ରାଣୀ ମୁଖାର୍ଜୀଙ୍କ ପିତୃ ବିୟୋଗ, ଶେଷକୃତ୍ୟ ବେଳେ ଉପସ୍ଥିତ ଥିଲେ ବହୁ ନାମୀଦାମୀ ବଲିଉଡ୍‌ କଳାକାର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ବାପା ରାମ ମୁଖାର୍ଜୀ ମୁମ୍ବାଇଠାରେ ରବିବାର ଭୋର୍‌ ୫ଟା ସମୟରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୮୪ ବର୍ଷ ବୟସରେ ଶ୍ରୀ ମୁଖାର୍ଜୀ ପ୍ରାଣତ୍ୟାଗ କରିଛନ୍ତି। କିଛି ଦିନ ହେବ ସେ ଅସୁସ୍ଥ ଥିବାରୁ ଅକ୍ଟୋବର ୧୩ ତାରିଖରେ ତାଙ୍କୁ ବ୍ରଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଦୁର୍ଭାଗ୍ୟକୁ ସେ ଦିନକୁ ଦିନ ଅଧିକ ଗୁରୁତର ହେବାକୁ ଲାଗିଲେ। ତାଙ୍କ ଶରୀରରେ ଚିକିତ୍ସାର ପ୍ରଭାବ ହ୍ରାସ ପାଇ ଆସୁଥିଲା। ଗତ କାଲି ରାତିରେ ହଠାତ ତାଙ୍କ ରକ୍ତ ଚାପ ତଳକୁ ଖସି ଯିବା ପରେ ଆଜି ଭୋର୍‌ ୫ଟାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତିି।

ମୁଖାର୍ଜୀଙ୍କ ଶେଷକୃତ୍ୟ ସଂପନ୍ନ ବେଳକୁ କନ୍ୟା ରାଣୀ ଏବଂ ଜାମାତା ଆଦିତ୍ୟ ଚୋପ୍ରା ଉପସ୍ଥିତ ଥିଲେ। ରାଣୀଙ୍କ ପରିବାରକୁ ଶାନ୍ତ୍ୱନା ଦେବା ପାଇଁ ବଲିଉଡ୍‌ର ନାମୀଦାମୀ କଳାକାର ଅନୀଲ କପୁର୍‌, ରଣବୀର ସିଂହ, ଆମୀର ଖାନ୍‌ ପ୍ରମୁଖ ଉପସ୍ଥିତ ରହିଥିଲେ।

ରାମ ମୁଖାର୍ଜୀଙ୍କ ମୃତ୍ୟୁ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋସିଆଲ୍‌ ମିଡିଆ ଜରିଆରେ ନିଜର ସମ୍ବେଦନା ଜ୍ଞାପନ କରିଛନ୍ତି। ଏଥିସହିତ ବଙ୍ଗାଳୀ ଅଭିନେତା ପ୍ରଶନ୍ନଜିତ୍‌ ଚାଟାର୍ଜୀ ମଧ୍ୟ ଟୁଇଟର୍‌ରେ ରାମ ମୁଖାର୍ଜୀଙ୍କ ମୃତ୍ୟୁକୁ ନେଇ ନିଜର ଶୋକ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ରାମ ମୁଖାର୍ଜୀ କେବଳ ଅଭିନେତ୍ରୀ ରାଣୀଙ୍କ ବାପା ଭାବରେ ନୁହେଁ ବ୍ୟକ୍ତିଗତ ଭାବେ ମଧ୍ୟ ସେ ଜଣେ ଜଣାଶୁଣା ମୁହଁ। ରାମ ମୁଖାର୍ଜୀ ଜଣେ ଚଳଚ୍ଚିତ୍ର ନିର୍ମାତା ଭାବେ ଅନେକ ଯଶ କୀର୍ତ୍ତି ଅର୍ଜନ କରିଛନ୍ତି। ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ହମ୍‌ ଦିନ୍ଦୁସ୍ତାନୀ’ ଏବଂ ‘ଲିଡର’ ଉଲ୍ଲେଖ ଦାବି କରେ। ସ୍ୱର୍ଗତ ମୁଖାର୍ଜୀ ଫିଲ୍ମାଲୟ ଷ୍ଟୁଡିଓର ସହ-ନିର୍ମାତା ଭାବେ ବେଶ୍‌ ପରିଚିତ।

ସମ୍ବନ୍ଧିତ ଖବର