ହାରିଗଲେ ହରିବୋଲ, ଅମର ରହିବେ ରାଧାକାନ୍ତ ନନ୍ଦ

ବିଶେଷ: ଶିବଶଙ୍କର ଓଝା

ଭୁବନେଶ୍ବର : କର୍କଟ ଏଭଳି ଏକ ମାରାତ୍ମକ ବ୍ୟାଧି,ଯାହା ସହିତ ଲଢ଼େଇ କରି ତିଷ୍ଠି ରହିବା ଅତ୍ୟନ୍ତ ଦୁଃସାଧ୍ୟ ବ୍ୟାପାର। ଏହି ଲଢ଼େଇରେ ଖୁବ୍ କମ୍ ଲୋକ ବିଜୟୀ ହୋଇଛନ୍ତି। ଆଉ ଅଧିକାଂଶ ପରାଜିତ ହୋଇଥାନ୍ତି। ଏହି ତାଲିକାରେ ଗତକାଲି ଯୋଡ଼ି ହୋଇଯାଇଛି ଆଉ ଏକ ନାଆଁ-ରାଧାକାନ୍ତ ନନ୍ଦ। ଏବେ ଓଡ଼ିଆ ସଙ୍ଗୀତ ଜଗତରେ କେବଳ ଗୋଟିଏ କଥା ଶୁଣିବାକୁ ମିଳୁଛି। ହାରିଗଲେ ହରିବୋଲ ।

ଓଡ଼ିଆ ସଙ୍ଗୀତ ଜଗତରେ ହରିବୋଲ ନାଆଁରେ ପରିଚିତ ସୁପ୍ରସିଦ୍ଧ ତବଲା ବାଦକ ତଥା ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ରାଧାକାନ୍ତ ନନ୍ଦ ପାଖାପାଖି ବର୍ଷେ ତଳେ ହଠାତ୍ ଜାଣିଲେ ଯେ ତାଙ୍କୁ ଲିଭର କ୍ୟାନସର ହୋଇଛି। ଏହାପରେ ବିଭିନ୍ନ ଶୁଭେଚ୍ଛୁଙ୍କ ପରାମର୍ଶ କ୍ରମେ ସେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ ଅଫ ଆଣ୍ଡ ବାଇଲାରି ସାଇନେସରେ ଚିକିତ୍ସିତ ହେବା ଲାଗି ଯାଇଥିଲେ। ସେଠାରେ ପାଖାପାଖି ତିନିମାସ ଧରି ଚିକିତ୍ସିତ ହେବା ପରେ କଟକ ଫେରି ଆସିଥିଲେ। କଟକ ଫେରିବା ପରେ ସେ ଖୁବ୍ ସୁସ୍ଥ ଅନୁଭବ କରୁଥିଲେ। ହେଲେ ସେତେବେଳକୁ ତାଙ୍କ ଶରୀର ଅବଶ୍ୟ କ୍ଷୀଣକାୟ ହୋଇପଡ଼ିଥିଲା।

ଏହି ଲେଖକ ସେହି ସମୟରେ ହରିଭାଇନାଙ୍କ କଟକର ଅଲିଶା ବଜାରସ୍ଥିତ ବାସଭବନକୁ ଯାଇ ଭେଟିଥିଲା। ସେହି ସମୟରେ ସେ ମୋତେ ମଧ୍ୟ କହିଥିଲେ,ଏବେ ବହୁତ ଭଲ ଲାଗୁଛି, ଆଗରୁ ଖାଇବା ପ୍ରତି ଜମା ଆଗ୍ରହ ହେଉ ନ ଥିଲା,ଏବେ ଖାଇବାକୁ ଭଲ ଲାଗୁଛି।’

