ସାମ୍ନାକୁ ଆସିଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘ରେବତୀ’ର ଟିଜର

ଭୁବନେଶ୍ୱର: ରିଲିଜ ହୋଇଯାଇଛି ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘ରେବତୀ’ର ଟିଜର | ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ବର୍ଷା ପଟ୍ଟନାୟକ ଅଭିନୟ କରିଥିବାବେଳେ ସହଯୋଗୀ କଳାକାର ଭାବେ ଚୌଧୁରୀ ଜୟପ୍ରକାଶ ଦାଶ, ବିଶ୍ୱଦୀପ ଦାସ, ଭୂପତି ତ୍ରିପାଠୀ ପ୍ରମୁଖଙ୍କୁ ଦେଖିବାକୁ ମିଳିବ | ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅନୁପମ ପଟ୍ଟନାୟକ | ଫିଲ୍ମ ‘ରେବତୀ’ର କାହାଣୀ ଲେଖିଛନ୍ତି ଜଣାଶୁଣା କଥାକାର ତଥା ମାସିକ ସାହିତ୍ୟ ପତ୍ରିକା କଥାର ସମ୍ପାଦକ ଡ଼.ଗୌରହରି ଦାସ |


ଏହି ଫିଲ୍ମରେ ଜଣେ ଦଳିତ ପରିବାର ଝିଅର ସଂଘର୍ଷମୟ ଓ ସ୍ୱାଭିମାନର କାହାଣୀ ଦେଖିବାକୁ ମିଳିବ | ୧ ମିନିଟ ୪ ସେକେଣ୍ଡର ଟିଜରରେ ଦର୍ଶକଙ୍କୁ ସମ୍ୟକ ଧାରଣା ଦିଆଯାଇଥିଲେ ବି ଏହାର କାହାଣୀ ଲେଖିଥିବା ଡ଼.ଗୌରହରି ଦାସ କୁହନ୍ତି ଯେ ସାମାଜିକ ପ୍ରତିବନ୍ଧକକୁ ଅତିକ୍ରମ କରି ଝିଅଟି କେବଳ ଯେ ଉଚ୍ଚଶିକ୍ଷିତ ହୋଇଛି ତାହା ନୁହେଁ, ବରଂ ଅତ୍ୟାଚାରୀଙ୍କର ମୁଖା ଖୋଲିବା ସହ ନିଜର ବ୍ୟକ୍ତିତ୍ୱର ଉଜ୍ଜ୍ବଳ ଦିଗକୁ ପ୍ରତିଷ୍ଠିତ କରିଛି ତାହା ଦର୍ଶକ ଦେଖିବାକୁ ପାଇବେ |

ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଅଙ୍କେସ ଓ ଆଶିଷ ଦେଇଥିବାବେଳେ ଗୀତ ଲେଖିଛନ୍ତି ଶୁଭମ ଚୌଧୁରୀ | ଟେକ୍ନୋଆର୍ଟ ପ୍ରଡକ୍ସନ ପକ୍ଷରୁ ପ୍ରଯୋଜିତ ଏହି ଫିଲ୍ମ ଖୁବ ଶୀଘ୍ର ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର