ପୁନମ୍‌ଙ୍କୁ ମିଳିଲା ଏହି ଓଲିଉଡ୍‌ ନାୟକଙ୍କ ସାଥ୍‌

ଭୁବନେଶ୍ୱର : ରାଜନୀତିରେ ପ୍ରବେଶ କରିବା ପରେ ଓଲିଉଡ ହିରୋ ଆକାଶ ଦାସ ନାୟକ ଓରଫ ଆକାଶଙ୍କର ସିନେମା ସଂଖ୍ୟା କମିଛି। ତାଙ୍କୁ ଖୁବ୍‌ କମ୍‌ ଓଡ଼ିଆ ସିନେମାରେ ଦେଖିବାକୁ ମିଳୁଛି। ସେ ଯାହା ହେଉନା କାହିଁକି ଏବେ ସେ ପୁଣି ବଡ଼ ପରଦାକୁ ଫେରୁଛନ୍ତି।

ଗତବର୍ଷ ଆକାଶଙ୍କର କେବଳ ଗୋଟିଏ  ସିନେମା ‘ଜଷ୍ଟ ମୋହବତ୍‌’ ରିଲିଜ୍‌ ହୋଇଥିଲା। ଏହାପରେ ସେ ଅନ୍ୟ କୌଣସି ସିନେମା ପାଇଁ ଚୁକ୍ତିବଦ୍ଧ ହୋଇନଥିଲେ। ହେଲେ ଏବେ ଆକାଶ ଏକ ଫିଲ୍ମରେ କାମ କରୁଛନ୍ତି। ଏହି ସିନେମାର ଟାଇଟଲ୍‌ ହେଲା ‘ଫୋର୍‌ ଇଡିଅଟ୍‌ସ’।

ଏହି ସିନେମାରେ ଆକାଶ ପ୍ରଥମ ଥର ପାଇଁ ଜଣେ ଜଣାଶୁଣା ନାୟିକାଙ୍କ ସହ କାମ କରୁଛନ୍ତି। ହଁ ସେହି ନାୟିକା ଜଣକ ହେଲେ ପୁନମ୍‌ ମିଶ୍ର। ପୁନମ୍‌ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ବାଇଶି ପାହାଚେ ଖେଳିବ ମୀନ’ ଜରିଆରେ ଓଲିଉଡ୍‌ରେ ହିରୋଇନ୍‌ ଭାବେ ଏଣ୍ଟି୍ର ନେଇଥିଲେ। ଏଥିରେ ନବାଗତ ଲଲିତ ଥିଲେ ନାୟକ ଭୂମିକାରେ। ତା’ପରେ ପୁନମ୍‌ଙ୍କୁ ମିଳିଥିଲା ଷ୍ଟାରସନ୍‌ ବାବୁସାନ୍‌ଙ୍କ ସାଥ୍‌। ଅପରାଜିତା ମହାନ୍ତିଙ୍କ ପ୍ରଯୋଜିତ ‘ଲଭମାଷ୍ଟର୍‌’ରେ ଦର୍ଶକ ବାବୁସାନ୍‌-ପୁନମ୍‌ଙ୍କ ଯୋଡିକୁ ଦେଖିବାକୁ ପାଇଥିଲେ।

ଏହାପରେ ବୁଲୁଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ପୁନମ୍‌ ଫିଲ୍ମ ‘ରକଷ୍ଟାର୍‌’ରେ। ଏହାପରେ ସେ ଆଉ ବଡ଼ ପରଦାକୁ ଆସିନଥିଲେ।

‘ଆକାଶ-ପୁନମ୍‌’ ଯୋଡ଼ିକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି, ତାହା ‘ଫୋର୍‌ ଇଡିଅଟ୍‌ସ’ ରିଲିଜ୍‌ ହେବା ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର