ସଲମାନ୍‌ ଖାନ୍‌ଙ୍କ ଏହି ନାୟିକାଙ୍କ ପାଖରେ ଚିକିତ୍ସା ପାଇଁ ପଇସା ନାହିଁ!

ମୁମ୍ବାଇ : ବଲିଉଡ଼୍‍ର ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ସହ ବେଶ୍‌ କେତେଜଣ ନାୟିକା ସ୍କ୍ରିନ୍‌ ସେଆର୍‌ କରିଛନ୍ତି। ଏମାନଙ୍କ ଭିତରୁ କେତେକ ବେଶ୍‌ ସଫଳତା ହାସଲ କରିଛନ୍ତି, ଆଉ କେତେକ ନାୟିକା ଏବେ ଅଜ୍ଞାତବାସରେ। ଏଭଳି ଜଣେ ନାୟିକା ହେଲେ ପୂଜା ଡ଼ଡ଼୍‌ଓ୍ଵାଲ୍‌।

ସଲମାନ୍‌ ଖାନ୍‌ଙ୍କର ଏକ ଫ୍ଲପ୍‌ ଫିଲ୍ମ ହେଲା ‘ବୀରଗତି’। କେ.କେ ସିଂହଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଏହି ହିନ୍ଦୀ ସିନେମାରେ ସଲମାନ୍‌ଙ୍କ ବିପକ୍ଷରେ ନାୟିକା ସାଜିଥିଲେ ପୂଜା ଡ଼ଡ଼୍‍ଓ୍ଵାଲା। ଏଥିରେ ପୂଜାଙ୍କ ଅଭିନୀତ ଚରିତ୍ରର ନାଆଁ ବି ଥିଲା ପୂଜା।ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟା ଦତ୍ତା, ଅତୁଲ ଅଗ୍ନିହୋତ୍ରୀ ଓ ଅଖିଳେନ୍ଦ୍ର ମିଶ୍ର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ‘ବୀରଗତି’୧୯୯୫ ମସିହାରେ ରିଲିଜ୍‌ ହୋଇଥିଲା।

ଆପଣ ଜାଣନ୍ତି କି ଏବେ ‘ବୀରଗତି’ରେ ନାୟିକା ଭୂମିକା ନିଭାଇଥିବା ପୂଜା ଡ଼ଡ଼୍‍ଓ୍ଵାଲ୍‌ ଟିବିରେ ପୀଡ଼ିତା। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଉଦ୍‌ବେଗ ଜନକ ବୋଲି ମଧ୍ୟ କୁହାଯାଉଛି। ପୂଜା ଗତ ୧୫ ଦିନ ହେବ ମୁମ୍ବାଇର ଶିବଡ଼ି ଟିବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପୂଜା କହିଛନ୍ତି ଯେ, ପ୍ରାୟ ଛଅ ମାସ ତଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କୁ ଟିବି ହୋଇଛି। ସେ ସହାୟତା ଲାଗି ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ସହିତ ଯୋଗାଯୋଗ କରିଥିଲେ, ହେଲେ ଏଯାବତ୍‌ ତାଙ୍କୁ କୌଣସି ସଫଳତା ମିଳିନାହିଁଁ। ତାଙ୍କ ପାଖରେ ଅର୍ଥ ନ ଥିବା ହେତୁ ସେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ବୋଲି ବି କହିଛନ୍ତି ପୂଜା। ସେ ଏକ ଭିଡ଼ିିଓ ଜରିଆରେ ସହାୟତା ଲାଗି ଭିକ୍ଷା କରୁଛନ୍ତି।

ପୂଜାଙ୍କ ନିକଟତମ ସୂତ୍ରରୁ ଜଣାଯାଇଛି ଯେ, ସେ ତାଙ୍କ ସ୍ୱାମୀ ଓ ପରିବାର ଲୋକେ ପୂଜାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଛାଡ଼ି ଚାଲିଯାଇଛନ୍ତି। ପୂଜା ‘ବୀରଗତି’ ବ୍ୟତୀତ ‘ହିନ୍ଦୁସ୍ତାନ୍‌’ ଓ‘ସିନ୍ଦୂର୍‌ କି ସୌଗନ୍ଧ୍‌’ ଭଳି ସିନେମାରେ ବି କାମ କରିଛନ୍ତି।

ସମ୍ବନ୍ଧିତ ଖବର