କବାଡ଼ି ଖେଳରୁ କ୍ୟାମେରା ଖେଳ: ୩ ବର୍ଷ ପରେ ବଲିଉଡକୁ ଫେରୁଛନ୍ତି ସଇ

ମୁମ୍ବାଇ : ବେଶ୍‌ କିଛି ବର୍ଷର ବ୍ୟବଧାନ ପରେ ଏକ ହିନ୍ଦୀ ଫିଲ୍ମରେ ଦେଖିବାକୁ ମିଳିବେ ସଇ ତାହ୍ମଣକର। ମୁକ୍ତିଲାଭ ଅପେକ୍ଷାରେ ଥିବା ଫିଲ୍ମଟି ହେଉଛି ‘ଲଭ୍‌ ସୋନିଆ’। ଏକିତିରିଶ ବର୍ଷ ବୟସ୍କା ସଇ ୨୦୦୮ରେ ସୁବାସ ଘାଇଙ୍କ ପ୍ରଯୋଜିତ କ୍ରାଇମ୍‌ ଥ୍ରିଲର୍‌ ‘ବ୍ଲାକ୍‌ ଆଣ୍ଡ୍‌ ହ୍ଵାଇଟ୍‌’ ମାଧ୍ୟମରେ ବଲିଉଡ୍‌ରେ ପେସାଦାର ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ। ଫିଲ୍ମଟି ବିଫଳ ହୋଇଥିଲା ଏବଂ ସେ ଅଜଣା-ଅଶୁଣା ହୋଇ ରହିଯାଇଥିଲେ। ଯଦିଓ ଏହାପରେ ସେ ଆମୀର ଖାନଙ୍କ ସହ ‘ଗଜିନି’ରେ ମଧ୍ୟ ଅଭିନୟ କରିଥିଲେ, କିନ୍ତୁ ଲୋକଲୋଚନକୁ ଆସିପାରି ନ ଥିଲେ।

Hindustan Times

ସଇଙ୍କ ମାତୃଭାଷା ମରାଠୀ। ସେ ହିନ୍ଦୀ ଛାଡ଼ି ମରାଠୀ ଫିଲ୍ମ ଦୁନିଆରେ ଭାଗ୍ୟ ପରୀକ୍ଷା କରି, ଶତ ପ୍ରତିଶତ ସଫଳତା ପାଇଥିଲେ। ଏବେ ସେ ଆଗ ଧାଡ଼ିର ମରାଠୀ ଅଭିନେତ୍ରୀ। ଅଦ୍ୟାବଧି ଛତିଶଟି ମରାଠୀ ଫିଲ୍ମରେ ଅଭିନୟ କରିସାରିଲେଣି। ୨୦୧୫ରେ ମୁକ୍ତିଲାଭ କରିଥିବା ‘ହଣ୍ଟର୍‌’ ପରେ ସେ ହିନ୍ଦୀ ଫିଲ୍ମ ପାଇ ନ ଥିଲେ। ପ୍ରାୟ ତିନି ବର୍ଷର ବ୍ୟବଧାନ ପରେ ଏକ ହିନ୍ଦୀ ଫିଲ୍ମ ପାଇଥିବାରୁ ରୋମାଞ୍ଚିତ। ଏଥିରେ ତାଙ୍କର ଭୂମିକା ସଂକ୍ଷିପ୍ତ। ତେବେ, ସୁଯୋଗ ପାଇଥିବାରୁ ସେ ଆନନ୍ଦିତ। ସଇ ସମାଜସେବାରେ ରୁଚି ରଖୁଥିବା ଅଭିନେତ୍ରୀ। ‘ଶ୍ରମଦାନ’ ଓ ‘ପାନି ଫାଉଣ୍ଡେସନ୍‌’ ସହ ସଂପୃକ୍ତ। ସେ ସାଂଗଲୀର ମୂଳ ବାସିନ୍ଦା। ବାଣିଜ୍ୟରେ ସ୍ନାତକ। ଏକଦା ପ୍ରଦେଶ ସ୍ତରରେ କବାଡ଼ି ଖେଳୁଥିଲେ।

ସମ୍ବନ୍ଧିତ ଖବର