ମୁମ୍ବାଇ: ଭାରତର ଜଣାଶୁଣା ବ୍ୟବସାୟୀ ତଥା ଏସକର୍ଟସ ଗ୍ରୁପ୍ର ଅଧ୍ୟକ୍ଷ ରାଜନ୍ ନନ୍ଦାଙ୍କର ପରଲୋକ ଘଟିଛି। ରାଜନ୍ ହେଉଛନ୍ତି ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କର ସମୁଦୀ।
ରବିବାର ବିଳମ୍ବିତ ରାତ୍ରିରେ ରାଜନ୍ ନନ୍ଦାଙ୍କର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ନନ୍ଦାଙ୍କ କଂପାନି ଟ୍ରାକ୍ଟର ଓ କୃଷି ଉପକରଣ ନିର୍ମାଣ କରୁଛି।
ରାଜନ ନନ୍ଦାଙ୍କ ପରେ ତାଙ୍କର ପତ୍ନୀ ଋତୁ ନନ୍ଦା, ପୁଅ ନିଖିଲ ନନ୍ଦା ଓ ବୋହୂ ଶ୍ୱେତା ବଚ୍ଚନ ନନ୍ଦା, ଓ ଝିଅ ନତାଶା ଅଛନ୍ତି। ରାଜନଙ୍କ ପୁଅ ନିଖିଲ ହେଉଛନ୍ତି ଅମିତାଭ ବଚ୍ଚନଙ୍କର ଜାମାତା ତଥା ଶ୍ୱେତାଙ୍କର ସ୍ୱାମୀ।
ରାଜନ୍ ନନ୍ଦାଙ୍କର ମୃତ୍ୟୁ ଖବର ପ୍ରଥମେ କିନ୍ତୁ ଅମିତାଭ ବଚ୍ଚନ ନିଜର ଟ୍ଵିଟରରେ ଦେଇ ନଥିଲେ। ପ୍ରଥମେ ଏହି ଦୁଃଖଦ ଖବର ପ୍ରଖ୍ୟାତ ଅଭିନେତା ଋଷି କପୁରଙ୍କ ଝିଅ ତଥା ରଣବୀର କପୁରଙ୍କ ଭଉଣୀ ରିଧିମା କପୁର ନିଜର ଇନ୍ଷ୍ଟାଗ୍ରାମରେ ଜଣାଇଥିଲେ। ସେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ହିଁ ରାଜନ୍ ନନ୍ଦାଙ୍କ ଫଟୋ ସେଆର୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନାଯୋଗ୍ୟ ଯେ ରାଜନ୍ ନନ୍ଦା ହେଉଛନ୍ତି ଋଷି କପୁରଙ୍କର ଭିଣୋଇ। ରିଧିମାଙ୍କ ପରେ ପରେ ଅମିତାଭ ବଚ୍ଚନ ନିଜର ସମୁଦୀଙ୍କ ବିୟୋଗ ସଂପର୍କରେ ଟ୍ଵିଟ୍ କରି ସୂଚନା ଦେଇଥିଲେ। ସେ ତାଙ୍କର ଟ୍ଵିଟରରେ ଲେଖିଛନ୍ତି ଯେ ରାଜନ ନନ୍ଦାଙ୍କ ବିୟୋଗ ତାଙ୍କ ପରିବାର ପାଇଁ ଏକ ବିରାଟ କ୍ଷତି। ଏଥିପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଅମିତାଭ ବଚ୍ଚନ। ରାଜନ୍ ନନ୍ଦାଙ୍କ ମୃତ୍ୟୁରେ ଦୁଃଖିତ ହୋଇ ଅମିତାଭ ସୁଟିଂ ସେଟ୍ ଛାଡ଼ି ଭାରତ ଫେରିଲେ । ସେ ବୁଲଗେରିଆରେ ‘ବ୍ରହ୍ମାସ୍ତ୍ର’ର ସୁଟିଂ କରୁଥିଲେ।