ଓସ୍କାରରେ ଅଂଶଗ୍ରହଣ ଲାଗି ମନୋନୀତ ହେଲା ‘ଭିଲେଜ୍‌ ରକ୍‌ଷ୍ଟାର୍ସ’

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ପୁରସ୍କାର ବିଜେତା ଫିଲ୍ମ ‘ଭିଲେଜ୍‌ ରକ୍‌ଷ୍ଟାର୍ସ’କୁ ୯୧ତମ ଏକାଡେମି ଆଓ୍ଵାର୍ଡସ (ଓସ୍କାର)ରେ ବିଦେଶୀ ଭାଷାର ସର୍ବଶ୍ରେଷ୍ଠ ସିନେମା ଶ୍ରେଣୀରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ କରାଯାଇଛି। ଫିଲ୍ମ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଏହାର ଘୋଷଣା କରାଯାଇଛି।
ରୀମା ଦାସଙ୍କ ଆସାମସ୍ଥିତ ନିଜର ଛାୟାଗ୍ରାମର ପୃଷ୍ଠଭୂମି ଉପରେ ନିର୍ମିତ ହୋଇଛି ଏହି ସିନେମା। ଏଥିରେ ସେହି ଗାଆଁର କେତେକ ବିସ୍ମୟ ବାଳକବାଳିକାଙ୍କ କାହାଣୀ ଦର୍ଶାଯାଇଛି। ଏହି ପିଲାମାନେ ଖୁବ୍‌ ମଜାଦାର ଜୀବନ ବିତାଉଛନ୍ତି।

aajtak.intoday.in

ଏହି ବହୁଚର୍ଚ୍ଚିତ ଫିଲ୍ମ ‘ଭିଲେଜ୍‌ ରକି ଷ୍ଟାର୍ସ’ର ଓ୍ଵାର୍ଲଡ ପ୍ରିମିଅର ଟରେଣ୍ଟୋ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ (ଟିଆଇଏଫ୍‌ଏଫ୍‌)୨୦୧୭ରେ ହୋଇଥିଲା। ଏହା ୭୦ରୁ ଅଧିକ ପ୍ରତିଷ୍ଠିତ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବମାନଙ୍କରେ ପ୍ରଦର୍ଶିତ ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓସ୍କାର ପାଇଁ ସଂଜୟ ଲୀଲା ଭଂସାଲିଙ୍କ ‘ପଦ୍ମାବତ୍‌’, ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ‘ଅକ୍ଟୋବର’,ତବରେଜ ନୁରାନୀଙ୍କ ନିର୍ଦ୍ଦେଶିତ ‘ଲଭ୍‌ ସୋନିୟା’,‘ତୁମ୍‌ ବୀନ୍‌’,‘ହଲ୍‌କା,‘କଡ଼୍‍ଓ୍ଵ ହଓ୍ଵା’ ଓ ‘ମଣ୍ଟୋ’ଆଦି ୨୮ଟି ସିନେମା ମଧ୍ୟରୁ ବାଜି ମାରିନେଇଛି ‘ଭିଲେଜ୍‌ ରକ୍‌ଷ୍ଟାର୍ସ’।
ଏଯାବତ୍‌ କୌଣସି ବି ଭାରତୀୟ ସିନେମା ଶ୍ରେଷ୍ଠ ବିଦେଶୀ ଫିଲ୍ମ ଭାବେ ଓସ୍କାର ପୁରସ୍କାର ଲାଭ କରି ନାହିଁ।

ସମ୍ବନ୍ଧିତ ଖବର