ନିଦ୍ଦେର୍ଶକ ହିରାନୀ ଅପ୍‌ଲୋଡ୍‌ କଲେ ରଣବୀରରୁ ସଞ୍ଜୁ ପର୍ଯ୍ୟନ୍ତ ଯାତ୍ରାର ଭିଡିଓ; ଏହି ଲୁକ୍‌ ପରେ ବିଶ୍ୱାସ ହୋଇଥିଲା ଯେ ସଞ୍ଜୁ ଚରିତ୍ର ପାଇଁ ରଣବୀର ହିଁ ଯୋଗ୍ୟ

ମୁମ୍ବାଇ: ସାରା ଦେଶରେ ବାସ୍‌ ଗୋଟାଏ ମନୋରଞ୍ଜନ ଖବର ଲୋକଙ୍କ ମନରେ ଛାଇ ରହିଛି, ଚଳଚ୍ଚିତ୍ର ‘ସଞ୍ଜୁ’। ଚଳଚ୍ଚିତ୍ରଟିରେ ରଣବୀର କପୁର୍‌ ସଞ୍ଜୟ ଦତ୍ତଙ୍କ ଭୂମିକା ନିଭାଇବାରେ ତ ନିଶ୍ଚୟ ସଫଳ ହୋଇଛନ୍ତି ମାତ୍ର ତା’ଠାରୁ ବି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରଣବୀରଙ୍କ ଲୁକ୍‌। ଦର୍ଶକଙ୍କ ମନରେ ଏବେ ପ୍ରଶ୍ନ ରହିଛି କି କିଭଳି ରଣବୀରଙ୍କ ଚେହେରା ସଞ୍ଜୟ ଦତ୍ତଙ୍କ ସହ ଏତେ ମିଶିପାରିଲା। ସଞ୍ଜୟ ଜଣେ ରଫ୍‌ ଆଣ୍ଡ୍‌ ଟଫ୍‌ ଅଭିନେତା ହୋଇଥିବା ବେଳେ ରଣବୀର ହେଉଛନ୍ତି ଚକ୍‌ଲେଟ ବୟ। ଦୁହିଁଙ୍କ ଲୁକ୍‌ରେ କୌଣସି ସାମଞ୍ଜସ୍ୟ ନ ରହି ମଧ୍ୟ ଏବେ ଚେହେରା ମିଶିବା କ’ଣ ଆଶ୍ଚର୍ଯ୍ୟ ହେବା ଭଳି କଥା ନୁହେଁ? ନିଶ୍ଚୟ ଆଶ୍ଚର୍ଯ୍ୟଜନକ। ଲୋକଙ୍କ ମନରୁ ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ନିର୍ଦ୍ଦେଶକ ରାଜକୁମାର ହିରାନୀ ନିକଟରେ ଏକ ଭିଡିଓ ସେୟାର୍‌ କରିଛନ୍ତି। ସେଥିରେ ସେ ଜଣାଇଛନ୍ତି ରଣବୀରରୁ ସଞ୍ଜୟ ଭିତରର ଯାତ୍ରା ସଂପର୍କରେ।

