ଓଲିଉଡ୍ର ସୋବରବୟ ସବ୍ୟସାଚୀ ଏବେ ତାଙ୍କର ଦୁଇଟି ଅପ୍କମିଂ ଓଡ଼ିଆ ମୁଭିରେ ନିଜର ଚରିତ୍ରକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ବେଶ୍ କିଛିଦିନ ହେବ ସାଉଥ୍ ଇଣ୍ଡଷ୍ଟ୍ରିରେ ବ୍ୟସ୍ତ ରହିବା ପରେ ସବ୍ୟସାଚୀ ଓଲିଉଡ୍ରେ ପୁଣି ସକ୍ରିୟ ହୋଇଛନ୍ତି।
ତାଙ୍କର ଯେଉଁ ସବୁ ସିନେମା ଖୁବଶୀଘ୍ର ରିଲିଜ୍ ହେବ,ସେଥିମଧ୍ୟରୁ ଗୋଟିଏ ହେଲା‘ଟୋକାଟା ଫସିଗଲା’। ଏହି ଫିଲ୍ମର ଟୋକା ହେଲେ ସବ୍ୟସାଚୀ। ସେ ଏଥିରେ କାହିଁକି ଫସିଛନ୍ତି ଓ କିଭଳି ଫସିଛନ୍ତି, ତାହା ଜାଣିବାକୁ ହେଲେ ଆପଣଙ୍କୁ ଫିଲ୍ମର କାହାଣୀ ଭିତରକୁ ଯିବାପାଇଁ ପଡ଼ିବ।
ଫିଲ୍ମର କାହାଣୀ ଅନୁଯାୟୀ, ସବ୍ୟସାଚୀ ଜଣେ ଶିକ୍ଷିତ ଯୁବକ। ସେ କିନ୍ତୁ ଜଣେ ସାଙ୍ଗ କଥାରେ ପଡ଼ିି ଏକ ଭୁଲ୍ କାମରେ ହାତ ଦେଇଛନ୍ତି। ସାଙ୍ଗ ଜଣକ ଚାହୁଁନାହାନ୍ତି ଯେ ତାଙ୍କ ଶାଳୀର ବାହାଘର ହେଉ। ଏଣୁ ସେ ତା’ର ବାହାଘର ଭାଙ୍ଗିବା ପାଇଁ ଜଣେ ଲୋକ ଖୋଜନ୍ତି। ଏଭଳି ଅବସ୍ଥାରେ ସବ୍ୟସାଚୀ ଏହି କାମ କରିବାକୁ ରାଜି ହୁଅନ୍ତି।
ତା’ପରେ ସବ୍ୟସାଚୀ ସେହି ଯୁବତୀଙ୍କର ବାହାଘର ଭାଙ୍ଗିବାକୁ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରନ୍ତି। ସେଥିରେ ଅବଶେଷରେ ସଫଳ ହୁଅନ୍ତି।
କିନ୍ତୁ ସବ୍ୟସାଚୀ ସେହି ଯୁବତୀଙ୍କ ପ୍ରେମଫାସରେ ପଡ଼ିଯାଆନ୍ତି। ତା’ପରେ କ’ଣ ସବୁ ଘଟେ,ତାହା ଦେଖିବାକୁ ହେଲେ ଆପଣଙ୍କୁ ‘ଟୋକାଟା ଫସିଗଲା’ରିଲିଜ୍ ହେବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ଏହି ଫିଲ୍ମରେ ସବ୍ୟସାଚୀଙ୍କ ସାଙ୍ଗ ଭୂମିକାରେ ଅଛନ୍ତି ପପୁ ପମ୍ପମ୍ ଓ ପ୍ରେମିକା ଭୂମିକାରେ ଏଲିନା ଅଭିନୟ କରିଛନ୍ତି।