ସଂଜୟ ଲୀଲା ଭଂସାଲୀଙ୍କ ଅଡ଼ୁଆ ବଢ଼ିଲା, ‘ପଦ୍ମାବତୀ’ର ପିଟିସନକୁ ବିଚାର ଲାଗି ରାଜି ହେଲେ ସୁପ୍ରିମକୋର୍ଟ

ମୁମ୍ବାଇ: ଭାରତର ସର୍ବୋଚ୍ଚ ନ୍ୟାୟାଳୟ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ନୂଆ ସିନେମା ‘ପଦ୍ମାବତୀ’ ରେ ଥିବା ଆପତ୍ତିଜନକ ଦୃଶ୍ୟାବଳୀକୁ କାଟିବା ସଂପର୍କୀତ ଏକ ପିଟିସନକୁ ଗ୍ରହଣ କରିଥିବା ଜଣାଯାଇଛି। ଜଣେ ଆଇନଜୀବୀ ଆଜି ଏସଂପର୍କୀତ ଏକ ପିଟିସନ୍‌ ଦାଖଲ କରିଛନ୍ତି। ଏ ଏନ୍‌ ଆଇ ସୂତ୍ରରୁ ପ୍ରକାଶ ଯେ ଜଣେ ଆଇନଜୀବୀ ସୁପ୍ରିମକୋର୍ଟରେ‘ପଦ୍ମାବତୀ’ ରେ ଥିବା ଆପତ୍ତିଜନକ ଦୃଶ୍ୟାବଳୀକୁ କାଟିବା ଦାବି ନେଇ ଏକ ପିଟିସନ୍‌ ଦାୟର କରିଛନ୍ତି ଏବଂ ନ୍ୟାୟାଳୟ ଏହାର ବିଚାର କରିବାକୁ ସମ୍ମତି ଜଣାଇଛନ୍ତି। ଏହାସଂଜୟ ଲୀଲା ଭଂସାଲୀଙ୍କ ଅଡ଼ୁଆ ବଢ଼ାଇ ଦେଇଛି।


 

ବହୁ ପ୍ରତୀକ୍ଷିତ ସିନେମା ‘ ପଦ୍ମାବତୀ’ ର ରିଲିଜ୍‌ ତାରିଖ ଯେତେ ପାଖେଇ ଆସୁଛି, ତା’କୁ ନେଇ ସେତେ ଅଧିକ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏହି ଫିଲ୍ମରେ ରାଣୀ ପଦ୍ମାବତୀ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡର ହଟ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ । ଅନ୍ୟପକ୍ଷରେ ଏଥିରେ ଆଲ୍ଲାଉଦ୍ଦିନ ଖିଲଜି ଚରିତ୍ର ନିଭାଇଛନ୍ତି ରଣବୀର ସିଂହ । ଠିକ୍‌ ସେହିପରି ଶାହିଦ୍‌ କପୁର ଅଛନ୍ତି ଦୀପିକାଙ୍କ ବିପକ୍ଷରେ ।
ଏବେ ଶ୍ରୀ ରାଜପୁତ କରଣୀ ସେନା ପକ୍ଷରୁ ‘ ପଦ୍ମାବତୀ’ ଭୂମିକା ରେ ଥିବା ଦୀପିକା ପାଦୁକୋନ୍‌ଙ୍କୁ ଧମକ ଦିଆଯାଇଛି । ଏହି ସଂଗଠନ ପକ୍ଷରୁ ଉକ୍ତ ସିନେମାକୁ ନିଷିଦ୍ଧ ଘୋଷଣା କରିବାକୁ ଦାବି ହୋଇ ଆସୁଛି । ଦୀପିକାଙ୍କୁ ସୁର୍ପଣଖାଙ୍କ ଭଳି ନାକ କାଟି ଦିଆଯିବାର ଧମକ ଦିଆଯିବା ପରେ ମୁମ୍ବାଇରେ ଥିବା ଦୀପିକା ପାଦୁକୋନଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଜଣାଯାଇଛି । ମୁମ୍ବାଇ ପୁଲିସ କମିଶନର୍‌ ଦେବେନ୍‌ ଭାରତୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦୀପିକାଙ୍କ ଘର ଆଗରେ ଅଧିକ ପୁଲିସ ମୁତୟନ କରାଯାଇଛି ଏବଂ ତାଙ୍କ ବାସଭବନ ଉପରକୁ ଯେପରି କେହି ଆକ୍ରମଣ ନ କରିପାରନ୍ତି ସେଥିପ୍ରତି ବି ପୁଲିସ ସତର୍କ ରହିଛି।

