ଐଶ୍ୱର୍ଯ୍ୟା, ପ୍ରିୟଙ୍କା ଓ ଦୀପିକାଙ୍କୁ ପଛରେ ପକାଇଲେ ରାଧିକା, ରାଧିକା ଆପ୍ତେଙ୍କୁ ମିଳିଛି ହଲିଉଡ୍‌ ଚଳଚ୍ଚିତ୍ର

ବଲିଉଡ୍‌ର କାଷ୍ଟିଂ କାଉଚ୍‌ ପ୍ରସଙ୍ଗରେ ଅଭିନେତ୍ରୀ ରାଧିକା ଆପ୍ତେଙ୍କ ମୁହଁରୁ ଆମେ ଏବେ ବେଶ୍‌ କିଛି କଥା ଶୁଣୁଛୁ। ଏ ପ୍ରସଙ୍ଗ ତ ଏବେ ଖୁବ୍‌ ଚର୍ଚ୍ଚାରେ ଅଛି। ତେବେ ତା’ ଭିତରେ ରାଧିକା ଆଉ ଗୋଟିଏ ବଡ଼ ସଫଳତା ହାସଲ କରି ସାରିଛନ୍ତି। ଦକ୍ଷିଣ ଭାରତୀୟ ଫିଲ୍ମ ଓ ବଲିଉଡ୍‌ରେ ନିଜର ପରିଚୟ ତିଆରି କରିବାପରେ ସେ ଏବେ ହଲିଉଡ୍‌ ଉପରେ ନଜର ପକାଇଲେଣି। ଇତିମଧ୍ୟରେ ତାଙ୍କୁ ଗୋଟେ ଭଲ ହଲିଉଡ୍‌ ଫିଲ୍ମ ମିଳି ଯାଇଛି। ସେ ଫିଲ୍ମଟି ମଧ୍ୟ ଅଭିନେତ୍ରୀ କୈନ୍ଦ୍ରୀକ। ଏ ଫିଲ୍ମଟିର ପୃଷ୍ଠଭୂମିରେ ଅଛି ଦ୍ୱିତୀୟ ବିଶ୍ୱଯୁଦ୍ଧ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ବିରୋଧରେ ଗୁପ୍ତଚର ବୃତ୍ତି କରିବାଲାଗି ଇଂଲଣ୍ଡ ପଠାଇଥିବା କିଛି ମହିଳା ଗୁପ୍ତଚରଙ୍କର ସତ କାହାଣୀ ଏଥିରେ ଅଛି। ଏ ଗୁପ୍ତଚରମାନେ ଥିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଓ୍ଵିନ୍‌ଷ୍ଟନ୍‌ ଚର୍ଚ୍ଚିଲ୍‌ଙ୍କ ଗୁପ୍ତ ସେନାର ଅଂଶବିଶେଷ। ଫିଲ୍ମରେ ରାଧିକା ଜଣେ ଭାରତୀୟ ବଂଶୋଦ୍ଭବ ମହିଳା ନୂର୍‌ ଇନାୟତ୍‌ ଖାଁଙ୍କ ଭୂମିକାରେ ଅଭିନୟ କରିବେ। ନୂର୍‌ ଥିଲେ ବିଶ୍ୱର ପ୍ରଥମ ମହିଳା ଓ୍ଵାର୍‌ଲେସ୍‌ ଅପରେଟର୍‌। ତାଙ୍କ ସହିତ ଫିଲ୍ମରେ ଆହୁରି ଅଛନ୍ତି ସାନ୍ତା କାଟିକ୍‌ ଓ ସାରା ମେଗାନ୍‌। ସାନ୍ତା ଅଛନ୍ତି ବ୍ରିଟିସ୍‌ ମହିଳା ଗୁଇନ୍ଦା ଅଫିସର୍‌ ଭେରା ଆଟ୍‌କିନ୍‌ସ୍‌ଙ୍କ ଭୂମିକାରେ। ତାଙ୍କ ଅଧୀନରେ ରାଧିକା ଓ ସାରା କାମ କରୁଛନ୍ତି। ଦୁହିଁଙ୍କୁ ସେ ଗୁପ୍ତଚର ଭାବେ ଫ୍ରାନ୍ସକୁ ପଠାଇଛନ୍ତି।


ସତ କହିବାକୁ ଗଲେ, ଐଶ୍ୱର୍ଯ୍ୟା ରାୟ, ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦ୍ୟୁକୋନ୍‌ଙ୍କ ଭଳି ଆମ ବଲିଉଡ୍‌ ସୁନ୍ଦରୀମାନେ ଯେଉଁ ଧରଣର ହଲିଉଡ୍‌ ଫିଲ୍ମରେ ଯେଉଁ ଧରଣର ଭୂମିକା ପାଇଛନ୍ତି ଏଯାଏ, ରାଧିକା କରିବାକୁ ଯାଉଥିବା ଫିଲ୍ମ ଓ ତାଙ୍କର ଭୂମିକା ନିଶ୍ଚିତ ଭାବେ ଉଚ୍ଚସ୍ତରର। ତେଣୁ ଏମିତି ଏକ ଚମତ୍କାର ଭୂମିକା ପାଇଁ ସ୍ୱାଭାବିକ ଭାବେ ସେ ଭାରି ଖୁସି ଅଛନ୍ତି। ଆହୁରି ଏକାଧିକ ହଲିଉଡ୍‌ ଫିଲ୍ମ ପାଇଁ କାଳେ ତାଙ୍କର ଆଲୋଚନା ଚାଲିଛି।

ସମ୍ବନ୍ଧିତ ଖବର