ଓଲିଉଡର ଏହି ପ୍ରେମ ଏବଂ କୁମାର କି ନିଷ୍ପତ୍ତି ନିଅନ୍ତି?

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟକ ଅନୁଭବଙ୍କ ଆଗାମୀ ଓଡ଼ିଆ ସିନେମା ହେଲା ‘ପ୍ରେମ କୁମାର’। ତରଙ୍ଗ ସିନେ ପ୍ରଡକ୍ସନ୍‌ସ ବ୍ୟାନରରେ ନିର୍ମିତ ହେଉଛି ଏହି ସିନେମା । ଓଡ଼ିଆ ସିନେମା ‘ପ୍ରେମ କୁମାର୍‌’ରେ ଅନୁଭବଙ୍କ ସହିତ ଦୁଇ ଜଣ ନାୟିକା ଅଛନ୍ତି। ସେମାନେ ହେଲେ ଶିବାନୀ ଓ ତମନ୍ନା।‘ପ୍ରେମ କୁମାର୍‌’ରେ ଅନୁଭବଙ୍କ ସହ ଶିବାନୀ ଓ ତମନ୍ନା ପ୍ରଥମଥର ପାଇଁ ସ୍କ୍ରିନ୍‌ ସେଆର୍‌ କରିଛନ୍ତି। ଏଥିରେ ମନୋଜ ମିଶ୍ର ଓ ସୁରେଶ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ‘ପ୍ରେମ କୁମାର୍‌’ର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ, ଯିଏ କି ଆଗରୁ ଏହି ବ୍ୟାନରର ‘ ତୁ ମୋ’ ଲଭଷ୍ଟୋରି’ ଏବଂ ହିରୋ ନମ୍ବର ଓ୍‌ାନ୍‌ ଭଳି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। । ‘ପ୍ରେମ କୁମାର୍‌’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ।

ସମସ୍ତେ ଜାଣିସାରିଲେଣି ଯେ ଏଥିରେ ଅନୁଭବଙ୍କର ରହିଛି ଡବଲ୍‌ ରୋଲ୍‌। ‘ପ୍ରେମ କୁମାର’ରେ ଅନୁଭବଙ୍କର ରହିଛି ଦୁଇଟି ଚରିତ୍ର। ଏଥିଭିତରୁ ଗୋଟିଏ ଚରିତ୍ରର ନାଆଁ ପ୍ରେମ ଓ ଅନ୍ୟଟି କୁମାର। ଏମାନଙ୍କ ଭିତରୁ ଜଣେ ଧନୀ ଏବଂ ଅନ୍ୟଟି ଏକ ମଧ୍ୟବିତ୍ତ ପରିବାରର ପୁଅ । କାହାଣୀ ଅନୁଯାୟୀ ଧନୀ ଯୁବକ ନିଜର ପ୍ରଚୁର ଧନ ଥିବା ସତ୍ତ୍ୱେ ନିଜକୁ ସୁଖୀ ମନେ କରୁ ନାହିଁ। ମଧ୍ୟବିତ୍ତ ଯୁବକ ଜଣକ ନିିଜ ପରିବାରର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ। ଉଭୟେ ଦେଖିବାକୁ ପୁରା ଏକା ଭଳି।

ଘଟଣାକ୍ରମେ ଉଭୟଙ୍କର ସାକ୍ଷାତ ନାଟକୀୟ ଢ଼ଙ୍ଗରେ ହୁଏ। ତା’ପରେ ସେଦୁହେଁ ଏକ ଭିନ୍ନ ନିଷ୍ପତ୍ତି ନିଅନ୍ତି । ସେମାନେ କି ନିଷ୍ପତ୍ତି ନିଅନ୍ତି ଏବଂ ତାପରେ କ’ଣ ଘଟେ ତାହା ହିିଁ ‘ପ୍ରେମ କୁମାର’ର ମୁଖ୍ୟ ପ୍ରସଙ୍ଗ । ଏହା ଜାଣିବାଲାଗି ଆପଣଙ୍କୁ ସିନେମା ରିଲିଜ୍‌ ହେବାଯାଏଁ ଅପେକ୍ଷା କରିବାକୁ ପଡ଼ିବ। ‘ପ୍ରେମ କୁମାର୍‌’ ର ସୁଟିଂ ଗତ ଜୁଲାଇ ୯ ତାରିଖରୁ ଆରମ୍ଭ ହୋଇ ଇତିମଧ୍ୟରେ ସରିଥିବାର ସୂଚନା ମିଳିଛି।ଏହା ଆଗାମୀ ଦଶହରା ଅବସରରେ ମୁକ୍ତିଲାଭ କରିବ ବୋଲି ବି ଜଣାଯାଇଛି ।

ସମ୍ବନ୍ଧିତ ଖବର