କରଣୀ ସେନା ମହିପାଲ ସିଂହ ମକରନା କହିଛନ୍ତି ଯେ ଯଦି ‘ ପଦ୍ମାବତୀ’ ର ରିଲିଜ୍‌ ଉପରେ ରୋକ୍‌ ଲଗା ନ ଯାଏ ଏବଂ ଦୀପିକା ନିଜର ଅଶାଳୀନ ଟିପ୍ପଣୀ ପାଇଁ କ୍ଷମା ନ ମାଗନ୍ତି, ତେବେ ରାମାୟଣରେ ବର୍ଣ୍ଣିତ ସୁର୍ପଣଖାାଙ୍କ ଭଳି ତାଙ୍କର ବି ନାକ କଟାଯିବ । କରଣୀ ସେନା ଡିସେମ୍ବର ୧ ତାରିଖରେ ଭାରତବନ୍ଦର ଡାକରା ଦେଇଛି, ଯେଉ ଁଦିନ କି ‘ପଦ୍ମାବତୀ’ ରିଲିଜ୍‌ ହେବାର ଅଛି । ଗତକାଲି ଉତ୍ତର ପ୍ରଦେଶର କ୍ଷତ୍ରିୟ ସମାଜ ପକ୍ଷରୁ ପଦ୍ମାବତୀ’ ର ନିର୍ଦ୍ଦେଶକ ସଂଜୟ ଭଂସାଲୀ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଙ୍କ ଯିଏ ମୁଣ୍ଡ କାଟ କରିବ, ତାକୁ ୫ କୋଟି ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । ସମାଜବାଦୀ ପାର୍ଟି ନେତା ତଥା କ୍ଷତ୍ରିୟ ସମାଜର କର୍ମକର୍ତ୍ତା ଠାକୁର ଅଭିଷେକ ସୋମ୍‌ ଦୀପିକା ପାଦୁକୋନଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇଛନ୍ତି ଯେ ସେ ଦେଶ ଛାଡି ଚାଲି ଯାଆନ୍ତୁ, ଅଥବା ମୁଣ୍ଡକାଟ ଲାଗି ପ୍ରସ୍ତୁତ ରହନ୍ତୁ । ସେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଫିଲ୍ମକୁ ରିଲିଜ୍‌ ନ କରିବାର ଚେତାବନୀ ଦେବା ସହ, ଯଦି ସେପରି ନ କରନ୍ତି, ତାହାର କୁପରିମାଣ ଭୋଗିବାକୁ ପ୍ରସ୍ତୁତ ରହନ୍ତୁ ବୋଲି କହିଛନ୍ତି ।

ଖାଲି ସେତିକି ନୁହେଁ ସର୍ବ ବ୍ରାହ୍ମଣ ମହାସଭା ‘ ପଦ୍ମାବତୀ’ ବିରୁଦ୍ଧରେ ଆନ୍ଦୋଳନର ପ୍ରତୀକ ଭାବେ ଏକ ରକ୍ତ ଲେଖା ଚିଠି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପାଖକୁ ପଠାଇଥିବା ମଧ୍ୟ ଜଣାଯାଇଛି । ଏବେ ଦେଖିବା କଥା ଯେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଡିସେମ୍ବର ୧ ତାରିଖରେ ‘ପଦ୍ମାବତୀ’ ରିଲିଜ୍‌ ହୋଇ ପାରୁଛି କି ନା ଏବଂ ଏହି ସିନେମାରୁ କେଉଁ ସିନ୍‌ ବାଦ ପଡ଼ୁଛି।!

ସମ୍ବନ୍ଧିତ ଖବର