ହିରାନୀଙ୍କ ପରେ ‘ହ୍ଵାଏ ଚିଟ୍‌ ଇଣ୍ଡିଆ’ର ନିର୍ଦ୍ଦେଶକ ସୌମିକ୍‌ ସେନ୍‌ଙ୍କ ବିରୋଧରେ ୩ ମହିଳା ଆଣିଲେ ଅସଦାଚରଣର ଅଭିଯୋଗ, ବିରୋଧୀ ହେଲେ ଫିଲ୍ମର ଅଭିନେତ୍ରୀ

ମୁମ୍ବାଇ : ଲିଭି ଆସୁଥିବା #ମି ଠୁର ନିଆଁ ଏବେ ପୁଣି ଜଳିବା ଆରମ୍ଭ କରିଛି । କିଛି ଦିନ ତଳେ ଲୋକପ୍ରିୟ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଉପରେ ତାଙ୍କ ସହଯୋଗୀ ଅସଦାଚରଣର ଅଭିଯୋଗ ଆଣିବା ପରେ #ମି ଠୁ ଅଭିଯାନ ପୁଣି ଥରେ ମୁଣ୍ଡ ଟେକିଛି । ରାଜକୁମାରଙ୍କ ଉପରେ ଲାଗିଥିବା ଅଭିଯୋଗକୁ କେହି ବିଶ୍ୱାସ କରି ପାରୁ ନଥିବା ବେଳେ ଏବେ ଆଉ ଜଣେ ନିର୍ଦ୍ଦେଶକ-ପ୍ରଯୋଜକଙ୍କ ସୌମିକ୍‌ ସେନ୍‌ଙ୍କ ବିରୋଧରେ ୩ଜଣ ମହିଳା ଅସଦାଚରଣର ଅଭିଯୋଗ ଆଣିଛନ୍ତି ।

ସୌମିକ୍‌ ରିଲିଜ୍‌ ହେବାକୁ ଥିବା ‘ହ୍ଵାଏ ଚିଟ୍‌ ଇଣ୍ଡିଆ’ର ନିର୍ଦ୍ଦେଶକ ଏବଂ ପ୍ରଯୋଜନା ଦାୟିତ୍ୱରେ ଥିବା ବେଳେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଇମ୍ରାନ ହାସ୍‌ମୀ ଏବଂ ଅଭିନେତ୍ରୀ ଶ୍ରେୟା ଧନବନ୍ତରୀ । ଫିଲ୍ମ ରିଲିଜ୍‌ ପୂର୍ବରୁ ଏଭଳି ଅଭିଯୋଗ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୩ ଜଣ ମହିଳା ଅଭିଯୋଗ କରିବା ପରେ ଫିଲ୍ମର ଅଭିନେତ୍ରୀ ଶ୍ରେୟା ସେମାନଙ୍କୁ ସମର୍ଥନ ଜଣାଇଥିବା ଦେଖାଯାଇଛି ।

Mid-Day

ସୂଚନା ମୁତାବକ, ଗତ ବର୍ଷ ୩ ଜଣ ମହିଳାଙ୍କ ସହ ସୌମିକ୍‌ ଅସଦାଚରଣ କରିଥିଲେ ବୋଲି ସେମାନେ #ମି ଠୁ ଅଭିଯାନ ଦ୍ୱାରା ଜଣାଇଥିଲେ । ଏହି ଅଭିଯୋଗ ଆସିବା ପରେ ଅଭିନେତ୍ରୀ ଶ୍ରେୟାଙ୍କୁ ତାଙ୍କର ପ୍ରତିକ୍ରିୟା ରଖିବା ପାଇଁ କୁହାଯାଇଥିଲା । ନିଜ ପ୍ରତିକ୍ରିୟାରେ, ଖବରଟି ମୋତେ ଆଶ୍ଚର୍ଯ୍ୟ କରିଛି । ଯେତେବେଳେ ଆପଣ ଜଣଙ୍କ ସହ ଭଲ ଭାବରେ କାମ କରୁଥିବେ ଏବଂ ଶେଷରେ ଏ ସବୁ ଜିନିଷ ଶୁଣିବାକୁ ମିଳିବ । ତାହା ନିହାତି ଭାବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । କିନ୍ତୁ ମୁଁ ସମସ୍ତ ପୀଡ଼ିତା ଏବଂ #ମି ଠୁ ଅଭିଯାନକୁ ସମର୍ଥନ ଜଣାଉଛି । ଯାହା ସତ ତାହା ସାମ୍ନାକୁ ଆସିବା ଦରକାର ବୋଲି କହିଥିଲେ ଶ୍ରେୟା ।

ସମ୍ବନ୍ଧିତ ଖବର