ପ୍ରଥମ ଥର ପାଇଁ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀଭାବେ ଅନୁଭବ ଏବଂ ଅର୍ଚ୍ଚିତା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଦୁଇଟି ସିନେମାପାଇଁ ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ଭିତରେ ହୋଇଥିଲା ଟକ୍କର !
ବିଶେଷ: ଶିବଶଙ୍କର ଓଝା
ଭୁବନେଶ୍ୱର: ଏବେ ନୂଆ ଓଡ଼ିଆ ସିନେମା ‘ମିଷ୍ଟର କହ୍ନେୟା’ପାଇଁ ଚର୍ଚ୍ଚାରେ ଅଛନ୍ତି ଏହାର ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲ । ଓଲିଉଡର ଆଉ ଜଣେ ଖ୍ୟାତନାମା ବ୍ୟକ୍ତିତ୍ୱ ହେଲେ ପ୍ରଯୋଜକ- ନିର୍ଦ୍ଦେଶକ ସଂଜୟ ନାୟକ। ପ୍ରଯୋଜକ ଭାବେ ସୀତାରାମ ଅଗ୍ରଓ୍ଵାଲ ୨୭ଟି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି। ଅପରପକ୍ଷରେ ନିର୍ଦ୍ଦେଶକ ଭାବେ ସଂଜୟ ନାୟକ ୩୫ ଟି (ମୁକ୍ତି ପ୍ରତୀକ୍ଷିତ କୁ ମିଶାଇ) ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇସାରିଛନ୍ତି। ଦୁହେଁ ଅନେକ ହିଟ୍ ଓ ସୁପରହିଟ୍ ସିନେମା ବି ଦର୍ଶକଙ୍କୁ ଉପହାର ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ନିର୍ମାତା ସୀତାରାମ ଅଗ୍ରଓ୍ଵାଲଙ୍କ ପାଇଁ ସଂଜୟ ନାୟକ କେବଳ ଗୋଟିଏ ଓଡ଼ିଆ ସିନେମା ତିଆରି କରିଛନ୍ତି। ପୁଣି ସୀତାରାମଙ୍କ ଉପରେ ଅଭିମାନ କରି ଜିଦ୍ରେ ସଂଜୟ ନିର୍ଦ୍ଦେଶକରୁ ପ୍ରଯୋଜକ ସାଜିଥିଲେ। ଆଉ ଏକ ମଜା କଥା ହେଉଛି ସଂଜୟ ନାୟକ ସୀତାରାମ ଅଗ୍ରଓ୍ଵାଲଙ୍କ ଯେଉଁ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ,ସେହି ଫିଲ୍ମ ପାଇଁ ଏଯାବତ୍ ଥରଟିଏ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତିି।
ଆସନ୍ତୁ ଜାଣିବା ସୀତାରାମ ଓ ସଂଜୟଙ୍କ ଏହି ଘଟଣା ସଂପର୍କରେ…….
୨୦୦୮ରେ ମ୍ୟୁଜିକ୍ କଂପାନି ମାଲିକରୁ ସିନେ ପ୍ରଯୋଜକ ହେବାର ନିଷ୍ପତ୍ତି ନେଲେ ସୀତାରାମ ଅଗ୍ରଓ୍ଵାଲ୍। ତାଙ୍କ ପ୍ରଥମ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ସେ ସମୟରେ ଅତି ଲୋକପ୍ରିୟ ନିର୍ଦ୍ଦେଶକ ସଂଜୟ ନାୟକଙ୍କୁ ଦେଲେ। ସଂଜୟ ନିର୍ଦ୍ଦିଷ୍ଟ ବଜେଟ୍ରେ ଫିଲ୍ମ ତିଆରି କରିଥାନ୍ତି ବୋଲି ସର୍ବବିଦିତ। ଏଣୁ ସଂଜୟଙ୍କୁ ଦେଲେ ରିସ୍କ କମ୍ ରହିବ ବୋଲି ମନେ କରିଥିଲେ ପ୍ରଯୋଜକ। ସାର୍ଥକ ମ୍ୟୁଜିକ୍ ବ୍ୟାନରରେ ଏହି ଫିଲ୍ମର ଶୀର୍ଷକ ରହିଲା ‘ପାଗଳ କରିଚି ପାଉଁଜି ତୋ’ର’। ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନ କଲେ ବିଜୟ ମଲ୍ଲ। ଏଥିରେ ସବ୍ୟସାଚୀ,ଅର୍ଚ୍ଚିତା ଓ ବୁଦ୍ଧାଦିତ୍ୟ ମହାନ୍ତି ପ୍ରମୁଖ ମୁଖ୍ୟ ଭୂମିିକାରେ ଅଭିନୟ କରିଲେ।
ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ‘ପାଗଳ କରିଚି ପାଉଁଚି ତୋ’ର’ର ସୁଟିଂ ଆରମ୍ଭ ହେଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ୨୦୦୯ ରଜ ଅବସରରେ ରିଲିଜ୍ କରିବାର ଲକ୍ଷ୍ୟ ରଖିଥିଲେ ପ୍ରଯୋଜକ। ଫିଲ୍ମଟି କଂପ୍ଲିଟ୍ ହେବା ପରେ ହଠାତ୍ ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲ ନିର୍ଦ୍ଦେଶକ ଏସ୍.କେ ମୁରଲୀଧରନ୍ଙ୍କୁ ନେଇ ‘ଆକାଶେ କି ରଙ୍ଗ ଲାଗିଲା’ ଟାଇଟଲ୍ରେ ଅନ୍ୟ ଏକ ଓଡ଼ିଆ ସିନେମାର କାମ ଆରମ୍ଭ କରିଦେଲେ।ଏହି ସିନେମାରେ ନାୟକ-ନାୟିକା ଭୂମିକାରେ ଅନୁଭବ ଓ ଅର୍ଚ୍ଚିତାଙ୍କୁ ନିଆଯାଇଥିଲା। ସେହି ସମୟରେ ‘ଆକାଶେ କି ରଙ୍ଗ ଲାଗିଲା’କୁ ପ୍ରଯୋଜକ ଆଗେ ରିଲିଜ୍ କରିବା ପରେ ‘ପାଗଳ କରିଚି ପାଉଁଜି ତୋ’ର’କୁ ରିଲିଜ୍ କରିବେ ବୋଲି ଶୁଣିବାକୁ ପାଇଲେ ନିର୍ଦ୍ଦେଶକ ସଂଜୟ ନାୟକ।
ଏହା ସଂଜୟ ନାୟକଙ୍କୁ ଖୁବ୍ ବାଧିଥିଲା। ସେ ବି ଅଭିମାନ ଓ ଜିଦ୍ରେ ନିର୍ଦ୍ଦେଶନା ସହ ପ୍ରଯୋଜନା କ୍ଷେତ୍ରକୁ ଓହ୍ଲାଇଲେ। ସଂଜୟ ସୀତାରାମଙ୍କ ‘ଆକାଶେ କି ରଙ୍ଗ ଲାଗିଲା’କୁ ରଜ ବଜାରରେ ଟକ୍କର ଦେବା ଲାଗି ସବ୍ୟସାଚୀ ,ଅର୍ଚ୍ଚିତା ଓ ବୁଦ୍ଧାଦିତ୍ୟଙ୍କୁ ନେଇ ନିର୍ମାଣ କଲେ ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’।
ଉଭୟ ସିନେମା ‘ଆକାଶେ କି ରଙ୍ଗ ଲାଗିଲା’ ଓ କେଉଁ ଦୁନିଆରୁ ଆସିଲ ବନ୍ଧୁ’ ୨୦୦୯ ରଜ ବଜାରରେ ମୁକ୍ତିଲାଭ କରିଥିଲା। ଅନ୍ୟପକ୍ଷରେ ‘ପାଗଳ କରିଚି ପାଉଁଚି ତୋ’ର’ ସେହି ବର୍ଷ ନଭେମ୍ବର ମାସରେ ମୁକ୍ତିଲାଭ କରିଥିଲା।
‘ଆକାଶେ କି ରଙ୍ଗ ଲାଗିଲା’ ବ୍ଲକବଷ୍ଟର ହେଲା ,କିନ୍ତୁ ‘ପାଗଳ କରିଚି ପାଉଁଚି ତୋ’ର’ ସାଧାରଣ ବ୍ୟବସାୟ କରିଥିଲା। ତେବେ ‘ପାଗଳ କରିଚି ପାଉଁଚି ତୋ’ର’ଲାଗି ସଂଜୟ ୨୦୧୦ରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ଏହା ପରେ ବା ପୂର୍ବରୁ ତାଙ୍କୁ ଏହି ପୁରସ୍କାର ଆଉ ମିଳି ନାହିଁ।‘ପାଗଳ କରିଚି ପାଉଁଚି ତୋ’ର’ ପାଇଁ ଅର୍ଚ୍ଚିତା ପ୍ରଥମ ଥର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଓ ବିଜୟ ମଲ୍ଲ ଶ୍ରେଷ୍ଠ ସଂଳାପକାର ଭାବେ ମଧ୍ୟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ଅପରପକ୍ଷରେ ‘ଆକାଶେ କି ରଙ୍ଗ ଲାଗିଲା’ପାଇଁ ଅନୁଭବଙ୍କୁ ପ୍ରଥମଥର ମିଳିଥିଲା ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର।
ଏହାପରେ ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲ୍ ୨୫ଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କଲେଣି,କିନ୍ତୁ ସେଥିମଧ୍ୟରୁ କୌଣସି ଗୋଟିକର ନିର୍ଦ୍ଦେଶନା ଦେଇ ନାହାନ୍ତି ସଂଜୟ ନାୟକ।