ମୋଦୀଙ୍କ ବାୟୋପିକ୍‌ ରିଲିଜ୍‌ ମାମଲା : ନିର୍ବାଚନ କମିସନଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଲେ ସୁପ୍ରିମ କୋର୍ଟ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍‌ ରିଲିଜ୍‌କୁ ନେଇ ଅନେକ ବାଦ ବିବାଦ ଲାଗି ରହିଥିବା ବେଳେ ଫିଲ୍ମଟି ମେ ୧୯ପୂର୍ବରୁ ରିଲିଜ୍‌ ହୋଇ ପାରିବ ନାହିଁ ବୋଲି କହିଥିଲେ ନିର୍ବାଚନ କମିସନ । ଏହା ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ ଫିଲ୍ମର ନିର୍ମାତା।  ଆଜି ସୁପ୍ରିମ କୋର୍ଟ ଏହି ମାମଲାକୁ ନେଇ ନିଜର ରାୟ ଶୁଣାଇଛନ୍ତି । ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଉପରେ ସୁପ୍ରିମ କୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି ସଫା ସଫା କହିଛନ୍ତି । ଫଳରେ ମେ ୧୯ପୂର୍ବରୁ ମୋଦୀଙ୍କ ବାୟୋପିକ ରିଲିଜ ହେବାର ସମସ୍ତ ସମ୍ଭାବନା ଶେଷ ହୋଇଛି।

ସୂଚନା ମୁତାବକ, ଫିଲ୍ମଟି ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିପକ୍ଷ ଦଳ ଅଭିଯୋଗ ଆଣିବା ପରେ ନିର୍ବାଚନ କମିସନ ଏହାର ରିଲିଜ୍‌ ଉପରେ ରୋକ୍‌ ଲଗାଇଥିଲେ । ଯାହା ପରେ ଫିଲ୍ମର ନିର୍ମାତା ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହୋଇ ରିଲିଜ୍‌ର ଅନୁମତି ମାଗିଥିଲେ । ସୁପ୍ରିମ କୋର୍ଟ ପ୍ରଥମେ ଫିଲ୍ମ ଦେଖିବା ପରେ ନିର୍ବାଚନ କମିସନକୁ ପ୍ରଥମେ ଫିଲ୍ମ ଦେଖି ପରେ ଆଉ ଥରେ ନିଷ୍ପତ୍ତି ନେବା ପାଇଁ ଆଦେଶ ଦେଇଥିଲେ ।

dnaindia.com

ସୁପ୍ରିମ୍‌ କୋର୍ଟର ଆଦେଶ ପରେ ଫିଲ୍ମ ଦେଖି ନିଜର ନିଷ୍ପତ୍ତି ଏକ ବନ୍ଦ ଲଫାଫାରେ ଜଣାଇଥିଲେ ନିର୍ବାଚନ କମିସନ । ଏପ୍ରିଲ ୨୨ରେ ନିର୍ବାଚନ କମିସନ ନିଜର ନିଷ୍ପତ୍ତି ଶୁଣାଇ ମେ ୧୯ପୂର୍ବରୁ ଫିଲ୍ମକୁ ରିଲିଜ୍‌ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାଷାରେ ସୁପ୍ରିମ କୋର୍ଟକୁ ଜଣାଇଥିଲେ । ଫିଲ୍ମରେ ଥିବା କିଛି ଦୃଶ୍ୟ ବିପକ୍ଷ ଦଳ ବିରୋଧରେ ରହିଛି । ଯଦି ଏହାକୁ ଏବେ ରିଲିଜ୍‌ କରାଯାଏ, ତେବେ ନିର୍ବାଚନୀ ମାହୋଲରେ ଅସନ୍ତୋଷ ଦେଖାଯିବା ସହ ପରିସ୍ଥିତି ଗମ୍ଭୀର ହେବାର ମଧ୍ୟ ଆଶଙ୍କା ରହିଛି । ଯାହା ପାଇଁ ଫିଲ୍ମକୁ ଏବେ ରିଲିଜ୍‌ କରାଯାଇ ପାରିବ ନାହିଁ ବୋଲି କାରଣ ଦର୍ଶାଇଥିଲେ ନିର୍ବାଚନ କମିସନ ।

ସମ୍ବନ୍ଧିତ ଖବର