍‌ ପାଇଁ ସଜବାଜ ହେଉଛି। ଏହାର ପୋଷ୍ଟ ପ୍ରଡକସନ୍‌ କାମ ସରିଲାଣି।ଖୁବ୍‌ ଶୀଘ୍ର ପ୍ରେକ୍ଷାଳୟକୁ ଆସିବ।’ ପ୍ରତିଟି ସିନେମାରେ ତମନ୍ନାଙ୍କୁ ମିଳିଛି ନୂଆ ନାୟକଙ୍କ ସାଥ୍‌। ଇତିମଧ୍ୟରେ ତାଙ୍କୁ ପପୁ ପମପମ୍‌ ଏବଂ ଜ୍ୟୋତିଙ୍କ ବିପକ୍ଷରେ ନଜର ଆସିଛନ୍ତି ଏହି ଜଣାଶୁଣା ନାୟିକା ।

ସମ୍ବନ୍ଧିତ ଖବର