ପୁଣି ଥରେ କପିଲ ଶର୍ମା ସୋ’କୁ ଫେରିବେ କି ନବଜୋତ୍ ସିଂହ ସିଦ୍ଧୁ? ଭିଡିଓ ଭାଇରାଲ ପରେ ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ: ସୋନି ଚ୍ୟାନେଲରେ ପ୍ରସାରିତ ହେଉଥିବା କମେଡି ସୋ’ ‘ଦ କପିଲ ଶର୍ମା ସୋ’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫେବୃଆରୀ ୧୪, ୨୦୧୯ରେ ପୁଲୱାମାରେ ପାକିସ୍ତାନର ଆତଙ୍କବାଦୀମାନେ ଆକ୍ରମଣ କରିବ‌ା ପରେ ପାକିସ୍ତାନକୁ ସମର୍ଥନ କଲା ଭଳି ପ୍ରତିକ୍ରିୟା ଦେଇ ବିବାଦରେ ଫସିଥିଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ବିବାଦ ତେଜିବା ପରେ ତାଙ୍କୁ ଦ କପିଲ ଶର୍ମା ସୋ’ରୁ ବାହାର କରି ଦିଆଯାଇଥିଲା। ସିଦ୍ଧୁଙ୍କ ପରେ ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହଙ୍କୁ ତାଙ୍କ ସ୍ଥାନରେ ଅଣାଯାଇଥିଲା। ଏବେ ବର୍ଷକ ପରେ ସିଦ୍ଧୁ ପୁଣି ଥରେ କପିଲ ଶର୍ମା ସୋ’କୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

 

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଇନଷ୍ଟା ଆକାଉଣ୍ଟରେ ଏକ ଭିଡିଓ ସେୟାର କରିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ କପିଲ ସିଦ୍ଧୁଙ୍କ ବେଶ‌ରେ ନଜର ଆସୁଥିବା ବେଳେ ତାଙ୍କ ସହ ନଜର ଆସିଛନ୍ତି ଶିଳ୍ପା। ସେୟାର କରାଯାଇଥିବା ଭିଡିଓରେ ଦୁହେଁ ଠୁମକା ଲଗାଉଥିବାର ଦେଖାଯାଇଛି। ତେବେ କପିଲଙ୍କ ଏଭଳି ଅବତାର ଦେଖି ଲୋକେ ସିଦ୍ଧୁଙ୍କୁ ମନେ ପକାଇବା ସହ ପୁଣି ଥରେ ସିଦ୍ଧୁ ସୋ’କୁ ଫେରିବେ କି ବୋଲି ପ୍ରଶ୍ନ କରିବାରେ ଲାଗି ପଡ଼ିଥିଲେ। କିନ୍ତୁ ସେଭଳି କୌଣସି ସମ୍ଭାବନା ନାହିଁ ବୋଲି ଚ୍ୟାନେଲ ପକ୍ଷରୁ କୁହାଯିବା ପରେ ଏବେ ସୋ’କୁ ସିଦ୍ଧୁଙ୍କ ଫେରିବା ନେଇ ଉପୁଜିଥିବ‌ା ଦ୍ବନ୍ଦ୍ବ ଦୂର ହୋଇଛି।

ସମ୍ବନ୍ଧିତ ଖବର