ହିରାନୀ କହିଛନ୍ତି କି ‘୧୬ ବର୍ଷରୁ ୫୮ ବର୍ଷିଅ ସଞ୍ଜୟ ଦତ୍ତଙ୍କୁ ଲୁକ୍‌ ପାଇବା ପାଇଁ ଅଭିନେତାଙ୍କ ଖୋଜ୍‌ ଥାଏ। ଥରେ ଆଲୋଚନା ସମୟରେ ମୋର ଜଣେ ବନ୍ଧୁ ରଣବୀରଙ୍କ ନାମ ନେଲେ। ମୁଁ ରଣବୀରଙ୍କୁ ମେସେଜ୍‌ କଲି। ରଣବୀର, ତୁମ ସହ କଥା ଅଛି। ହୁଏତ ଏହା ତୁମ ପାଇଁ ଟିକେ ମଜାଦାର୍‌ ହୋଇପାରେ।’ ସେ ଉତ୍ତର ଦେଲେ ‘ମୋତେ ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ କରିବାକୁ କହିବେ କି?’ ମୁଁ ହଁ ଭରିଲି। କଥା ଆଗକୁ ବଢ଼ିଲା। ରଣବୀରଙ୍କୁ ନେଇ ବିଭିନ୍ନ ଫଟୋସୁଟ୍‌ କରାଗଲା। ନୂଆ ନୂଆ ମେକ୍‌ଅପ୍‌ ଦିଆଯାଇ ସଞ୍ଜୟଙ୍କ ଲୁକ୍‌ ଖୋଜାଗଲା। ହେଲେ ଆମେ ବିଫଳ ହେଲୁ। କେଉଁଆଡୁ ବି ସେ ସଞ୍ଜୟ ଦିଶିଲେ ନାହିଁ। ଶହ ଶହ ଥର ଫଟୋସୁଟ୍‌, ମେକ୍‌ଅପ୍‌ ବେକାର ଗଲା। ଲୁକ୍‌ ନମିଶିଲେ କେବଳ ଅଭିନୟ ଦେଖି ଦର୍ଶକ ଗ୍ରହଣ କରିବେ ନାହିଁ ବୋଲି ମନରେ ଭୟ ରହିଲା। ମାତ୍ର ଶେଷରେ ଗୋଟାଏ ଲୁକ୍‌ରେ ରଣବୀର ଅବିକଳ ସଞ୍ଜୟଙ୍କ ପରି ଦିଶିଲେ। ତା’ପରେ ଆମ ଆତ୍ମବଳ ବୃଦ୍ଧି ପାଇଲା।’

ଉଭୟ ହିରାନୀ ଓ ରଣବୀରଙ୍କ କହିବା ମୁତାବିକ୍‌ ସଞ୍ଜୟ ଦତ୍ତ ଜେଲ୍‌ରୁ ବାହାରୁଥିବା ବେଳେ ଯେପରି ଦିଶିଥିଲେ ରଣବୀରଙ୍କର ଏକ ଲୁକ୍‌ ଅବିକଳ ସେହିପରି ଦିଶିଲା। ସୁଟିଂ ସେଟ୍‌ରେ ଥିବା ସମସ୍ତେ ତାଙ୍କୁ ସଞ୍ଜୁ ବୋଲି ଡାକିବାକୁ ଲାଗିଲେ। ତା’ପରେ ସମସ୍ତେ ଦୃଢ଼ ହୋଇଥିଲେ ଯେ ଗୋଟାଏ ଲୁକ୍‌ ମିଶିଛି ପରେ ଆଉ ସମସ୍ତ ଲୁକ୍‌ ନିଶ୍ଚୟ ମିଶିବ।

ଲୁକ୍‌ ପାଇବା ପାଇଁ ରଣବୀର ମାସ ମାସ ଧରି ବ୍ୟାୟାମ୍‌ କରି ନିଜ ଶରୀରର ଚର୍ବି ବଢ଼ାଇଥିଲେ। ହାତର ମସଲ୍‌, ଛାତି ଓ କାନ୍ଧ ଆଦି ଚଉଡ଼ା କରିବାକୁ ପଡ଼ିଥିଲା। ମେକ୍‌ଅପ୍‌ ଦ୍ୱାରା ହେୟାର୍‌ ଷ୍ଟାଇଲ୍‌ ବି ବଦଳା ଯାଇଥିଲା। ବଡି ଓ ହେୟାର୍‌ ଷ୍ଟାଇଲ୍‌ ବଦଳାଯିବା ପରେ ପୋଷାକ ଓ ଚାଲିଚଳନକୁ ମଧ୍ୟ ଅନୁକରଣ କରାଯିବା ପରେ ରଣବୀରରୁ ସଞ୍ଜୁ ବନିବାର ରାସ୍ତା ସିଧା ନଜର ଆସିଥିଲା।

ସମ୍ବନ୍ଧିତ ଖବର