ପପୁ ପମ୍‌ପମ୍‌ଙ୍କ ବିବାଦୀୟ ପୋଷ୍ଟର୍‌; ପ୍ରଯୋଜନା ସଂସ୍ଥା ସଫେଇ ଦେବା ପରେ ବଢ଼ିଲା ସନ୍ଦେହ, ପୋଷ୍ଟର୍‌ ଜାରି କଲା କିଏ?

ଭୁବନେଶ୍ୱର: ପପୁଙ୍କ ଫିଲ୍ମ ପୋଷ୍ଟର ବିବାଦରେ ପ୍ରଯୋଜକ ଓ ପ୍ରଯୋଜନା ସଂସ୍ଥାକୁ ନୋଟିସ୍‌ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି। ସୋସିଆଲ ମିଡିଆରେ କିଏ ଏହି ପୋଷ୍ଟରକୁ ପୋଷ୍ଟ କରିଛନ୍ତି ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ଡିସିପି ଅନୁପ ସାହୁ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ସୂଚନା ଦେଇଛନ୍ତି। ଗତକାଲି ବିବାଦୀୟ ପୋଷ୍ଟର ଖବର ପ୍ରସାରଣ ପରେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ଭୁବନେଶ୍ୱର ମହିଳା ଥାନା ସମେତ ମହିଳା କମିସନରେ ଅଭଯୋଗ କରିଥିଲେ। ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ଏଭଳି ବିବାଦୀୟ ପୋଷ୍ଟରକୁ ତୀବ୍ର ନିନ୍ଦା କରିଥିଲେ। ପୋଷ୍ଟରରେ ମହିଳାଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଥିଲା।

ତେବେ ପୋଷ୍ଟର ବିବାଦ ପରେ କନକ ନ୍ୟୁଜରେ ସଫେଇ ରଖିଲେ କମେଡି କିଙ୍ଗ ପପୁ ପମପମ। କହିଲେ, ପୋଷ୍ଟର ତିଆରିରେ ପ୍ରଯୋଜନା ସଂସ୍ଥାର କୌଣସି ହାତ ନାହିଁ। ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟାର ଏକ ପୋଷ୍ଟରକୁ ନେଇ ମାମଲା ମହିଳା ଥାନା ଓ ମହିଳା କମିସନରେ ପହଞ୍ଚିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପପୁ ପମପମ। କହିଛନ୍ତି ମହିଳାଙ୍କୁ ସେ ଅସମ୍ମାନ କରିନାହାନ୍ତି। ଏପରିକି ପୋଷ୍ଟରଟି କିଏ ତିଆରି କରିଛି ତାକୁ ଖୋଜି ବାହାର କରିବା ଉଚିତ ବୋଲି ସେ ଦାବି କରିଛନ୍ତି। ମିଷ୍ଟର କହ୍ନେୟା ଏକ ପ୍ରେରଣାଦାୟୀ ଫିଲ୍ମ ବୋଲି ପ୍ରତିକ୍ରିୟାରେ କହିଛନ୍ତି ପପୁ।

ସେପଟେ, ପପୁଙ୍କ ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟାର ଏକ ପୋଷ୍ଟରକୁ ନେଇ ବିବାଦ ପରେ ସୋସିଆଲ ମିଡିଆରେ ସଫେଇ ରଖିଛି ପ୍ରେଯାଜନା ସଂସ୍ଥା ସାର୍ଥକ ମୁଜିକ। ପ୍ରଯୋଜନା ସଂସ୍ଥା ପକ୍ଷରୁ ଏଭଳି କୌଣସି ପୋଷ୍ଟର କରାଯାଇନଥିବା ଏଥିରେ କୁହାଯାଇଛି। ଏପରିକି ଭାଇରାଲ ହେଉଥିବା ପୋଷ୍ଟରର ଥିମ୍‌ ଓ ଫିଲ୍ମର ଥିମ ସଂପୂର୍ଣ୍ଣ ଭିନ୍ନ ବୋଲି କୁହାଯାଇଛି। ପୋଷ୍ଟରରେ ୭ଜଣ ଝିଅଙ୍କୁ ଦେଖାଯାଉଥିବା ବେଳେ ଫିଲ୍ମରେ ପପୁ କରିଥିବା ଚରିତ୍ର କେବଳ ଜଣେ ଝିଅ ସହ ପ୍ରେମରେ ପଡିଥିବା ସଫେଇ ଦିଆଯାଇଛି। ଏପରିକି ଫିଲ୍ମର ମୁଖ୍ୟ ଚରିତ୍ର ଭିତରେ ମହିଳାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ଫିଲ୍ମରେ ପପୁ କରିଥିବା ଚରିତ୍ର ବିଭିନ୍ନ ସମୟରେ କଳ୍ପନା ଦାସ ଓ ଦୂତି ଚାନ୍ଦଙ୍କ ଭଳି ପ୍ରତିଭାବାନ କ୍ରୀଡାବିତଙ୍କ ଉଦାହରଣ ଦେଉଥିବା ଚିତ୍ରିତ ହୋଇଛି। ତେଣୁ ଭାଇରାଲ ହେଉଥିବା ପୋଷ୍ଟରକୁ ଧ୍ୟାନ ନଦେବା ପାଇଁ ଅପିଲ କରିଛି ପ୍ରଯୋଜନା ସଂସ୍ଥା।

ସମ୍ବନ୍ଧିତ ଖବର