ଦୀପିକାଙ୍କ ପରେ ରଣବୀର ସିଂହ ବି ପାଦ ପଛକୁ ନେଲେ

ମୁମ୍ବାଇ:ଲୋକପ୍ରିୟ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ବିବାଦୀୟ ସିନେମା ‘ପଦ୍ମାବତୀ’ର ଆଉ ଏକ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ତାହା ହେଲା ଯେ ‘ପଦ୍ମାବତୀ’ରେ ଆଲ୍ଲାଉଦ୍ଦିନ୍‌ ଖିଲିଜୀ ଚରିତ୍ର ନିଭାଇଥିବା ଅଭିନେତା ରଣବୀର ସିଂହ ତାଙ୍କର ଏକ ପ୍ରମୋସନାଲ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ। ପୂର୍ବରୁ ରଣବୀର ସିଂହ ରେମୋ ଡିସୁଜାଙ୍କ ‘ଡ୍ୟାନସ୍‌ ଚାମ୍ପିଅନସ୍‌’ରେ ପଦ୍ମାବତୀ’ର ପ୍ରମୋସନ୍‌ କରିବାକୁ ଯିବା ନିର୍ଦ୍ଧାରିତ ହୋଇଥିଲା। ମାତ୍ର ସିନେମାର ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ପ୍ରକାରର ପ୍ରମୋସନାଲ କାର୍ଯ୍ୟକ୍ରମ ନ କରିବାର ନିଷ୍ପତ୍ତି ନେଇଥିବା ହେତୁ ରଣବୀର ଏଭଳି କରିଛନ୍ତି।

ଏହା ପୂର୍ବରୁ ଏହି ଫିଲ୍ମରେ ରାଣୀ ପଦ୍ମାବତୀ ଭୂମିକାରେ ଅଭିନୟ କରିଥିବା ବଲିଉଡର ହଟ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ ତାଙ୍କର ପୂର୍ବ ନିର୍ଦ୍ଧାରିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ ଆଗାମୀ ୨୮ ତାରିଖରେ ହାଇଦ୍ରାବାଦଠାରେ ଅନୁଷ୍ଠିତ ହେଉଛି ଗ୍ଲୋବାଲ୍‌ ଏଣ୍ଟରପ୍ରେନରସିପ୍‌ ସମିଟ୍‌। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ କନ୍ୟା ଇଭାଙ୍କାଙ୍କ ସହ ଦୀପିକା ପାଦୁକୋନ୍‌ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏବେ ଏଥିରୁ ଦୀପିକା ନିଜର ନାମକୁ ବାଦ୍‌ ଦେଇଥିବା ଜଣାଯାଇଛି। ଅର୍ଥାତ୍‌ ଦୀପିକା ପାଦୁକୋନ୍‌ ଗ୍ଲୋବାଲ୍‌ ଏଣ୍ଟରପ୍ରେନରସିପ୍‌ ସମିଟରେ ଅତିଥିଭାବେ ଯୋଗ ଦେବେ ନାହିଁ। ସେ ଏହି ସମ୍ମିଳନୀରେ ‘ହଲିଉଡ ଟୁ ନୋଲିଉଡ ଟୁ ବଲିଉଡ-ଦ ପାଥ୍‌ ଟୁ ମୁଭି ମେକିଂ’ ଶୀର୍ଷକ ପ୍ରସଙ୍ଗରେ ଭାଷଣ ଦେଇଥାନ୍ତେ। କିନ୍ତୁ‘ପଦ୍ମାବତୀ’ର ବିରୋଧ ଏବଂ ତାଙ୍କ ପ୍ରତି ବିଭିନ୍ନ ସଙ୍ଗଠନର କଡ଼ା ଆଭିମୁଖ୍ୟରେ ଭୟଭୀତ ହୋଇ ଦୀପିକା ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର