ଭୁବନେଶ୍ୱର: ଓଲିଉଡ଼ର ଲୋକପ୍ରିୟ ଅଭିନେତା ଶ୍ରୀତମ୍ ଦାସ ୧୯୯୭ରେ ରିଲିଜ୍ ହୋଇଥିବା ପ୍ରଖ୍ୟାତ ନିର୍ମାତା ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ତଥା ଜିତେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶିତ ହିଟ୍ ସିନେମା ‘ସାବିତ୍ରୀ’ ଜରିଆରେ ଓଲିଉଡ଼୍ରେ ହିରୋଭାବେ ଡ଼େବ୍ୟୁ କରିଥିଲେ। ଏହି ଫିଲ୍ମରେ ଶ୍ରୀତମଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଲିଜା ଦାସ।
ଶ୍ରୀତମ ଯେଉଁ ସମୟରେ ଓଡ଼ିଆ ସିନେ ଜଗତରେ ପ୍ରବେଶ କରିଥିଲେ,ସେତେବେଳେ ନାୟିକା ନମ୍ବର ଓ୍ଵାନ୍ ଥିଲେ ରଚନା ବାନାର୍ଜୀ।ଶ୍ରୀତମ୍ ତାଙ୍କର କ୍ୟାରିଅର୍ରେ ବେଶ୍ କେତୋଟି ଆଗ ଧାଡ଼ିର ନାୟିକାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି,ହେଲେ ସେ କେବେ ବି ରଚନାଙ୍କ ନାୟକ ବନି ନାହାଁନ୍ତି ପରଦାରେ। ଏହା ଅବଶ୍ୟ ଭିନ୍ନ କଥା ଯେ,ଶ୍ରୀତମ ଦାସ ଓ ରଚନା ଅବଶ୍ୟ ସିନେମାରେ ଏକାଠି କାମ କରିଥିଲେ। ହେଲେ ସେଥିରେ ଶ୍ରୀତମଙ୍କ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା ସସ୍ମିତା ପ୍ରଧାନଙ୍କୁ ଓ ରଚନା ବାନାର୍ଜୀଙ୍କ ନାୟକ ଥିଲେ ମିହିର ଦାସ। ଏହା ଯେଉଁ ସିନେମା କ୍ଷେତ୍ରରେ ଘଟିଥିଲା,ତାହା ହେଲା ମହମ୍ମଦ ମହସୀନ୍ଙ୍କ ନିର୍ଦ୍ଦେଶିତ ‘ଲକ୍ଷ୍ମୀ ପ୍ରତିମା’।
ଠିକ୍ ସେହିପରି ସୁବାସ ରାଉତଙ୍କ ପ୍ରଯୋଜିତ ତଥା ମହମ୍ମଦ ମହସୀନ୍ଙ୍କ ନିର୍ଦ୍ଦେଶିତ ଶେଷ ସିନେମା ‘ସନ୍ତାନ’ରେ ବି ରଚନା ଓ ଶ୍ରୀତମ୍ଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏଥିରେ ବି ଏ ଦୁଇ କଳାକାରଙ୍କୁ ସ୍ୱାମୀ-ସ୍ତ୍ରୀ ବା ପ୍ରେମିକ-ପ୍ରେମିକା ଭୂମିକାରେ ଦେଖିବାକୁ ପାଇନଥିଲେ ଦର୍ଶର୍କ। ବରଂ ଏହି ଫିଲ୍ମରେ ରଚନାଙ୍କ ବିପକ୍ଷରେ ସିଦ୍ଧାନ୍ତ ବନିଥିଲେ ନାୟକ। ଶ୍ରୀତମ୍ ଦାସ ଏହି ସିନେମାରେ ନେଗେଟିଭ୍ ରୋଲ୍ରେ ନଜର ଆସିଥିଲେ।