ଆମ ପାଠକଙ୍କୁ ଆମେ ବହୁ ପୂର୍ବରୁ ଜଣାଇ ସାରିଛୁ ଯେ ଜୀ ସାର୍ଥକ, ପ୍ରକାଶ ଫିଲ୍ମସ୍ ଓ ଅକ୍ଷୟ ପରିଜା ପ୍ରଡକ୍ସନ୍ସର ମିଳିତ ଉଦ୍ୟମରେ ତିଆରି ହେଉଛି ନୂଆ ଓଡ଼ିଆ ଫିଲ୍ମ ‘ଫୋର୍ ଇଡିୟଟ୍ସ୍’। ଫିଲ୍ମଟିକୁ ଏଇ ରଜରେ ରିଲିଜ୍ କରିବାକୁ ପ୍ରସ୍ତୁତି ଚାଲିଛି। ଅକ୍ଷୟ ପରିଜା, ପ୍ରଶାନ୍ତ ବୋହରା ଓ ସୁନୀଲ୍ ଯାଦବଙ୍କ ପ୍ରଯୋଜିତ ଏ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ବସନ୍ତ ସାହୁ। ‘ଫୋର୍ ଇଡିୟଟ୍ସ୍’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସବ୍ୟସାଚୀ ମିଶ୍ର, ଆକାଶ ଦାସ ନାୟକ, ପପୁ ପମ୍ପମ୍, କୁନା ତ୍ରିପାଠୀ, କେ.କେ., ଏଲିନା ସାମନ୍ତରାୟ, ଲିପ୍ସା ମିଶ୍ର, ପୁନମ୍ ମିଶ୍ର, ଚାନ୍ଦନୀ ଓ ନିହାରିକା ପ୍ରମୁଖ। ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ। ଶୀର୍ଷକରୁ ଆମେ ଅତି ସହଜରେ ଅନୁମାନ କରି ପାରୁଛୁ ଯେ ‘ଫୋର୍ ଇଡିୟଟ୍ସ୍’ ଏକ କମେଡି ଫିଲ୍ମ। ହୋଇଥିବ! ରଜର ମାହୋଲ୍କୁ ଆଖିରେ ରଖି ଏଥିରେ ପୂରା ପରିବାରର ମନୋରଞ୍ଜନ ପାଇଁ ଖୋରାକ ଖଞ୍ଜା ଯାଇଛି, ଯାହାକୁ କୁହା ଯାଉଛି ‘ମସ୍ତିଭରା ଜବରଦସ୍ତ ଫ୍ୟାମିଲି ଏଣ୍ଟର୍ଟେନ୍ମେଣ୍ଟ୍’।
‘ଫୋର୍ ଇଡିୟଟ୍ସ୍’ର ଗୋଟିଏ ଦିଗ ହେଉଛି ସବ୍ୟସାଚୀ ଓ ଏଲିନାଙ୍କ ବିଚିତ୍ର ରୋମାନ୍ସ୍ର ଚିତ୍ର। ଏ ଫିଲ୍ମରେ ଉଭୟ ପ୍ରଥମ ଥର ପାଇଁ ଅଭିନୟ କରିଛନ୍ତି। ପରଦା ଉପରେ ଦୁହିଁଙ୍କର ଯୋଡ଼ି ଚମତ୍କାର ଦିଶୁଛି ବୋଲି ଲୋକେ କହୁଛନ୍ତି। ଫିଲ୍ମର କାହାଣୀରେ ଏମାନଙ୍କର ପ୍ରେମ ଚାଲିଛି। କିନ୍ତୁ ସେ ପ୍ରେମ ଥରକୁ ଥର ଭାଙ୍ଗି ଯାଉଛି। ବହୁ ପରିଶ୍ରମ ପରେ ପ୍ୟାଚ୍ଅପ୍ ହେଉଛି ଅବଶ୍ୟ; କିନ୍ତୁ ଅନ୍ୟମାନଙ୍କ ପାଇଁ ପରମୁହୂର୍ତ୍ତରେ ହିଁ ପୁଣି ବ୍ରେକ୍ଅପ୍ ହେଇ ଯାଉଛି। ଏମିତି କୁଆଡ଼େ ପୂରା ଫିଲ୍ମରେ ସାତ ସାତ ଥର ହୋଇଛି! ଶେଷକୁ କ’ଣ ହୋଇଛି, ଅବଶ୍ୟ ଆମେ ଜାଣିନାହୁଁ। ସେଥିପାଇଁ ଫିଲ୍ମର ରିଲିଜ୍କୁ ଅପେକ୍ଷା କରାଯାଉ!
‘ଫୋର୍ ଇଡିୟଟ୍ସ୍’ରେ ସବ୍ୟ ଓ ଏଲିନାଙ୍କର ଗୋଟିଏ ସୁନ୍ଦର ଗୀତ ଅଛି ‘‘ଆଜିଠାରୁ ପାଦ ମୋର ତୋରି ରାସ୍ତାରେ...’’। ଥାଇଲ୍ୟାଣ୍ଡ୍ର ମନୋରମ ଲୋକେସନ୍ରେ ସୁଟିଂ ହୋଇଥିବା ଏ ଗୀତଟି ଏବେଠାରୁ ବେଶ୍ ଲୋକପ୍ରିୟ ହୋଇ ଉଠିଛି। ୟୁ-ଟ୍ୟୁବ୍ରେ ଏହାର ଲୋକପ୍ରିୟତା ଦିନକୁ ଦିନ ବଢ଼ି ଚାଲିଛି। ଏହାକୁ ଗାଇଛନ୍ତି ହ୍ୟୁମାନ୍ ସାଗର ଓ ଦୀପ୍ତିରେଖା।