ମୋଟାମୋଟି ଭାବେ ଲାଗୁଥିଲା ଶିରିଡ଼ି ସାଇବାବାଙ୍କ ଅଶେଷ କୃପାରୁ ହରିବୋଲ ଭାଇନା ଭଲ ହୋଇଗଲେଣି। ଏପରିକି ପୁଣି ନିଜର କର୍ମ (ତାବଲା ବାଦନ)ରେ ନିୟୋଜିତ ହେବେ ବୋଲି ମଧ୍ୟ ଜଣାପଡ଼ିଥିଲା। ଏହି ସମୟରେ ସେ କଟକର ସିଡ଼ିଏର ଉଦଘାଟିତ ଏକ ନୂଆ ଷ୍ଟୁଡ଼ିଓର ମଧ୍ୟ ପ୍ରଥମ ରେକର୍ଡିଂରେ ତବଲା ବାଦନ କରିଥିଲେ।

ରାଧାକାନ୍ତ ନନ୍ଦ ଓରଫ ହରିବୋଲ ଶିରିଡ଼ି ସାଇବାବାଙ୍କର ଜଣେ ପରମ ଭକ୍ତ ଥିଲେ। ସେ ପ୍ରତି ବର୍ଷ ଅନ୍ୟୁନ ତିନି ଚାରି ଥର ଶିରିଡ଼ି ଯାଆନ୍ତି ଓ ସେଠାରେ ସଙ୍ଗୀତ କାର୍ଯ୍ୟକ୍ରମରେ ବି ଅଂଶ ଗ୍ରହଣ କରୁଥିଲେ।

ସଙ୍ଗୀତ ଶିଳ୍ପୀ ହରି ଭାଇନା ନିଜର ଜୀବନ ଶୈଳୀକୁ ସଂଯମ କରି ଚାଲି ଥିଲେ। ଜଣେ ଭଦ୍ର ଓ ଅମାୟିକ ସ୍ବଭାବର ହରି ଭାଇନା କିଛି ଦିନ ତଳେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମି ସମ୍ମାନ ଗ୍ରହଣ କରିଥିଲେ। ଏହି ସମ୍ମାନ ଗ୍ରହଣ କରିବା ପରଦିନ ହିଁ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତା’ପରେ ଆଠ ଦିନ ଧରି ନିଜର କର୍କଟ ରୋଗ ସହିତ ଲଢ଼ିଥିଲେ। ପଅରଦିନ ସନ୍ଧ୍ୟା ସମୟରେ ସେ କୋମାକୁ ଚାଲିଯାଇଥିଲେ। ସକାଳେ ଭେଣ୍ଟିଲେଟରରେ ଥିଲେ। ମାତ୍ର ଅଚାନକ ମଧ୍ୟାହ୍ନରେ ସବୁ ବଦଳିଗଲା ଓ ଶେଷରେ କର୍କଟ ସହ ଯୁଦ୍ଧରେ ପରାଜିତ ହେଲେ ହରିଭାଇନା।

ଜୀବନ ଯୁଦ୍ଧରେ ହାରିଯାଇଥିଲେ ବି ନିଜର କୃତି ଲାଗି ଚିର ଆମର ହୋଇ ରହିବେ ହରିବୋଲ ଓରଫ୍ ରାଧାକାନ୍ତ ନନ୍ଦ ,ଏ ବିଶ୍ୱାସ ମୋର ରହିଛି।
ତାଙ୍କର ଦୁଇ ପୁଅ ପ୍ରଭୁ ପ୍ରସାଦ ଓ ବିଭୁ ପ୍ରସାଦ ଏବଂ ପୁତ୍ରବଧୁ ଲିପ୍ସା ସମସ୍ତେ ସଂଗୀତ ଶିଳ୍ପୀ,ପତ୍ନୀ ନିରୂପମା ସଙ୍ଗୀତପ୍ରେମୀ । ଏମାନଙ୍କୁ ଈଶ୍ବର ସହାୟ ହେବେ ବୋଲି ଆଶା।

ସମ୍ବନ୍ଧିତ ଖବର