ଗିଟାର୍ ଶିଖୁଛନ୍ତି ପ୍ରାଚୀ
ଫିଲ୍ମରେ ନିଜର ଭୂମିକାକୁ ଅଧିକ ଜୀବନ୍ତ ଓ ବାସ୍ତବ କରିବା ପାଇଁ ଏମିତି ଅନେକ କଳାକାର ଅଛନ୍ତି, ଯେଉଁମାନେ କଠିନ ପରିଶ୍ରମ କରନ୍ତି। ଏଥି ପାଇଁ ପୂର୍ବରୁ ନିଜକୁ ପ୍ରସ୍ତୁତ କରନ୍ତି। ତାଲିମ ନିଅନ୍ତି ଏବଂ ଅଭ୍ୟାସ କରନ୍ତି। କିଏ ଭାଷା ଶିଖେ ତ କିଏ ବାଦ୍ୟ-ଯନ୍ତ୍ର। ପ୍ରାଚୀ ଦେଶାଈ, ନିଜର ଆଗାମୀ ଫିଲ୍ମ ‘କୋଶା’ ପାଇଁ ଏବେ ଗିଟାର୍ ଶିଖୁଛନ୍ତି। ଗିଟାର୍ ଶିଖିବା ପାଇଁ ତାଙ୍କର ପୂର୍ବରୁ ଇଚ୍ଛା ଥିଲା। ତେବେ, ଶିଖିପାରି ନ ଥିଲେ। ପୁରୁଣା ଅଭିଳାଷ ଏବେ ଫିଲ୍ମ ପୂରଣ କରୁଛି। ଫିଲ୍ମର ଏକ ଦୃଶ୍ୟରେ ତାଙ୍କୁ ଗିଟାର୍ ବଜାଇବାକୁ ପଡ଼ିବ ବୋଲି ଜାଣିବା ପରେ ସେ ମିଛିମିଛିକା ଅଭିନୟ ବଦଳରେ, କିଛି ବାସ୍ତବ କରିଦେଖାଇବା ଲାଗି ନିଷ୍ପତ୍ତି ନେଇଥିଲେ। ନିର୍ମାତା-ନିର୍ଦେଶକଙ୍କଠାରୁ କିଛି ସମୟ ମାଗି, ଜଣେ ଅଭିଜ୍ଞ ଗୁରୁଙ୍କଠାରୁ ତାଲିମ ନେଉଛନ୍ତି। ଇତିମଧ୍ୟରେ କାମ-ଚଳା ଗିଟାର୍ ବାଦନ ଶିଖିଗଲେଣି। ଯଥେଷ୍ଟ ଅଭ୍ୟାସ କରୁଥିବାରୁ, ସୁଟିଂ ବେଳକୁ ପୋଖତ ହୋଇଯାଇଥିବେ ବୋଲି ଆଶା।