ପ୍ରେମ୍‌ ଆନନ୍ଦଙ୍କ ନୂଆ ସୃଷ୍ଟି ‘ଟ୍ରାଇବାଲ୍‌ ଆନ୍ଥେମ’କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ଓଡ଼ିଆ ଆଧୁନିକ ଗୀତ ଅନାମିକା ନାୟିକା ଆପଣ ଶୁଣିଥିବେ । ସେମିତି ଚତୁର୍ଭୁଜ ଜଗନ୍ନାଥ ଭଳି ବହୁ ଲୋକପ୍ରିୟ ଜଗନ୍ନାଙ୍କ ସ୍ତ୍ରୋତ ବି ଶୁଣିଥିବେ । ଖାଲି ସେତିକି ନୁହେଁ, ଦେଶାତ୍ମବୋଧକ ଗୀତ ବନ୍ଦେ ମାତରମ୍‌ ହେଉ କି ସିନେମା ଗୀତ ଧୀରେ ଧୀରେ ଭଲ ପାଇଗଲି ହେଉ ପରି ଗୀତ ଆପଣଙ୍କ କାନରେ ନିଶ୍ଚିତ ପଡ଼ିଥିବ। ତେବେ ଏଇ ସବୁ ଗୀତ ଶୁଣିବା ବେଳେ ସଂଗୀତକାର ପ୍ରେମ୍‌ ଆନନ୍ଦଙ୍କ ଚିତ୍ରଟିଏ ନିଶ୍ଚିତ ମନକୁ ଆସୁଥିବ । କିନ୍ତୁ ଆପଣ ଯଦି ଭାବୁଥାନ୍ତିି ଯେ ପ୍ରେମ୍‌ ଆନନ୍ଦ କେବଳ ଏଇ ଓଡ଼ିଆ ସିନେମା କିମ୍ବା ଭଜନ ପାଇଁ ସଂଗୀତ ନିର୍ଦ୍ଦେଶନା ଦିଅନ୍ତି ତାହା ଭୁଲ।

ଗତ କିଛି ବର୍ଷ ମଧ୍ୟରେ ଯଦିଓ ସେ ମରାଠୀ ସିନେମା, ହିନ୍ଦୀ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି, ମାତ୍ର ଏଇ ନିକଟରେ ସେ ଟ୍ରାଇବାଲ ଆନ୍ଥେମ ବା ଆଦିବାସୀ ସଂଗୀତ ସୃଷ୍ଟି କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।

ଏବେ ଏଇ ଟ୍ରାଇବାଲ୍‌ ଆନ୍ଥେମ ବା ଆଦିବାସୀ ସଂଗୀତକୁ ନେଇ ରାଜ୍ୟଠୁ ଆରମ୍ଭ କରି ଦେଶବ୍ୟାପୀ ଚର୍ଚ୍ଚା । କେନ୍ଦ୍ରାପଡା ଜିଲ୍ଳାର ଏକ ମଫସଲ ଗାଁ -ସାନଗାଁରେ ଜନ୍ମିତ ପ୍ରେମ୍‌ ଆନନ୍ଦ ଯେ କେବଳ ଆଧୁନିକ ବା ଭଜନ କିମ୍ବା ସିନେମା ସଂଗୀତ ସୃଷ୍ଟି କରନ୍ତି ତାହା ନୁହେଁ, ବରଂ ଜଣେ ଅଣ ଆଦିବାସୀ ଭାବେ ଏବଂ ଆଦିବାସୀ ଅଂଚଳରେ ଜନ୍ମିତ ନ ହୋଇ ବି ସେ ଯେଉଁଭଳି ଭାବେ ଏହି ଟ୍ରାଇବାଲ୍‌ ଆନ୍ଥେମକ ନ୍ୟାୟ ଦେଇଛନ୍ତି, ତାହା ଅନେକଙ୍କୁ ଆଚମ୍ବିତ କରିଛି ।

ଗତ କିଛି ମାସ ତଳେ ଆଦିବାସୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବିକାଶ ପରିଷଦ ଘୋଷଣା ଅବସରରେ ଏଇ ଆଦିବାସୀ ସଂଗୀତ ବା ଟ୍ରାଇବାଲ ଆନ୍ଥେମ ‘ଉରୁବୁଙ୍ଗା..ଉରୁବୁଙ୍ଗା’ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହେବା ପରେ ଧୀରେ ଧୀରେ ଏହା ଆଦିବାସୀମାନଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି । ଏମିତିକି ଦେଶର ବିଭନ୍ନ ପ୍ରାନ୍ତରୁ ଏଥିପାଇଁ ତାଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ବିଶେଷ କରି ସୋସିଆଲ ମିଡିଆରେ ଏହାକୁ ଛାଡିବା ପରେ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏଥିସହ ଋତୁରାଜ ଏବଂ ଦିପ୍ତୀରେଖା ଗାଇଥିବା ଏହି ଗୀତ ସମସ୍ତଙ୍କୁ ଛୁଉଁଛି ।

ସମ୍ବନ୍ଧିତ ଖବର